IPL 2022: ଏହି ୩ଟି କାରଣକୁ ଦୃଷ୍ଟିରେ ରଖି ରାଇନାଙ୍କୁ କିଣିପାରେ ଗୁଜୁରାଟ ଟାଇଟାନ୍ସ

  1. Home
  2. IPL Special

IPL 2022: ଏହି ୩ଟି କାରଣକୁ ଦୃଷ୍ଟିରେ ରଖି ରାଇନାଙ୍କୁ କିଣିପାରେ ଗୁଜୁରାଟ ଟାଇଟାନ୍ସ

Suresh raina


କ୍ରିକେଟ୍ ଖବର : ଆଇପିଏଲ୍ ୨୦୨୨ ଆରମ୍ଭ ହେବା ପାଇଁ ଆଉ ଅଳ୍ପ କିଛି ଦିନ ବାକି ଅଛି। ଆଇପିଏଲର ୧୫ ତମ ସିଜନ୍ ପାଇଁ ଏଥର ଲୋକଙ୍କ ମଧ୍ୟରେ ଏକ ଭିନ୍ନ ଉତ୍ସାହ ଦେଖାଯାଉଛି। ଏହି ସମୟରେ ଗୁଜୁରାଟ ଟାଇଟାନ୍ସ ଦଳରେ ସାମିଲ ଥିବା ଇଂଲଣ୍ଡ ଓପନର୍ ଜେସନ ରୟ ଆଇପିଏଲରୁ ତାଙ୍କ ନାମ ପ୍ରତ୍ୟାହାର କରି ନେଇଛନ୍ତି।

ବର୍ତ୍ତମାନ ତାଙ୍କ ସ୍ଥାନରେ ଆଉ ଜଣେ ବିସ୍ଫୋରକ ଖେଳାଳିଙ୍କୁ ଅନ୍ତର୍ଭୁକ୍ତ କରାଯିବା ନେଇ କଳ୍ପନାଜଳ୍ପନା ଚାଲିଛି। ଆଉ ସେହି ଖେଳାଳି ଜଣକ ହେଲେ ସୁରେଶ ରାଇନା। ରାଇନା ମିଷ୍ଟର୍ ଆଇପିଏଲ୍ ନାମରେ ମଧ୍ୟ ବେଶ ଜଣାଶୁଣା। ଯଦିଓ ରାଇନାଙ୍କୁ ମେଗା ନିଲାମରେ କୌଣସି ଦଳ କିଣିନାହାନ୍ତି, କିନ୍ତୁ ବର୍ତ୍ତମାନ ଗୁଜୁରାଟ ଟାଇଟାନ୍ସ ଏହି ତିନୋଟି କାରଣ ହେତୁ ସୁରେଶ ରାଇନାଙ୍କୁ ସେମାନଙ୍କ ଦଳରେ ଅନ୍ତର୍ଭୁକ୍ତ କରିପାରେ ବୋଲି ଆଲୋଚନା ହେଉଛି।

୧) ଜେସନ ରୟ ଟୁର୍ନାମେଣ୍ଟରୁ ଓହରି ଯାଇଛନ୍ତି : 

କିଛି ଦିନ ମଧ୍ୟରେ, ଆଇପିଏଲ ୨୦୨୨ ଆରମ୍ଭ ହେବାକୁ ଯାଉଛି ଏବଂ ଏହି ସମୟ ମଧ୍ୟରେ, ନୂଆ ଆଇପିଏଲ ଦଳ ଗୁଜରାଟ ଟାଇଟାନ୍ସକୁ ଏକ ବଡ଼ ଝଟକା ଲାଗିଛି।  ବାସ୍ତବରେ ଗୁଜୁରାଟ ଟାଇଟାନ୍ସର ବ୍ୟାଟ୍ସମ୍ୟାନ୍ ଜେସନ ରୟ ଚଳିତ ବର୍ଷର ଆଇପିଏଲରୁ ତାଙ୍କ ନାମ ପ୍ରତ୍ୟାହାର କରିଛନ୍ତି। ତେଣୁ ଗୁଜୁରାଟ ଟାଇଟାନ୍ସ, ନିଜ ଦଳରେ ସୁରେଶ ରାଇନାଙ୍କୁ ଅନ୍ତର୍ଭୁକ୍ତ କରିବାର ଏହା ହେଉଛି ପ୍ରଥମ କାରଣ। ରୟଙ୍କ ସ୍ଥାନରେ ଗୁଜରାଟ ଟାଇଟାନ୍ସରେ ସୁରେଶ ରାଇନାଙ୍କୁ ଅନ୍ତର୍ଭୁକ୍ତ କରାଯାଇପାରେ ବୋଲି ଅନୁମାନ କରାଯାଉଛି। ଆଇପିଏଲରେ ରାଇନା ତାଙ୍କ ବ୍ୟାଟିଂ ମାଧ୍ୟମରେ ଅନେକ ଛକା ଚୌକାର ବର୍ଷା କରିଛନ୍ତି।  ଏଭଳି ପରିସ୍ଥିତିରେ ରାଇନାଙ୍କର ପ୍ରଶଂସକଙ୍କ ମନରେ ଆଶା ଅଛି ଯେ ରାଇନା ପୁଣି ଥରେ ଚଳିତ ଆଇପିଏଲରେ ସାମିଲ ହୋଇ ନିଜର କମାଲ କରିପାରନ୍ତି।

