ହାଇଦ୍ରାବାଦ ବିପକ୍ଷ ମ୍ୟାଚ ହାରିବା ପରେ ମୁହଁ ଖୋଲିଲେ ରୋହିତ, କହିଲେ ଅର୍ଜୁନ ତେନ୍ଦୁଲକର ଙ୍କୁ କେବେ ମିଳିବ ସୁଯୋଗ
କ୍ରିକେଟ ଖବର : ଆଇପିଏଲ ୨୦୨୨ର ୬୪ତମ ମୁକାବିଲା ମୁମ୍ବାଇ ଇଣ୍ଡିଆନ୍ସ ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଗତକାଲି ୱାଙ୍ଖଡ଼େ ଷ୍ଟାଡ଼ିୟମରେ ୭.୩୦ ସମୟରେ ଖେଳାଯାଇଥିଲା। ରାହୁଲ ତ୍ରିପାଠୀଙ୍କ ୭୬ ରନ ସହାୟତାରେ ହାଇଦ୍ରାବାଦ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୬ ୱିକେଟ୍ ହରାଇ ୧୯୩ ରନ ସଂଗ୍ରହ କରିଥିଲା । ୧୯୪ ରନ ଟାର୍ଗେଟକୁ ପିଛା କରି ମୁମ୍ବାଇ ଇଣ୍ଡିଆନ୍ସ ୨୦ ଓଭରରେ ୭ ୱିକେଟ୍ ହରାଇ ୧୯୦ ରନ୍ ସଂଗ୍ରହ କରିଥିଲା। ତେବେ ସନରାଇଜର୍ସ ହାଇଦ୍ରାବାଦ ଦଳ ୩ ରନ୍ ରେ ଏହି ମ୍ୟାଚ ଜିତିଥିଲା।
ସନରାଇଜର୍ସ ବିପକ୍ଷ ମ୍ୟାଚରେ ହାରିବା ପରେ ମୁମ୍ବାଇ କ୍ୟାପ୍ଟେନ ରୋହିତ ଶର୍ମା କହିଛନ୍ତି ଯେ:
"ମୋତେ ଲାଗୁଥିଲା ଶେଷ ଓଭର ପର୍ଯ୍ୟନ୍ତ ଆମ ପକ୍ଷରେ ମ୍ୟାଚ ରହିଥିଲା । କିନ୍ତୁ ଦୁର୍ଭାଗ୍ୟବସତ ଏହା ହୋଇପାରିଲା ନାହିଁ । ତେଣୁ ଭବିଷ୍ୟତକୁ ଦେଖି କିଛି ଜିନିଷ ଆପଣାଇବାର ଅଛି।"
ରୋହିତ ଆହୁରି ମଧ୍ୟ କହିଛନ୍ତି ଯେ, ଶେଷ ଦୁଇଟି ଓଭର ପର୍ଯ୍ୟନ୍ତ, ମୁଁ ଭାବିଲି ଆମ ହାତରେ ଖେଳ ଅଛି। ଦୁର୍ଭାଗ୍ୟବଶତଃ ଟିମ୍ ଡେଭିଡଙ୍କ ରନ୍ଆଉଟ୍ ହୋଇଥିଲେ। କିନ୍ତୁ ଆମେ ଭାବୁଥିଲୁ ସେହି ରନ୍ଆଉଟ୍ ପର୍ଯ୍ୟନ୍ତ ଆମେ ଖେଳରେ ବହୁତ ଆଗରୁ ଥିଲୁ। ଦୁଇ ଓଭରରେ ୧୯ ରନ ଆମ ପାଇଁ ସହଜ ମନେ ହେଉଥିଲା। କିନ୍ତୁ ଶେଷରେ ସବୁ ଓଲଟପାଲଟ ହୋଇଗଲା। ହାଇଦ୍ରାବାଦର ବୋଲରମନେ ଭଲ ପ୍ରଦର୍ଶନ କଲେ। ଏହା ଅତ୍ୟନ୍ତ ତିକ୍ତତା ପୂର୍ଣ୍ଣ ମୁହୂର୍ତ୍ତ ଥିଲା।
ଆଗକୁ ଥିବା ମୁମ୍ବାଇ ର ଅନ୍ତିମ ମ୍ୟାଚ କୁ ନେଇ ରୋହିତ କହିଲେ, ଭବିଷ୍ୟତକୁ ଦୃଷ୍ଟିରେ ରଖି ଆମେ କିଛି ଜିନିଷ ନୂଆ କରିବାକୁ ଚେଷ୍ଟା କରିବୁ। ଅନ୍ତିମ ମ୍ୟାଚ ରେ ସର୍ବଶ୍ରେଷ୍ଠ ପଦର୍ଶନ କରିବୁ ଏବଂ କିଛି ନୂଆ ଖେଳାଳିଙ୍କୁ ସୁଯୋଗ ଦେବାକୁ ଚେଷ୍ଟା କରିବୁ।
ତେବେ ରୋହିତ ସିଧା ଅର୍ଜୁନ ତେନ୍ଦୁଲକରଙ୍କ ନାମ ନ ନେଇ ଏହା କହିଛନ୍ତି ଯେ କିଛି ନୂଆ ଖେଳାଳିଙ୍କୁ ସୁଯୋଗ ଦେବୁ । ତେବେ ଏହା ସମୟ ହିଁ କହିବ, ସଚିନଙ୍କ ପୁଅ ଅର୍ଜୁନ ଙ୍କୁ କେବେ ମୁମ୍ବାଇ ପାଇଁ ଖେଳାଇବାକୁ ସୁଯୋଗ ମିଳିବ ।