ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ଫାଇନାଲରେ ପହଞ୍ଚିଲା ନ୍ୟୁଜିଲ୍ୟାଣ୍ଡ, ଫାଇନାଲ ରେ ଭାରତ ସହ ନେବ ଟକର...

  1. Home
  2. ODI Cricket

ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ଫାଇନାଲରେ ପହଞ୍ଚିଲା ନ୍ୟୁଜିଲ୍ୟାଣ୍ଡ, ଫାଇନାଲ ରେ ଭାରତ ସହ ନେବ ଟକର...


ଭାରତ-ନ୍ୟୁଜିଲାଣ୍ଡ୍‌ ଫାଇନାଲ୍‌:  ଚଳିତ ଆଇସିସି ଚାମ୍ପିଅନ୍ସ ଟ୍ରଫିର ଫାଇନାଲ୍‌ ରବିବାର ଦିନ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ହେବାକୁ ଯାଉଛି । ମଙ୍ଗଳବାର ପ୍ରଥମ ସେମିଫାଇନାଲ୍‌ରେ ଭାରତ ୪ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିବା ବେଳେ ବୁଧବାର ଦ୍ବିତୀୟ ସେମିଫାଇନାଲ୍‌ରେ ନ୍ୟୁଜିଲାଣ୍ଡ୍‌ ୫୦ ରନ୍‌ରେ ଦକ୍ଷିଣ ଆଫ୍ରିକାକୁ ହରାଇଛି। 

ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ନ୍ୟୁଜିଲାଣ୍ଡ୍‌ ଆଇସିସି ଚାମ୍ପିଅନ୍ସ ଟ୍ରଫି ଇତିହାସରେ ୩୬୨/୬ର ସର୍ବୋଚ୍ଚ ସ୍କୋର୍‌ ଛିଡ଼ା କରି ଦେଇଥିଲା। ପୂର୍ବ ସର୍ବୋଚ୍ଚ ସ୍କୋର୍‌ ସେହି ଲାହୋରଠାରେ ଚଳିତ ସଂସ୍କରଣରେ ଅଷ୍ଟ୍ରେଲିଆ (୩୫୬/୫ ବନାମ ଇଂଲଣ୍ଡ) ସ୍କୋର୍‌ କରିଥିଲା। ଶୀର୍ଷକ୍ରମରେ ରାଚିନ ରବୀନ୍ଦ୍ର (୧୦୧ ବଲ୍‌ରୁ ୧୦୮ ରନ୍, ୧୩ ଚୌକା, ୧ ଛକା) ଓ କେନ୍ ୱିଲିୟମସନ୍ (୯୪ ବଲ୍‌ରୁ ୧୦୨ ରନ୍, ୧୦ ଚୌକା, ୨ ଛକା)ଙ୍କ ଶତକ ଏବଂ ୧୬୪ ରନ୍ ଭାଗୀଦାରି ବଳରେ ଏହି ବିଶାଳ‌ ସ୍କୋର୍‌ ସମ୍ଭବ ହୋଇଥିଲା। 

ମଧ୍ୟକ୍ରମରେ ଡାରିଲ୍ ମିଚେଲ୍ (୩୭ ବଲ୍‌ରୁ ୪୯ ରନ୍) ଓ ଗ୍ଲେନ୍ ଫିଲିପ୍ସ (୨୭ ବଲ୍‌ରୁ ୪୯* ରନ୍) ମଧ୍ୟ ଏହି ପାଳିକୁ ଦ୍ରୁତ ଗତିରେ ୩୫୦ ରନ୍ ପାର୍‌ କରାଇ ଦେଇଥିଲେ। ଶେଷ ୨୭ ବଲ୍‌ରୁ ନ୍ୟୁଜିଲାଣ୍ଡ୍‌ ୬୨ ରନ୍ ଯୋଡ଼ିଥିଲା। ନିଜ ନିଜ ୧୦ ଓଭର କୋଟାରେ ମାର୍କୋ ୟାନ୍‌ସେନ୍ (୭୯), ଲୁଙ୍ଗି ଏନ୍‌ଗିଡି (୭୨), କାଗିସୋ ରବାଡ଼ା (୭୦), କେଶକ ମହାରାଜ (୬୫) ପ୍ରଚୁର ରନ୍ ବ୍ୟୟ କରିବା ଦକ୍ଷିଣ ଆଫ୍ରିକାକୁ ସୁଯୋଗ ଦେଇ ନଥିଲା।

