ଜଣାପଡିଲା ପ୍ରକୃତ କାରଣ! ଏଥିପାଇଁ ଅବସର ନେବାକୁ ବାଧ୍ୟ ହେଲେ ଅଶ୍ୱିନ…..
ଭାରତ ଅଷ୍ଟ୍ରେଲିଆରେ ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳୁଛି। ଏହି ସିରିଜର ତୃତୀୟ ମ୍ୟାଚ୍ ଲଗାଣ ବର୍ଷା ହେତୁ ଡ୍ର ଭାବରେ ସମାପ୍ତ ହୋଇଛି। ଏହି ମ୍ୟାଚ୍ ସମୟରେ ଭାରତ ବଡ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଜଣେ ଭେଟେରାନ ଖେଳାଳି ହଠାତ୍ ଅବସର ନେବାକୁ ନିଷ୍ପତ୍ତି ନେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି। ତାଙ୍କ ନିଷ୍ପତ୍ତି ପରେ କେବଳ ତାଙ୍କ ସାଥୀ ନୁହଁନ୍ତି ବରଂ ଭାରତୀୟ ପ୍ରଶଂସକମାନେ ମଧ୍ୟ ନିରାଶ ହୋଇଛନ୍ତି। ସେହି ଖେଳାଳି କିମ୍ବଦନ୍ତୀ ସ୍ପିନ୍ ବୋଲର ଆର ଅଶ୍ୱିନ ଅଟନ୍ତି। ଗାବ୍ବା ଟେଷ୍ଟ ପରେ ସେ ଅବସର ଘୋଷଣା କରିଛନ୍ତି।
ସମସ୍ତେ ତାଙ୍କ ନିଷ୍ପତ୍ତି ପଛରେ ଥିବା କାରଣ ଜାଣିବାକୁ ଚାହାଁନ୍ତି। ସେ ସହଜରେ ଆହୁରି ୧ ରୁ ୩ ବର୍ଷ ପର୍ଯ୍ୟନ୍ତ କ୍ରିକେଟ୍ ଖେଳି ପାରିଥାନ୍ତେ। କିନ୍ତୁ, ସେ ଅବସର ନେବାକୁ ସ୍ଥିର କରିଛନ୍ତି। କିନ୍ତୁ ତାଙ୍କୁ କାହିଁକି ଏହି ପଦକ୍ଷେପ ନେବାକୁ ପଡିଲା ତାହା ଆସନ୍ତୁ ଜାଣିବା।
ଅଷ୍ଟ୍ରେଲିଆରେ ଖେଳାଯାଉଥିବା ବର୍ଡର ଗାଭାସ୍କର ଟ୍ରଫିରେ ଆର ଅଶ୍ୱିନ ଟିମ୍ ଇଣ୍ଡିଆ ଦଳର ଏକ ଅଂଶ ଥିଲେ। କିନ୍ତୁ, ସେ ନିଜେ ତୃତୀୟ ଟେଷ୍ଟ ମ୍ୟାଚ୍ ସମୟରେ ନିଜ କ୍ରିକେଟ୍ କ୍ୟାରିୟର ଉପରେ ବିରାମ ଦେଇଛନ୍ତି। କଷ୍ଟସାଧ୍ୟ ପରିସ୍ଥିତିରେ ଟିମ୍ ଇଣ୍ଡିଆକୁ ଜିତାଇଥିବା ଅଶ୍ୱିନଙ୍କୁ ଆଉ ଭାରତୀୟ ଜର୍ସିରେ ଖେଳୁଥିବା ଦେଖିବାକୁ ମିଳିବନାହିଁ। ଯାହାକି କୋଟି କୋଟି ପ୍ରଶଂସକଙ୍କ ଆଖିରେ ଲୁହ ଆଣି ଦେଇଛି। ତଥାପି, ଶେଷରେ ଜଣେ ଖେଳାଳିଙ୍କୁ ଅବସର ଗ୍ରହଣ କରିବାର ନିଷ୍ପତ୍ତି ନେବାକୁ ପଡେ। ତେବେ, ଅଶ୍ୱିନଙ୍କୁ ତାଙ୍କର ଉଜ୍ଜ୍ୱଳ କ୍ୟାରିୟର ପାଇଁ ସର୍ବଦା ସ୍ମରଣ କରାଯିବ।
