IPL 2022: ଚହଲ ଓ ହସରାଙ୍ଗଙ୍କ ପାଇଁ ବିପଦ ସାଜିଲେଣି ଉମ୍ରାନ୍, ଦେଖନ୍ତୁ ପର୍ପଲ କ୍ୟାପର ଫ୍ରେଶ ଲିଷ୍ଟ
କ୍ରିକେଟ ଖବର : ଆଇପିଏଲ୍ ୨୦୨୨ରେ ପ୍ରତ୍ୟେକ ଦଳ ଦମଦାର୍ ପ୍ରଦର୍ଶନ କରୁଛନ୍ତି। ପ୍ରତ୍ୟେକ ଦଳର ବୋଲର୍ ଆଉ ବ୍ୟାଟ୍ସମ୍ୟାନ୍ ନିଜ ନିଜ ଦଳକୁ ବିଜୟ ପ୍ରଦାନ କରିବା ପାଇଁ ସଂଘର୍ଷ କରୁଛନ୍ତି। ତେବେ ଚଳିତ ଆଇପିଏଲରେ ବୋଲରଙ୍କର ଦବଦବା ଅଧିକ ଥିବା ଦେଖିବାକୁ ମିଳିଛି। ଯାହାକି ପର୍ପଲ କ୍ୟାପ୍ ତାଲିକାକୁ ଦେଖିଲେ ସ୍ପଷ୍ଟ ଜଣାପଡୁଛି। ଗୋଟିଏ ପଟେ ଅରେଞ୍ଜ କ୍ୟାପ ପାଇଁ ତାଲିକାର ପ୍ରଥମ ଆଉ ଦ୍ୱିତୀୟ ଖେଳାଳି ମଧ୍ୟରେ ରନ ବ୍ୟବଧାନ ଦୁଇଶହ ପାଖାପାଖି ଥିବା ବେଳେ, ଅନ୍ୟପଟେ ପର୍ପଲ କ୍ୟାପ୍ ଦୌଡ଼ରେ ତାଲିକାର ପ୍ରଥମ,ଦ୍ଵିତୀୟ, ତୃତୀୟ ଆଉ ଚତୁର୍ଥ ଖେଳାଳିଙ୍କ ମଧ୍ୟରେ ୱିକେଟ୍ ବ୍ୟବଧାନ ଗୋଟିଏ ଗୋଟିଏ ରହିଛି।
ଇଣ୍ଡିଆନ୍ ପ୍ରିମିୟର ଲିଗ୍ ର ବର୍ତ୍ତମାନର ସିଜନରେ ସନରାଇଜର୍ସ ହାଇଦ୍ରାବାଦ ଦଳର ଯୁବ ଦ୍ରୁତ ବୋଲର ଉମ୍ରାନ ମଲିକଙ୍କ ପାଇଁ ବହୁତ ଭଲ ଚାଲିଛି। ସେ ଚଳିତ ବର୍ଷ ପ୍ରାୟ ସମସ୍ତ ମ୍ୟାଚ୍ରେ ୱିକେଟ୍ ନେଇଥିବାରୁ ସେ ପର୍ପଲ କ୍ୟାପ୍ସ ତାଲିକାରେ ଏକ ବଡ଼ ପରିବର୍ତ୍ତନ ଆଣିଛନ୍ତି। ବର୍ତ୍ତମାନ ଏହି ତାଲିକାରେ ୟୁଜଭେନ୍ଦ୍ର ଚହଲ ଏବଂ ୱାନିନ୍ଦୁ ହସରାଙ୍ଗାଙ୍କ ଭଳି ଖେଳାଳିଙ୍କ ପାଇଁ ଉମ୍ରାନ ମଲିକ ମଧ୍ୟ ବିପଦ ପାଲଟିଛନ୍ତି।
ଆଇପିଏଲ୍ ୨୦୨୨ ର ୬୫ ତମ ମ୍ୟାଚ୍ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଖେଳାଯାଇଥିଲା। ଏହି ମ୍ୟାଚକୁ SRH ଦଳ ତିନି ରନରେ ଜିତିଥିଲା। ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚରେ ୩ ଓଭର ବୋଲିଂ କରି ହାଇଦ୍ରାବାଦ ଦଳର ଦ୍ରୁତ ବୋଲର ଉମ୍ରାନ ମଲିକ ୨୩ ରନ ବ୍ୟୟ କରି ୩ଟି ଗୁରୁତ୍ୱପୂର୍ଣ୍ଣ ୱିକେଟ୍ ନେଇଛନ୍ତି। ସେହି ସମୟ ମଧ୍ୟରେ ସେ ଇଶାନ କିଶାନ, ଡାନିଏଲ ସାମସ ଏବଂ ତିଲକ ବର୍ମାଙ୍କ ଭଳି ଖେଳାଳିଙ୍କୁ ଆଉଟ୍ କରି ପ୍ୟାଭିଲିୟନକୁ ପଠାଇଥିଲେ। ଏହା ସହ ଉମ୍ରାନ୍ ମଲିକ୍ ଇଣ୍ଡିଆନ୍ ପ୍ରିମିୟର ଲିଗ୍ ୨୦୨୨ରେ ମୋଟ ୨୧ଟି ୱିକେଟ୍ ନେଇ ସାରିଲେଣି, ଏହି କାରଣରୁ ସେ ବର୍ତ୍ତମାନ ଏହି ତାଲିକାରେ ଚତୁର୍ଥ ସ୍ଥାନରେ ପହଞ୍ଚିଛନ୍ତି।
ଅନ୍ୟପକ୍ଷରେ ଚଳିତ ସିଜନରେ ୨୪ ଟି ୱିକେଟ୍ ନେଇ ପର୍ପଲ କ୍ୟାପ ତାଲିକାରେ ୟୁଜଭେନ୍ଦ୍ର ଚହଲ ପ୍ରଥମ ସ୍ଥାନରେ ଅଛନ୍ତି। ଦ୍ୱିତୀୟ ସ୍ଥାନରେ ୨୩ଟି ୱିକେଟ୍ ନେଇ ୱାନିନ୍ଦୁ ହାସରାଙ୍ଗା ଏବଂ ତୃତୀୟ ସ୍ଥାନରେ ଥିବା କାଗିସୋ ରାବାଡା ୨୨ଟି ୱିକେଟ୍ ନେଇଛନ୍ତି। ଏହି କାରଣରୁ, ଯଦି ଉମ୍ରାନ୍ ମଲିକ୍ ଆଗାମୀ ମ୍ୟାଚ୍ ଗୁଡିକରେ ଭଲ ବୋଲିଂ କରନ୍ତି, ତେବେ ସେ ପ୍ରଥମ ସ୍ଥାନକୁ ଯାଇପାରନ୍ତି। ଏହି ପର୍ପଲ କ୍ୟାପ ତାଲିକାରେ ଚହଲଙ୍କୁ ପଛରେ ପକାଇବେ ଆଉ ପର୍ପଲ କ୍ୟାପ୍ ବିଜେତା ମଧ୍ୟ ହେବେ।