ଜବାବରେ ଡେଭିଡ୍‌ ମିଲର୍‌ ଶେ‌ଷ ବଲ୍‌ରୁ ୨ ରନ୍‌ ନେଇ ଶତକ (୬୭ ବଲ୍‌ରୁ ୧୦୦* ରନ୍‌,‌ ୧୦ ଚୌକା, ୪ ଛକା) ପୂର୍ଣ୍ଣ କରିଥିଲେ ମଧ୍ୟ ଏହା ଫଳାଫଳ ଉପ‌ରେ କୌଣସି ଫରକ ପକାଇପାରି ନଥିଲା। ପୂର୍ବରୁ ରାଶି ଭାନ୍ ଦେର୍ ଦୁସେନ୍ (୬୯ ରନ୍‌), ଅଧିନାୟକ ତେମ୍ବା ବଭୂମା (୫୬ ରନ୍) ଅର୍ଦ୍ଧଶତକୀୟ ପାଳି‌ ଖେଳିଥିଲେ ମଧ୍ୟ ଦକ୍ଷିଣ ଆଫ୍ରିକା ପାଇଁ କେବେ ବିଜୟ ସମ୍ଭାବନା ସୃଷ୍ଟି କରିପାରି ନଥିଲା। ଅଧିନାୟକ ମିଚେଲ୍ ସାଣ୍ଟନର୍‌ଙ୍କ ନେତୃତ୍ବରେ ନ୍ୟୁଜିଲାଣ୍ଡ୍‌ ସ୍ପିନର୍ ଦକ୍ଷିଣ ଆଫ୍ରିକାର ସର୍ବାଧିକ କ୍ଷତି ଘଟାଇଥିଲେ। ଶତକ ସହ ‌ଗୋଟିଏ ୱିକେଟ୍‌‌ ନେଇଥିବା ରାଚିନ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।

୧୯୯୮ ମସିହାର ପ୍ରଥମ ସଂସ୍କରଣରେ ବିଜେତା ହେବା ପରଠାରୁ ଦକ୍ଷିଣ ଆଫ୍ରିକା ଆଉ କେବେ ଫାଇନାଲ୍‌ରେ ପହଞ୍ଚି ପାରିନାହିଁ। ଭାରତ ପଞ୍ଚମ ଥର ଫାଇନାଲ୍‌ ଖେଳିବାକୁ ଯାଉଥିବା ବେଳେ ନ୍ୟୁଜିଲାଣ୍ଡ୍‌ ତୃତୀୟ ଥର ଟ୍ରଫି ଲଢ଼େଇ ଲାଗି ପ୍ରତିଦ୍ବନ୍ଦ୍ବିତା କରିବ। ଦ୍ବିତୀୟ ଥର ପାଇଁ ଏହି ପ୍ରତିଯୋଗିତାର ଫାଇନାଲ୍‌ରେ ଭାରତ-ନ୍ୟୁଜିଲାଣ୍ଡ୍‌ ମୁହାଁମୁହିଁ ହେବେ। 

୨୦୦୦ ମସିହାର ନାଇରୋବି ଫାଇନାଲ୍‌ରେ ଭାରତକୁ ହରାଇ ନ୍ୟୁଜିଲାଣ୍ଡ୍‌ ବିଜେତା‌ ହୋଇଥିବାରୁ ଭାରତ ଏବେ ୨୫ ବର୍ଷ ପରେ ପ୍ରତିଶୋଧ ନେବା ଲକ୍ଷ୍ୟରେ ରହିବ।