ବର୍ତ୍ତମାନ ଟିଭି ଚ୍ୟାନେଲରୁ ଆରମ୍ଭ କରି କ୍ରିକେଟ୍ ସର୍କଲ ପର୍ଯ୍ୟନ୍ତ ଆର ଅଶ୍ୱିନଙ୍କ ଅବସର ନେଇ ଅନେକ ଆଲୋଚନା ହେଉଛି। BGTର ତୃତୀୟ ମ୍ୟାଚ୍ ସମୟରେ ସେ ଅବସର ଘୋଷଣା କରିବେ ବୋଲି କେହି କଳ୍ପନା ମଧ୍ୟ କରିନଥିଲେ। ଡ୍ରେସିଂ ରୁମରେ ଅଶ୍ୱିନ ବେସ୍ ଭାବପ୍ରବଣ ହେଉଥିବା ଦେଖିବାକୁ ମିଳିଥିଲା।
ତେବେ, ସବୁଠାରୁ ବଡ଼ ପ୍ରଶ୍ନ ହେଉଛି ଅଶ୍ୱିନ ଏତେଶୀଘ୍ର ଅବସର ନେଲେ କାହିଁକି? ସେ ଚୟନ ପ୍ରକ୍ରିୟାକୁ ନେଇ ଖୁସି ନଥିବା ଶୁଣିବାକୁ ମିଳୁଛି। ପ୍ରଥମ ଟେଷ୍ଟ ନ ଖେଳିବା ପରେ ତାଙ୍କୁ ଦ୍ଵିତୀୟ ଟେଷ୍ଟରେ ସୁଯୋଗ ମିଳିଥିଲା। କିନ୍ତୁ, ତୃତୀୟ ଟେଷ୍ଟରେ ତାଙ୍କୁ ପୁଣିଥରେ ଡ୍ରପ୍ କରାଯାଇଥିଲା। ଏଭଳି ପରିସ୍ଥିତିରେ ସେ କ୍ଷୋଭରେ ଅବସର ନେଇ ନାହାଁନ୍ତି ତ? ଏହା ଏକ ବଡ଼ ପ୍ରଶ୍ନ ଅଟେ। ଅନ୍ୟପକ୍ଷରେ ଆଗକୁ ଭାରତର ଘରେ କୌଣସି ଟେଷ୍ଟ ସିରିଜ ନାହିଁ। ବିଦେଶରେ ଅଶ୍ୱିନଙ୍କୁ ମୌକା ମିଳୁନଥିବା ହେତୁ ସେ ବାଧ୍ୟ ହୋଇ ଅବସର ନେଇଥିବା କୁହାଯାଉଛି।
ଅନ୍ୟପକ୍ଷରେ ଅଷ୍ଟ୍ରେଲିଆରେ ଦୁଇ ଦୁଇଟି ସ୍ପିନର୍ ଖେଳାଇବା ଭାରତ ପାଇଁ ଏକ ବୋକାମି ହେବ ନିଶ୍ଚିତ। ରବୀନ୍ଦ୍ର ଜାଡେଜା ମଧ୍ୟ ନିଜ ବ୍ୟାଟିଂ ବଳରେ ଦଳରେ ଏକପ୍ରକାର ନିଜ ସ୍ଥାନ ପକ୍କା କରି ଦେଇଛନ୍ତି। ତେଣୁ ଅଶ୍ୱିନ ତୃତୀୟ ଟେଷ୍ଟ ସରିବା ପରେ ହିଁ ଅବସର ଘୋଷଣା କରିଛନ୍ତି। ଏଥିସହିତ ଅଶ୍ୱିନ ଏବେ ଭାରତ ନିଜ ଘରକୁ ପ୍ରତ୍ୟାବର୍ତ୍ତନ କରିଥିବା ଜଣାପଡ଼ିଛି।