IND vs BAN 2nd Test: ଭାରତ ବାଂଲାଦେଶକୁ 3 ୱିକେଟ୍ ରେ ହରାଇଲା, ଦେଖିବାକୁ ମିଳିଲା ଆୟର-ଅଶ୍ୱିନଙ୍କ ଚମତ୍କାର ବ୍ୟାଟିଂ, ସିରିଜ୍ 2-0 ରେ ପରାସ୍ତ ହେଲା ବାଂଲାଦେଶ...
କ୍ରିକେଟ ଖବର : ଭାରତ-ବାଂଲାଦେଶ ମଧ୍ୟରେ ଅନୁଷ୍ଠିତ ହୋଇଥିବା ଦ୍ୱିତୀୟ ଟେଷ୍ଟର ଚତୁର୍ଥ ଦିନରେ ଆଜି କଡ଼ା ଟକ୍କର ଦେଖିବାକୁ ମିଳିଥିଲା । ମୀରପୁରରେ ଖେଳାଯାଇଥିବା ଏହି ମ୍ୟାଚରେ ବାଂଲାଦେଶ ଭାରତକୁ ୧୪୫ ରନର ଟାର୍ଗେଟ ଦେଇଥିଲା । ଏହି ଲକ୍ଷ୍ୟକୁ ଭାରତ ସହଜରେ ହାସଲ କରିନେବ ବୋଲି ଅନୁମାନ କରାଯାଉଥିଲେ ହେଁ ପଡ଼ିଆରେ ସବୁକିଛି ଓଲଟପାଲଟ ହୋଇଯାଇଥିଲା ।
ନିୟମିତ ବ୍ୟବଧାନରେ ଭାରତର ୱିକେଟ ପଡ଼ିବା ଯୋଗୁଁ ଟିମ୍ ଇଣ୍ଡିଆ ସଙ୍କଟ ଆଡ଼କୁ ମୁହାଁଇଥିଲା। ତେବେ ଆଜି କଡ଼ା ସଂଘର୍ଷ ମଧ୍ୟରେ ଶେଷରେ ଭାରତ ୪୭ ଓଭରରେ ୭ ୱିକେଟ ହରାଇ ବିଜୟ ହାସଲ କରିବାରେ ସକ୍ଷମ ହୋଇଥିଲା । ବାଂଲାଦେଶ ଦଳର ବୋଲର୍ ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ ଶିକାର କରିବା ପାଇଁ ପ୍ରାଣପଣେ ପ୍ରୟାସ କରିଥିଲେ ହେଁ ତାହା ସମ୍ଭବ ହୋଇନଥିଲା । ଶ୍ରେୟସ ଆୟର ୨୯ ଓ ରବିଚନ୍ଦ୍ରନ ଅଶ୍ୱିନ ୪୨ ରନ କରି ଶେଷ ପର୍ଯ୍ୟନ୍ତ ଅପରାଜିତ ରହି ଦଳର ବିଜୟର ମୁଖ୍ୟ କର୍ଣ୍ଣଧାର ସାଜିଥିଲେ ।
ତୃତୀୟ ଦିନର ଖେଳ ଶେଷ ସୁଦ୍ଧା ଭାରତ ୪ ୱିକେଟ ହରାଇ ୪୫ ରନ୍ ହାସଲ କରିଥିଲା । ଜୟଦେବ ଉନାଦକତ ଓ ଅକ୍ଷର ପଟେଲ କ୍ରିଜରେ ରହିଥିଲେ । ମାତ୍ର ଚତୁର୍ଥ ଦିନ ପ୍ରାରମ୍ଭରେ ଜୟଦେବ ଆଉଟ୍ ହୋଇ ପାଭିଲିୟନ ଫେରିଥିଲେ । ବାଂଲାଦେଶ ଦ୍ୱିତୀୟ ଇନିଂସରେ ୨୩୧ ରନ୍ କରି ଭାରତ ନିକଟରେ ୧୪୫ ରନର ଟାର୍ଗେଟ ଛିଡ଼ା କରିଥିଲା । ଚଳିତ ସିରିଜରେ କ୍ୱିନ ସ୍ୱିପ୍ କରି ବିଶ୍ୱ ଟେଷ୍ଟ ଚାମ୍ପିୟନସିପରେ ମହତ୍ତ୍ୱପୂର୍ଣ୍ଣ ଅଙ୍କ ହାସଲ କରିବା ଲକ୍ଷ୍ୟକୁ ପୂରଣ କରିଛି ଟିମ୍ ଇଣ୍ଡିଆ ।
ଆହୁରି ପଢ଼ନ୍ତୁ : BCCI କୁ ଲାଞ୍ଚ ଦେଉଛନ୍ତି କି କେ ଏଲ ରାହୁଲ୍? ଦ୍ବିତୀୟ ମ୍ୟାଚ୍ ରେ ମଧ୍ୟ ଫ୍ଲପ୍ ହେବା ପରେ ରାହୁଲ୍ ଉପରେ ରାଗିଗଲେ ଦର୍ଶକ