ଚମ୍ପିୟନ ଟ୍ରଫି: ୫ ରେକର୍ଡ କରି ଐତିହାସିକ ଇନିଂସ ଖେଳିଲେ ଆଫଗାନିସ୍ତାନ ବ୍ୟାଟର ଇବ୍ରାହିମ ଜଦ୍ରାନ୍ ।
ଚାମ୍ପିୟନ ଟ୍ରଫି ମୁକାବିଲାରେ ବୁଧବାର ଇଂଲଣ୍ଡ ବିପକ୍ଷରେ ଖେଳି ଆଫଗାନିସ୍ତାନ ବ୍ୟାଟର ଇବ୍ରାହିମ ଜଦ୍ରାନ୍ କଲେ ବିଶ୍ୱ ରେକର୍ଡ। ଗୋଟିଏ ମ୍ୟାଚ୍ ରେ କଲେ ୫ ରେକର୍ଡ। ଜଦ୍ରାନ ଐତିହାସିକ ୧୭୭ ରନ୍ କରିଛନ୍ତି। ଏଥିରେ ସେ ୧୨ ଚୌକା ଏବଂ ୬ ଛକା ମାରିଥିଲେ। ଜଦ୍ରାନଙ୍କ ବିଶ୍ଵ ରେକର୍ଡକାରୀ ବ୍ୟାଟିଂ ପାଇଁ ଚାମ୍ପିୟନ ଟ୍ରଫି ମୁକାବିଲାରେ ଆଫଗାନିସ୍ତାନ ଇଂଲଣ୍ଡକୁ ୮ ରନ ପରାସ୍ତ କରିପାରିଛି।
ଚାମ୍ପିୟନ ଟ୍ରଫି ମ୍ୟାଚ୍ରେ ଜଦ୍ରାନ୍ କରିଥିବା ୫ ରେକର୍ଡ :
ଚାମ୍ପିଅନ୍ସ ଟ୍ରଫିରେ ସର୍ବାଧିକ ବ୍ୟକ୍ତିଗତ ସ୍କୋର - ଇବ୍ରାହିମ୍ ଜଦ୍ରନ୍ ଚାମ୍ପିଅନ୍ସ ଟ୍ରଫିରେ ସର୍ବାଧିକ ବ୍ୟକ୍ତିଗତ ସ୍କୋର କରିଛନ୍ତି। ପୂର୍ବରୁ ଇଂଲଣ୍ଡର ବେନ୍ ଡକେଟ ଏହି ରେକର୍ଡ କରିଥିଲେ । ସେ ୨୦୨୫ ଚାମ୍ପିଅନ୍ସ ଟ୍ରଫିରେ ଅଷ୍ଟ୍ରେଲିଆ ବିପକ୍ଷରେ ୧୬୫ ରନ୍ କରିଥିଲେ। ହେଲେ ଜଦ୍ରାନ ଏବେ ଇଂଲଣ୍ଡ ବିପକ୍ଷରେ ୧୭୭ ରନ କରି ତାଙ୍କ ରେକର୍ଡ ଭାଙ୍ଗି ଦେଇଛନ୍ତି।
ଆଫଗାନିସ୍ତାନ ପାଇଁ ସର୍ବୋତ୍ତମ ଦିନିକିଆ ହାରରେ ବ୍ୟାଟିଂ - ଇବ୍ରାହିମ ଜଦ୍ରାନ ୧୭୭ ରନ ସ୍କୋର କରିବା ପରେ ଆଫଗାନିସ୍ତାନର ପ୍ରଥମ ଖେଳାଳି ହୋଇଛନ୍ତି ଯାହାଙ୍କ ମୋଟ ବ୍ୟାଟିଂ ଆଭେରେଜ୍ ୫୦ ରୁ ଅଧିକ ହୋଇଯାଇଛି। ଇଂଲଣ୍ଡ ବିପକ୍ଷ ମ୍ୟାଚ୍ ପୂର୍ବରୁ ତାଙ୍କ ବ୍ୟାଟିଂ ହାର ପ୍ରାୟ ୪୭ ଥିଲା। ଏପର୍ଯ୍ୟନ୍ତ ସେ ୩୫ଟି ଦିନିକିଆ ଇନିଂସରେ ୫୧.୦୬ ହାରରେ ୧୬୩୪ ରନ୍ ସଂଗ୍ରହ କରିଛନ୍ତି।
ଆଫଗାନିସ୍ତାନ ପାଇଁ ସର୍ବାଧିକ ବ୍ୟକ୍ତିଗତ ସ୍କୋର- ଦିନିକିଆ କ୍ରିକେଟରେ ଆଫଗାନିସ୍ତାନ ପାଇଁ ସର୍ବାଧିକ ବ୍ୟକ୍ତିଗତ ସ୍କୋରର ରେକର୍ଡ ପୂର୍ବରୁ ମଧ୍ୟ ଇବ୍ରାହିମ୍ ଜଦ୍ରାନଙ୍କ ନାମରେ ଥିଲା। ସେ ୨୦୨୨ ମସିହାରେ ଶ୍ରୀଲଙ୍କା ବିପକ୍ଷରେ ୧୬୨ ରନ କରିଥିଲେ। ଏବେ ଇଂଲଣ୍ଡ ବିପକ୍ଷରେ ୧୭୭ ରନର ଇନିଂସ ଖେଳି ସେ ନିଜ ରେକର୍ଡ ଭାଙ୍ଗିଛନ୍ତି।
ପାକିସ୍ତାନ ମାଟିରେ ସର୍ବାଧିକ ବ୍ୟକ୍ତିଗତ ସ୍କୋର - ଇବ୍ରାହିମ୍ ଜଦ୍ରାନ୍ ଏବେ ପାକିସ୍ତାନ ମାଟିରେ ସର୍ବାଧିକ ସ୍କୋର କରିଥିବା ଖେଳାଳିଙ୍କ ତାଲିକାରେ ଚତୁର୍ଥ ସ୍ଥାନରେ ରହିଛନ୍ତି। ଜଦ୍ରାନ୍ଙ୍କ ପୂର୍ବରୁ ଗ୍ୟାରି କିର୍ଷ୍ଟେନ (୧୮୮), ଭିଭ ରିଚାର୍ଡସ (୧୮୧) ଏବଂ ଫଖର ଜମାନ (୧୮୦) ଅଛନ୍ତି।
ଆଫଗାନିସ୍ତାନ ପାଇଁ ସର୍ବାଧିକ ଶତକ - ଇବ୍ରାହିମ ଜଦ୍ରାନ ଏବେ ଆଫଗାନିସ୍ତାନର ଏକଦିବସୀୟରେ ମ୍ୟାଚ୍ ରେ ସର୍ବାଧିକ ଶତକ ମାରିବାରେ ଦ୍ୱିତୀୟ ସ୍ଥାନରେ ପହଂଚି ଯାଇଛନ୍ତି । ଏହି ତାଲିକାର ଶୀର୍ଷରେ ଅଛନ୍ତି ରହମାନୁଲ୍ଲାହ ଗୁରବାଜ, ଯିଏ ତାଙ୍କ ଦିନିକିଆ କ୍ୟାରିୟରରେ ୮ ଶତକ ହାସଲ କରିଛନ୍ତି।