୨) ମଧ୍ୟମ ଅର୍ଡର ବ୍ୟାଟ୍ସମ୍ୟାନଙ୍କ ଅନୁପସ୍ଥିତି :

Dhoni and raina

ଗତ ଫେବୃଆରୀ ମାସରେ ଅନୁଷ୍ଠିତ ଇଣ୍ଡିଆନ୍ ପ୍ରିମିୟର ଲିଗ୍ ୨୦୨୨ର ମେଗା ନିଲାମରେ ନୂତନ ଆଇପିଏଲ୍ ଦଳ ଗୁଜୁରାଟ ଟାଇଟାନ୍ସ ମୋଟ ୨୩ ଖେଳାଳିଙ୍କୁ ନିଜ ଦଳରେ ଅନ୍ତର୍ଭୁକ୍ତ କରିଥିଲା। ଗୁଜୁରାଟ ଟାଇଟାନ୍ସ ପାଞ୍ଚ ଜଣ ବିଦେଶୀ ଖେଳାଳି ଏବଂ ୧୮ ଜଣ ଭାରତୀୟ ଖେଳାଳିଙ୍କୁ ୮୯.୮୫ କୋଟି ଟଙ୍କାରେ କିଣିଥିଲା। ଏହି ଦଳର ନେତୃତ୍ୱ ଭାରତୀୟ କ୍ରିକେଟ୍ ଦଳର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ନେବେ। ଅନ୍ୟପକ୍ଷରେ, ଗୁଜୁରାଟ ଟାଇଟାନ୍ସରେ କୌଣସି ବଡ ମଧ୍ୟମ ଅର୍ଡର ବ୍ୟାଟ୍ସମ୍ୟାନ୍ ନାହାଁନ୍ତି। ଏହି କାରଣରୁ ଗୁଜୁରାଟ ଟାଇଟାନ୍ସ ସୁରେଶ ରାଇନାଙ୍କୁ ନିଜ ଦଳରେ ମଧ୍ୟମ ଅର୍ଡର ବ୍ୟାଟ୍ସମ୍ୟାନ୍ ଭାବରେ ଅନ୍ତର୍ଭୁକ୍ତ କରିପାରନ୍ତି। ସେହିପରି, ଜେସନ ରୟ ଆଇପିଏଲରୁ ଓହରିଯିବା ପରେ ଗୁଜୁରାଟକୁ ବର୍ତ୍ତମାନ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ଆବଶ୍ୟକତା ଅଛି। ଏହି କାରଣରୁ ସୁରେଶ ରାଇନା ଗୁଜୁରାଟ ଟାଇଟାନ୍ସର ପରବର୍ତ୍ତୀ ପସନ୍ଦ ହୋଇପାରନ୍ତି। 

୩) ଆଇପିଏଲରେ ସୁରେଶ ରାଇନାଙ୍କ ବିସ୍ଫୋରକ ପ୍ରଦର୍ଶନ :

ଦିନେ ଭାରତୀୟ କ୍ରିକେଟ୍ ଦଳର ଆକ୍ରମଣାତ୍ମକ ବାମହାତୀ ମଧ୍ୟମ ଅର୍ଡର ବ୍ୟାଟ୍ସମ୍ୟାନ୍ ଥିଲେ ସୁରେଶ ରାଇନା। ରାଇନା ନିଜର ଆଇପିଏଲ୍ ପ୍ରଦର୍ଶନ ସହିତ ସମସ୍ତଙ୍କ ହୃଦୟ ଜିତିଛନ୍ତି। ତାଙ୍କର ବିସ୍ଫୋରକ ପ୍ରଦର୍ଶନ ହେତୁ ସେ ମିଷ୍ଟର୍ ଆଇପିଏଲ୍ ଭାବରେ ଜଣାଶୁଣା। ଚେନ୍ନାଇ ସୁପର କିଙ୍ଗ୍ସକୁ ତାଙ୍କ ବ୍ୟାଟିଂର ଶକ୍ତିରେ ଆଇପିଏଲ୍ ଟାଇଟଲ୍ ଜିତାଇବାରେ ରାଇନା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ରାଇନା ଏପର୍ଯ୍ୟନ୍ତ ଆଇପିଏଲରେ ୨୦୦ ଟି ମ୍ୟାଚ ଖେଳିଛନ୍ତି। ସେ ହାରାହାରି ୩୨.୫୨ ରେ ୫୫୨୮ ରନ୍ ସ୍କୋର କରିଛନ୍ତି। ଯେଉଁଥିରେ ୩୯ ଟି ଅର୍ଦ୍ଧଶତକ, ୫୦୬ଟି ଚାରି ଏବଂ ୨୦୩ଟି ଛକା ଅନ୍ତର୍ଭୁକ୍ତ। ୨୦୧୩ ମସିହାରେ ସୁରେଶ ରାଇନା କିଙ୍ଗସ ଏକାଦଶ ବିପକ୍ଷରେ ଅପରାଜିତ ୧୦୦ ରନ୍ ଉଚ୍ଚ ସ୍କୋର କରିଥିଲେ। ଶକ୍ତିଶାଳୀ ଖେଳ ପ୍ରଦର୍ଶନ ଯୋଗୁଁ ସୁରେଶ ରାଇନାଙ୍କୁ, ଗୁଜରାଟ ଟାଇଟାନ୍ସ ପୁଣି ଥରେ କିଣିବ ବୋଲି ଗଣମାଧ୍ୟମରେ ଆଲୋଚନା ହେଉଛି।