ଧୋନିଙ୍କ ପରେ CSK ର ପରବର୍ତ୍ତୀ କ୍ୟାପ୍ଟେନ କିଏ ? ବିସ୍ଫୋରକ୍ ବ୍ୟାଟ୍ସମ୍ୟାନ୍ ବିରେନ୍ଦ୍ର ସେହ୍ୱାଗ ଦେଲେ ଉତ୍ତର
କ୍ରିକେଟ ଖବର : ଚେନ୍ନାଇ ସୁପରକିଙ୍ଗସ ଆଇପିଏଲର ଇତିହାସରେ ପ୍ରଥମ ଥର ପାଇଁ ନିଜର ଅଧିନାୟକରେ ପରିବର୍ତ୍ତନ କରିଛି । ଆଇପିଏଲ 2022 ର ଆରମ୍ଭରେ ମହେନ୍ଦ୍ର ସିଂ ଧୋନୀ ଅଧିନାୟକ ପଦ ଛାଡ଼ିବାର ନିଷ୍ପତ୍ତି ନେଇଥିଲେ । ତାଙ୍କ ସ୍ଥାନରେ ମଙ୍ଗ ଧରିଥିଲେ ଅଲରାଉଣ୍ଡର ରବିନ୍ଦ୍ର ଜାଡ଼େଜା । କିନ୍ତୁ ଜାଡ଼େଜା ମଙ୍ଗ ଧରିବା ପରେ ଟିମରେ ଉନ୍ନତି କିଛି ଦେଖାଦେଇନଥିଲା । ଏହାପରେ ପୁଣିଥରେ ଟିମର ଅଧିନାୟକ ପଦ ଧୋନୀଙ୍କ ହାତକୁ ହସ୍ତାନ୍ତର କରାଯାଇଥିଲା ।
ଯେହେତୁ ଧୋନୀଙ୍କ କ୍ରିକେଟ କ୍ୟାରିୟର ଶେଷ ପର୍ଯ୍ୟାୟ ଆଡ଼କୁ ଗତି କରୁଛି, ତେଣୁ ସିଏସକେ ଟିମ ପାଇଁ ଏକ ନୂଆ କ୍ୟାପ୍ଟେନର ଆବଶ୍ୟକତା ରହିଛି । ଯାହାକୁ ନେଇ ବିରେନ୍ଦ୍ର ସେହ୍ୱାଗ ପ୍ରତିକ୍ରିୟା ରଖିଛନ୍ତି ।
ପୂର୍ବତନ ଭାରତୀୟ ବ୍ୟାଟସମ୍ୟାନଙ୍କ କହିବା ଅନୁଯାୟୀ ରୁତୁରାଜ ଗାୟକୱାଡ଼ଙ୍କ ନିକଟରେ ଟିମର ଆଗାମୀ କ୍ୟାପ୍ଟେନ ହେବାର ଦକ୍ଷତା ରହିଛି । ସେ ମହାରାଷ୍ଟ୍ରର ଅଧିନାୟକ ପଦ ସମ୍ଭାଳିଛନ୍ତି । ସେ ମଧ୍ୟ ଶାନ୍ତ ଭାବେ ଖେଳିଥାନ୍ତି । ତାଙ୍କ ନିକଟରେ କ୍ୟାପ୍ଟେନ ହେବାର ସବୁ ଗୁଣ ରହିଛି ।
ସୂଚନାଯୋଗ୍ୟ ଯେ, ରୁତୁରାଜ ଗାଇକୱାଡ୍ ଆଇପିଏଲ୍ 2021 ରେ ଅରେଞ୍ଜ କ୍ୟାପ୍ ଜିତିଥିଲେ। କିନ୍ତୁ ଚଳିତ ବର୍ଷ ତାଙ୍କ ବ୍ୟାଟିଂରେ ନିଶ୍ଚିତ ଭାବରେ ସ୍ଥିରତାର ଅଭାବ ରହିଛି, ତଥାପି ସେ ଚେନ୍ନାଇ ପାଇଁ ସର୍ବାଧିକ ରନ୍ ସ୍କୋରର୍ ଅଟନ୍ତି। ସେହୱାଗ କହିଛନ୍ତି ଯେ ଯଦି ରୁତୁରାଜ 3 ରୁ 4 ଟି ସିଜନରେ ଚେନ୍ନାଇ ପାଇଁ ଭଲ ଖେଳନ୍ତି ତେବେ ସେ ମହେନ୍ଦ୍ର ସିଂ ଧୋନିଙ୍କ ପରେ ଦୀର୍ଘ ସମୟ ଧରି ଚେନ୍ନାଇର ଅଧିନାୟକ ହୋଇପାରିବେ।