କୋହଲିଙ୍କ ଘାତକ ପ୍ରହାର ରେ ଉଡ଼ିଗଲା ଅଷ୍ଟ୍ରେଲିଆ, ଚାମ୍ପିଅନ୍ସ ଟ୍ରଫି ଫାଇନାଲ୍ରେ ପହଞ୍ଚିଲା ଭାରତ
Ind vs Aus : ଚାମ୍ପିଅନ୍ସ ଟ୍ରଫି ୨୦୨୫ର ପ୍ରଥମ ସେମି ଫାଇନାଲ୍ରେ ଅଷ୍ଟ୍ରେଲିଆକୁ ହରାଇଛି ଭାରତ। ବିଜୟ ସହ ଭାରତ ଫାଇନାଲ୍ରେ ପହଞ୍ଚିବା ସହ ୨୦୨୩ ଦିନିକିଆ ବିଶ୍ଵକପ୍ ଫାଇନାଲ୍ ପରାଜୟର ମଧୁର ପ୍ରତିଶୋଧ ନେଇଛି। ୨୦୧୩ ଓ ୨୦୧୭ ପରେ ଭାରତ ଲଗାତାର ତୃତୀୟ ଥର ଚାମ୍ପିଅନ୍ସ ଟ୍ରଫିର ଫାଇନାଲରେ ପ୍ରବେଶ କରିଛି। ମୋଟାମୋଟି ପଞ୍ଚମ ଥର ଚାମ୍ପିଅନ୍ସ ଟ୍ରଫି ଫାଇନାଲ୍ରେ ପ୍ରବେଶ କରିଛି ଭାରତ। ୨୦୧୧ ଦିନିକିଆ ବିଶ୍ଵକପ୍ ନକଆଉଟ୍ ପରେ ଭାରତ ଆଇସିସି ଟୁର୍ଣ୍ଣାମେଣ୍ଟରେ ଅଷ୍ଟ୍ରେଲିଆକୁ ହରାଇବାରେ ସଫଳ ହୋଇଛି।
ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା ଅଷ୍ଟ୍ରେଲିଆ । ଅଷ୍ଟ୍ରେଲିଆ ଦ୍ଵାରା ଧାର୍ଯ୍ୟ ୨୬୫ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଭାରତ ୪୮.୧ ଓଭରରେ ୬ ଓ୍ଵିକେଟ୍ ହରାଇ ଜିତି ନେଇଛି ମ୍ୟାଚ ।
ବିରାଟ କୋହଲି ୮୪ ରନର ଇନିଂସ ଖେଳି ଭାରତ ବିଜୟରେ ମୁଖ୍ୟ ବିନ୍ଧାଣି ସାଜିଛନ୍ତି। ତାଙ୍କ ବ୍ୟତୀତ ଶ୍ରେୟସ ଆୟର ୪୫ ରନ କରିଥିବା ବେଳେ କେଏଲ ରାହୁଲ ୪୨ ରନର ଅପରାଜିତ ଉପଯୋଗୀ ଇନିଂସ ଖେଳି ବିଜୟ ସୂଚକ ଛକା ମାରିଛନ୍ତି। ହାର୍ଦ୍ଦିକ ପାଣ୍ଡ୍ୟା ୨୮ ରନ କରିଛନ୍ତି। ଏହା ପୂର୍ବରୁ ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ଅଧିନାୟକ ଷ୍ଟିଭ ସ୍ମିଥଙ୍କ ୭୩ ରନ ଓ ଆଲେକ୍ସ କେରିଙ୍କ ୬୧ ରନ ବଳରେ ୨୬୪ ରନ କରିଥିଲା।
ବୋଲିଂରେ ଭାରତ ପକ୍ଷରୁ ମହମ୍ମଦ ଶାମି ୧୦ ଓଭରରେ ୪୮ ରନ ଦେଇ ୩ଟି ସଫଳତା ପାଇଛନ୍ତି। ରବୀନ୍ଦ୍ର ଜାଡ଼େଜା ୪୦ ରନରେ ୨ଟି ଓ ବରୁଣ ଚକ୍ରବର୍ତ୍ତୀ ୪୯ ରନରେ ୨ଟି ଓ୍ଵିକେଟ୍ ନେଇଛନ୍ତି। ଅକ୍ଷର ପଟେଲ୍ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଗୋଟିଏ ଲେଖାଏଁ ସଫଳତା ମିଳିଛି।
ଭାରତ ଏବେ ଦକ୍ଷିଣ ଆଫ୍ରିକା ବନାମ ନ୍ୟୁଜିଲାଣ୍ଡ ଦ୍ଵିତୀୟ ସେମି ଫାଇନାଲ୍ର ବିଜେତାକୁ 9 ମାର୍ଚ୍ଚ ରବିବାର ଦିନ ଫାଇନାଲ୍ରେ ଭେଟିବ।