କୋହଲିଙ୍କୁ ପଛରେ ପକାଇ ବିଶ୍ୱ ରେକର୍ଡ ଭାଙ୍ଗିଲେ ତିଲକ ବର୍ମା, ଜାଣନ୍ତୁ ଏହି ରେକର୍ଡ ବିଷୟରେ

  1. Home
  2. T20 Cricket

କୋହଲିଙ୍କୁ ପଛରେ ପକାଇ ବିଶ୍ୱ ରେକର୍ଡ ଭାଙ୍ଗିଲେ ତିଲକ ବର୍ମା, ଜାଣନ୍ତୁ ଏହି ରେକର୍ଡ ବିଷୟରେ


ଟି-୨୦ ସିରିଜ୍‌ର ଦ୍ୱିତୀୟ ମ୍ୟାଚ୍‌: ଗତକାଲି ଚେନ୍ନାଇର ଏମ.ଏ ଚିଦାମ୍ବର ଷ୍ଟାଡିୟମ୍‌ରେ ଖେଳା ଯାଇଥିଲା ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜ୍‌ର ଦ୍ୱିତୀୟ ମ୍ୟାଚ୍‌ । ଯେଉଁଥିରେ ବିଶ୍ୱ ରେକର୍ଡ କରିଛନ୍ତି ତିଲକ ବର୍ମା। ତା’ ସହିତ ପ୍ରଥମ ଭାରତୀୟ ବ୍ୟାଟର ଭାବେ ସେ ବିରାଟ କୋହଲିଙ୍କ ରେକର୍ଡ ଭାଙ୍ଗି ଦେଇଛନ୍ତି।

ଶନିବାର ଚେପକରେ ଖେଳାଯାଇଥିବା ମ୍ୟାଚ୍‌ରେ ଅଭିଷେକ ଶର୍ମା, ସଞ୍ଜୁ ସାମସନ, ସୂର୍ଯ୍ୟ କୁମାର ଯାଦବ ଆଉଟ ହୋଇଯିବା ପରେ ଦଳର ଭାର ସମ୍ଭାଳିଥିଲେ ତିଲକ ବର୍ମା। ସେ ନଟ୍‌ ଆଉଟ୍ ରହି ୭୨ ରନ୍‌ର ବିସ୍ଫୋରକ ଇନିଂସ୍‌ ଖେଳିଥିଲେ। ଲଗାତର ଭାବେ ନଟ୍ ଆଉଟ୍ ରହି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ସର୍ବାଧିକ ସ୍କୋର କରିବାରେ ସେ ଭାରତ ତଥା ବିଶ୍ୱର ନମ୍ବର ୱାନ୍ ବ୍ୟାଟର ହୋଇଛନ୍ତି। 

ତିଲକ ବିରାଟ କୋହଲିଙ୍କ ରେକର୍ଡ ମଧ୍ୟ ଭାଙ୍ଗି ଦେଇଛନ୍ତି। ସେ କ୍ରମାଗତ ୪ ଟି-୨୦ ଅନ୍ତର୍ଜାତୀୟ ଇନିଂସରେ ନଟ୍ ଆଉଟ୍ ରହି ସର୍ବାଧିକ ୩୧୮ ରନ୍‌ କରିଥିବା ପ୍ରଥମ ଭାରତୀୟ ବ୍ୟାଟର ହୋଇଛନ୍ତି। ଏହା ପୂର୍ବରୁ ବିରାଟ କୋହଲି (୨୫୮), ସଞ୍ଜୁ ସାମସନ (୨୫୭), ରୋହିତ ଶର୍ମା (୨୫୩) ଏବଂ ଶିଖର ଧାୱନ (୨୫୨) ରନ୍ କରିଥିଲେ। 

ଏହା ପୂର୍ବରୁ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ନଟ୍ ଆଉଟ୍ ରହି ସର୍ବାଧିକ ରନ୍ କରିବାର ରେକର୍ଡ ନ୍ୟୁଜିଲାଣ୍ଡର ମାର୍କ ଚାପମ୍ୟାନ ନାଁରେ ରହିଥିଲା। ସେ ବିନା ଆଉଟ ହୋଇ ସର୍ବାଧିକ ୨୭୧ ରନ୍ କରିଥିଲେ। ଚାପମ୍ୟାନ୍‌ଙ୍କ ପରେ ଶ୍ରେୟସ ଆୟର ଓ ଆରୋନ ଫିଞ୍ଚ୍ ନଟ୍‌ ଆଉଟ ରହି ୨୪୦ ଲେଖାଏ ରନ୍ କରିଥିବା ବେଳେ ଡେଭିଡ୍ ୱାର୍ଣ୍ଣରଙ୍କ ୨୩୯ ରନ୍ କରିଥିଲେ।  

ବାମ ହାତୀ ବ୍ୟାଟ କରୁଥିବା ତିଲକ ପୂର୍ବ ତିନୋଟି ଟି-୨୦ ଇନିଂସରେ ୧୯*, ୧୨୦* ଏବଂ ୧୦୭* ରନ୍ କରିଥିଲେ। ହେଲେ ଶନିବାର ମ୍ୟାଚ୍‌ରେ ସେ ୫୫ ବଲରୁ ଅପରାଜିତ ୭୨ ରନ୍‌ର ଇନିଂସ ଖେଳି ଟିମ୍ ଇଣ୍ଡିଆ କୁ ମ୍ୟାଚ୍‌ ରେ ୨ ୱିକେଟ୍‌ରେ ଜିତାଇଥିଲେ। ଏହି ବିଜୟ ପରେ ଇଂଲଣ୍ଡ ଦଳ ୫ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌ରେ ୨-0 ରେ ପଛୁଆ ରହିଛି। ଇଂଲଣ୍ଡ ବିପକ୍ଷ ତୃତୀୟ ମ୍ୟାଚ୍‌ରେ ଯଦି ସେ ଏହିପରି ଭଲ ପ୍ରଦର୍ଶନ କରନ୍ତି, ତେବେ ତାଙ୍କ ରେକର୍ଡ ଭାଙ୍ଗିବା ଅନ୍ୟ ବ୍ୟାଟରଙ୍କ ପ୍ରତି କଷ୍ଟକର ହୋଇପଡିବ।