ଆଘାତ ସମସ୍ୟା ହେଲା କାଳ! IPLରୁ ଦ୍ରୁତତମ ଫାଷ୍ଟ ବୋଲର ପଡ଼ିଲେ ବାଦ୍….

  1. Home
  2. IPL Top News

ଆଘାତ ସମସ୍ୟା ହେଲା କାଳ! IPLରୁ ଦ୍ରୁତତମ ଫାଷ୍ଟ ବୋଲର ପଡ଼ିଲେ ବାଦ୍….


ଆଇପିଏଲର ୧୮ ତମ ସଂସ୍କରଣ ମାର୍ଚ୍ଚ ୨୨ ତାରିଖରୁ ଡିଫେଣ୍ଡିଂ ଚାମ୍ପିଅନ୍ କେକେଆର୍ ଏବଂ ଆରସିବି ମଧ୍ୟରେ ଖେଳାଯିବ। ଏଥର ଆଇପିଏଲ୍ ୨୦୨୫ର ଚମତ୍କାର ଆରମ୍ଭ ହେବାର ଆଶା କରାଯାଉଛି କାରଣ ୨୦୨୪ ବର୍ଷ ଶେଷ ହେବା ପରେ ଏବଂ ଆଇପିଏଲ୍ ୨୦୨୫ ପୂର୍ବରୁ ୨୪ ଏବଂ ୨୫ ନଭେମ୍ବରରେ ଦୁବାଇର ଜେଡ୍ଡାଠାରେ ଏକ ମେଗା ନିଲାମ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ଅନେକ ଖେଳାଳିଙ୍କୁ ପୁରୁଣା ଦଳ ଛାଡି ନୂତନ ଦଳର ଏକ ଅଂଶ ହେବାକୁ ପଡିଛି।

କିଛି ଖେଳାଳି ନିଜର ଇଚ୍ଛାରେ ନିଲାମରେ ପ୍ରବେଶ କରିଥିଲେ ଏବଂ କିଛିଙ୍କୁ ନୂତନ ସିଜନ ପୂର୍ବରୁ ଫ୍ରାଞ୍ଚାଇଜ୍ ଦ୍ୱାରା ରିଲିଜ କରାଯାଇଥିଲା। କିନ୍ତୁ, ନିଲାମରେ କ୍ରୟ କରିବା ପରେ ଫ୍ରାଞ୍ଚାଇଜ୍ ଜଣେ ଯୁବ ଖେଳାଳିଙ୍କୁ ବିଦା କରିଦେଇଛି। ଭାରତର ସ୍ପିଡ୍ ଷ୍ଟାର ଉମ୍ରାନ୍ ମଲିକ୍ ଆଇପିଏଲ୍ ୨୦୨୫ ରୁ ସମ୍ପୂର୍ଣ୍ଣ ଭାବରେ ବାଦ୍ ପଡିଛନ୍ତି। ଆଘାତ ସମସ୍ୟା ଯୋଗୁଁ ସେ ଏହି ସିଜନରେ ଖେଳିବାକୁ ସକ୍ଷମ ହେବେ ନାହିଁ।

ଭାରତର ଏହି ଯୁବ ସ୍ପିଡ୍ ଷ୍ଟାରଙ୍କୁ କୋଲକାତା ନାଇଟ୍ ରାଇଡର୍ସ ତାଙ୍କ ମୂଳ ମୂଲ୍ୟ ୭୫ ଲକ୍ଷ ଟଙ୍କାରେ କିଣିଥିଲା, କିନ୍ତୁ ସିଜନ ଆରମ୍ଭ ପୂର୍ବରୁ ମଧ୍ୟ କେକେଆରକୁ ଏକ ବଡ଼ ଝଟକା ଲାଗିଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଉମ୍ରାନ ମଲିକଙ୍କୁ ଭାରତର ଶୋଏବ ଅଖତର ମଧ୍ୟ କୁହାଯାଏ। ଲଗାତାର ୧୫୦ ରୁ ଅଧିକ ବେଗରେ ବୋଲିଂ କରିବାର ତାଙ୍କର ଦକ୍ଷତା ରହିଛି, କିନ୍ତୁ ଚଳିତ ବର୍ଷ ତାଙ୍କୁ ଖେଳୁଥିବା ଦେଖିବାକୁ ମିଳିବନାହିଁ।

