ଏହି ମହାନ ଭାରତୀୟ ଖେଳାଳିଙ୍କ ଅଧିନାୟକତ୍ୱରେ ଖେଳିବା ଅଟେ ରଶିଦ୍ ଖାନ୍ ଙ୍କ ସ୍ବପ୍ନ, ସେ କହିଲେ ନିଜର ମନର କଥା
କ୍ରିକେଟ୍ ଖବର : ଆଫଗାନିସ୍ତାନ କ୍ରିକେଟ୍ ଦଳର ଷ୍ଟାର୍ ସ୍ପିନର ରଶିଦ୍ ଖାନ୍ କହିଛନ୍ତି ଯେ ସେ ପରିସ୍ଥିତିକୁ ନେଇ କେବେ ଚିନ୍ତା କରନ୍ତି ନାହିଁ ଏବଂ ଭଲ ପ୍ରଦର୍ଶନ କରିବା ପାଇଁ ନିଜ ଉପରେ ଚାପ ପକାଇବା ପରିବର୍ତ୍ତେ ତାଙ୍କ ପ୍ରସ୍ତୁତି ଏବଂ ଦକ୍ଷତା ଉପରେ ଧ୍ୟାନ ଦିଅନ୍ତି। ଆଫଗାନିସ୍ତାନର ଅନ୍ୟତମ ସଫଳ କ୍ରିକେଟର ହେଉଛନ୍ତି ରଶିଦ୍ ଖାନ୍। ସେ ଆସନ୍ତା ଶନିବାର ଠାରୁ ଆରମ୍ଭ ହେବାକୁ ଥିବା ଆଇପିଏଲର ୧୫ ତମ ସିଜନରେ ଗୁଜୁରାଟ ଟାଇଟାନ୍ସ ଦଳ ପାଇଁ ଖେଳିବେ। ଏହାପୂର୍ବରୁ ସେ ସନରାଇଜର୍ସ ହାଇଦ୍ରାବାଦ ଦଳରେ ଖେଳୁଥିଲେ। ସେ ହାଇଦ୍ରାବାଦ ଦଳର ଗୁରୁତ୍ୱପୂର୍ଣ୍ଣ ଖେଳାଳିଥିଲେ। ତେବେ ଚଳିତବର୍ଷ ଆଇପିଏଲର ଅଧିକାଂଶ ମ୍ୟାଚ୍ ମୁମ୍ବାଇରେ ଅନୁଷ୍ଠିତ ହେବ ଯେଉଁଠାରେ ସ୍ପିନରମାନେ ସାହାଯ୍ୟ ପାଇବେ ବୋଲି ଆଶା କରାଯାଉଛି, କିନ୍ତୁ ଖାନ କହିଛନ୍ତି ଯେ ସେ ଏହା ବିଷୟରେ ଚିନ୍ତା କରୁନାହାଁନ୍ତି।
ସେ କହିଛନ୍ତି ଯେ, “ମୁଁ ଦୁବାଇ ପିଚରେ ବହୁତ ଖେଳିଛି, କିନ୍ତୁ ମୁମ୍ବାଇ ପିଚ ସ୍ପିନରମାନଙ୍କୁ ସୁହାଇବ ବୋଲି ଆଲୋଚନା ହେଉଛି। କିନ୍ତୁ ମୁଁ ଏହି ବିଷୟରେ ଅଧିକ ଚିନ୍ତା କରୁ ନାହିଁ। ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ମୁଁ ମୋର ପ୍ରସ୍ତୁତି ଏବଂ ଖେଳ ଉପରେ ଧ୍ୟାନ ଦେଉଛି। ମିଷ୍ଟର୍ ଖାନ୍ ଗଣମାଧ୍ୟମ ସହିତ ଏକ ଭର୍ଚୁଆଲ୍ ବାର୍ତ୍ତାଳାପରେ କହିଛନ୍ତି ଯେ ମୁଁ କଦାପି ଭାବି ନଥାଏ ଯେ ସବୁକିଛି ମୋ ଉପରେ ନିର୍ଭର କରେ ଏବଂ ମୋତେ ହିଁ ମ୍ୟାଚ୍ ଜିତିବାକୁ ପଡିବ।
ତେବେ ଯେତେବେଳେ ଜଣେ ଖେଳାଳି ଏସବୁ ବିଷୟରେ ଚିନ୍ତା କରିବା ଆରମ୍ଭ କରେ, ସେତେବେଳେ ଖେଳ ପ୍ରଭାବିତ ହୁଏ। ଖେଳ ନକରାତ୍ମକ ଦିଗକୁ ଗତି କରେ। ଖେଳରେ ମୁଁ ମୋର ଶତପ୍ରତିଶତ ଦେବାକୁ ଚେଷ୍ଟା କରେ, ଫଳାଫଳ ମୋ ହାତରେ ନାହିଁ କିନ୍ତୁ ମୁଁ ପ୍ରକ୍ରିୟା ଉପରେ ଧ୍ୟାନ ଦେଇଥାଏ | ମୁଁ କଦାପି ଅତିରିକ୍ତ ଚାପ ନେଇ ନ ଥାଏ।
ସେ ଗଣମାଧ୍ୟମକୁ ଆହୁରି ମଧ୍ୟ କହିଛନ୍ତି ଯେ, “ଆଇପିଏଲ ହେଉଛି ଏକ ବଡ଼ ଆଉ ଲୋକପ୍ରିୟ ଟୁର୍ଣ୍ଣାମେଣ୍ଟ। ଯେଉଁଥିରେ ମାନସିକ ଶକ୍ତି ଆବଶ୍ୟକ ହୋଇଥାଏ। ମୁଁ ସର୍ବଦା ମୋ ଦଳର ସାଥୀମାନଙ୍କ ସହିତ ମୋର ଅଭିଜ୍ଞତା ବାଣ୍ଟିବାକୁ ଚେଷ୍ଟା କରିଥାଏ। ତାଙ୍କର ପ୍ରିୟ ଆଇପିଏଲ ଦଳ ବିଷୟରେ ପଚରାଯାଇଥିବା ପ୍ରଶ୍ନକୁ ସେ ଚତୁରତାର ସହ ଏଡ଼ାଇ ଯାଇଥିଲେ କିନ୍ତୁ ମହେନ୍ଦ୍ର ସିଂ ଧୋନିଙ୍କ ଅଧିନାୟକତ୍ୱରେ ଖେଳିବା ତାଙ୍କର ସ୍ୱପ୍ନ ବୋଲି କହିଥିଲେ।
ସେ କହିଛନ୍ତି, ମୁଁ ବର୍ତ୍ତମାନ ଗୁଜୁରାଟ ପାଇଁ ଖେଳୁଛି ତେଣୁ ଏହା ମୋର ଦଳ, ମୁଁ ମୋର ଚେଷ୍ଟା କରିବି ଦଳ ପାଇଁ ଭଲ ପ୍ରଦର୍ଶନ କରିବା ପାଇଁ। ଯଦିଓ ପ୍ରତ୍ୟେକ ଖେଳାଳିଙ୍କ ସ୍ୱପ୍ନ ହେଉଛି ମହେନ୍ଦ୍ର ସିଂ ଧୋନିଙ୍କ ଅଧିନାୟକତ୍ୱରେ ଖେଳିବା, କିନ୍ତୁ ବର୍ତ୍ତମାନ ମୁଁ ଗୁଜୁରାଟ ପାଇଁ ଖେଳୁଛି ଏବଂ ଏହା ମୋ ପାଇଁ ଗର୍ବର ବିଷୟ।