ଏସିଆ କପ୍ 2023: ନିଶ୍ଚିତ ହେଲା ସ୍ଥାନ, ପାକିସ୍ତାନରେ ନୁହେଁ ଏହି ଦେଶରେ ଖେଳିବ ଟିମ୍ ଇଣ୍ତିଆ, ପଢ଼ନ୍ତୁ ସବିଶେଷ ରିପୋର୍ଟ

କ୍ରିକେଟ ଖବର: ଏସିଆ କପ୍ର ଆୟୋଜନ ପାକିସ୍ତାନ କ୍ରିକେଟ୍ ବୋର୍ଡର୍ ହାତରେ ରହିଛି। ଆଉ ଏହାର ଭେନ୍ୟୁକୁ ନେଇ ବିବାଦ ଲାଗି ରହିଛି। କାରଣ ବିସିସିଆଇ ପୂର୍ବରୁ ସ୍ପଷ୍ଟ କରିଛି ଯେ, ଟିମ୍ ଇଣ୍ଡିଆ ପାକିସ୍ତାନ ଏସିଆ କପ୍ ଖେଳିବାକୁ ଯିବ ନାହିଁ। ତେବେ ଏସବୁ ମଧ୍ୟରେ ସମାଧାନର ବାଟ ବାହାର କରିଛି ପାକିସ୍ତାନ କ୍ରିକେଟ୍ ବୋର୍ଡ।
ପାକିସ୍ତାନରେ ଏସିଆ କପ୍ ଖେଳାଯିବାକୁ ନେଇ BCCI ନାରାଜ୍ ଥିବା ବେଳେ ଭାରତର ମ୍ୟାଚ୍ ଗୁଡ଼ିକ ନିରପେକ୍ଷ ସ୍ଥାନରେ ଖେଳାଯିବ ବୋଲି ପିସିବି ସୂଚନା ଦେଇଛି। ତେବେ ଏସିଆ କପ୍ ଖେଳିବା ପାଇଁ ଭାରତ ପାକିସ୍ତାନ ଯିବ ନାହିଁ। ଆଉ ଭାରତର ସବୁ ମ୍ୟାଚ ଅନ୍ୟତ୍ର ହେବ।
ଏହି ସ୍ଥାନ ଗୁଡିକରେ ଏସିଆ କପର ମ୍ୟାଚ ଖେଳିବ ଟିମ୍ ଇଣ୍ଡିଆ:
୨୦୨୩ ସେପ୍ଟେମ୍ବର ମାସରେ ପାକିସ୍ତାନ କ୍ରିକେଟ୍ ବୋର୍ଡ ଏସିଆ କପ୍ର ଆୟୋଜନ କରୁଛି। କିନ୍ତୁ ଭାରତ ନିଜ ମ୍ୟାଚ୍ ଗୁଡ଼ିକୁ ଅନ୍ୟ ଦେଶରେ ଖେଳିବ । ଟିମ୍ ଇଣ୍ତିଆର ମ୍ୟାଚ୍ ଗୁଡ଼ିକ ୟୁଏଇ, ଓମାନ, ଶ୍ରୀଲଙ୍କା ଓ ଇଂଲଣ୍ତରେ ଖେଳାଯିବ ବୋଲି ଚର୍ଚ୍ଚା ହେଉଛି। ସେପ୍ଟେମ୍ବରରେ ଟୁର୍ଣ୍ଣାମେଣ୍ଟ ଖେଳାଯିବାକୁ ଥିବାରୁ ସେତେବେଳେ ୟୁଏଇରେ ତାପମାତ୍ରା ୪୦ ଡିଗ୍ରୀ ପାଖାପାଖି ରହିଥାଏ। ତେବେ ମ୍ୟାଚ୍ ଇଂଲଣ୍ତରେ ଖେଳାଯିବାର ସମ୍ଭାବନା ରହିଛି। ନିରପେକ୍ଷ ସ୍ଥାନରେ ଭାରତ ଓ ପାକିସ୍ତାନର ଦୁଇଟି ମ୍ୟାଚ୍ ସହିତ ମୋଟ୍ ୫ଟି ମ୍ୟାଚ୍ ଆୟୋଜନ ହେବ।
ଏସିଆ କପ୍ରେ ମୋଟ୍ ୬ଟି ଟିମ୍ ଭାଗ ନେବେ। ସବୁ ଟିମ୍କୁ ଦୁଇଟି ଗ୍ରୁପ୍ରେ ଭାଗ କରାଯାଇଛି। ସମସ୍ତ ୬ ଟି ଦଳକୁ ନେଇ ୧୩ ଦିନରେ ୧୩ ମ୍ୟାଚ୍ ଖେଳାଯିବ। ପୂର୍ବ ନିୟମ ଅନୁଯାୟୀ, ଉଭୟ ଗ୍ରୁପ୍ର ଶ୍ରେଷ୍ଠ ଦୁଇ ଦଳ ସୁପର ୪ ତଥା ସେମିଫାଇନାଲ୍କୁ ଉନ୍ନୀତ ହେବେ। ଭାରତ-ପାକିସ୍ତାନ ଉଭୟ ଗୋଟିଏ ଗ୍ରୁପ୍ରେ ରହିଥିବା ବେଳେ ରୋମାଞ୍ଚକ ମ୍ୟାଚ୍ ନେଇ ଦର୍ଶକ ବେଶ୍ ଉତ୍ସାହିତ ରହିଛନ୍ତି। ଏହି ବର୍ଷ ଟୁର୍ଣ୍ଣାମେଣ୍ଟରେ ଭାରତ ଓ ପାକିସ୍ତାନ ମଧ୍ୟରେ ୩ଟି ମ୍ୟାଚ୍ ଖେଳାଯିବାର ସମ୍ଭାବନା ରହିଛି।
ଆହୁରି ପଢ଼ନ୍ତୁ: ପ୍ରଥମେ ହାର୍ଦ୍ଦିକ ଦେଲେ ଧୋକା ଆଉ ବର୍ତ୍ତମାନ ରୋହିତ କଲେ ଅଣଦେଖା, ଭଲ ପ୍ରଦର୍ଶନ କରି ମଧ୍ୟ ଦଳରେ ମିଳୁନି ସୁଯୋଗ