ଉମ୍ରାନ୍ ୨୦୨୨ ମସିହାରେ ସନରାଇଜର୍ସ ହାଇଦ୍ରାବାଦ ପାଇଁ ଆଇପିଏଲ୍ ଡେବ୍ୟୁ କରିଥିଲେ, ଯେଉଁଥିରେ ସେ ୧୪ ଟି ମ୍ୟାଚ୍ ଖେଳି ୨୨ ୱିକେଟ୍ ନେଇଥିଲେ।  ତାଙ୍କର ପ୍ରଥମ ସିଜନରେ ଘଣ୍ଟା ପ୍ରତି ୧୫୬.୯ କିଲୋମିଟର ବେଗରେ ବଲ୍ ଫିଙ୍ଗି ସେ ଆଶା ପ୍ରକଟ କରିଥିଲେ ଯେ ଭବିଷ୍ୟତରେ ସେ ପାକିସ୍ତାନର କିମ୍ବଦନ୍ତୀ ଦ୍ରୁତ ବୋଲର ଶୋଏବ ଅଖତରଙ୍କ ରେକର୍ଡ ଭାଙ୍ଗିବେ, ତେଣୁ ସେହି ବର୍ଷ ସେ ଭାରତ ପାଇଁ

ଅନ୍ତର୍ଜାତୀୟ ପଦାର୍ପଣ କରିବାର ସୁଯୋଗ ମଧ୍ୟ ପାଇଥିଲେ।  ଏହି ଯୁବ ବୋଲରଙ୍କ ଗତି ଥିଲା, କିନ୍ତୁ ସେ ନିଜର ଲାଇନ ଏବଂ ଲେଣ୍ଥକୁ ନିୟନ୍ତ୍ରଣ କରିପାରିନଥିଲେ, ଏହା ପରେ ତାଙ୍କୁ ୨୦୨୩ ବର୍ଷ ପରେ ଟିମ୍ ଇଣ୍ଡିଆରୁ ଡ୍ରପ୍ କରାଯାଇଥିଲା ଏବଂ ତାଙ୍କ ପୁରୁଣା ଦଳ ସନରାଇଜର୍ସ ମଧ୍ୟ ତାଙ୍କୁ ୨୦୨୪ ମସିହାରେ ରିଲିଜ କରିଥିଲା।  ଯଦିଓ, KKR ତାଙ୍କୁ କ୍ରୟ କରି ସୁଯୋଗ ଦେବାକୁ ଚେଷ୍ଟା କରିଥିଲା, କିନ୍ତୁ ଏଥର ଆଘାତ ସମସ୍ୟା ଉମରାନଙ୍କ ଆଶା ଭାଙ୍ଗିଦେଇଛି।

ଚେତନ ସାକାରିଆଙ୍କୁ ଉମ୍ରାନ ମଲିକଙ୍କ ବାଦ୍ ପଡିବାର ଲାଭ ମିଳିଛି। ଏହି ବାମହାତୀ ଦ୍ରୁତ ବୋଲର ଚେତନ ସାକରିଆଙ୍କୁ ଆଇପିଏଲ ୨୦୨୫ ର ମେଗା ନିଲାମରେ କୌଣସି ଫ୍ରାଞ୍ଚାଇଜ କିଣିନଥିଲେ, ଏହା ପରେ ସେ କେକେଆରରେ ଜଣେ ନେଟ୍ ବୋଲର ଭାବେ ଯୋଗ ଦେଇଥିଲେ। ଏଥିସହିତ, ବର୍ତ୍ତମାନ କେକେଆର ତାଙ୍କୁ ଉମ୍ରାନ ମଲିକଙ୍କ ରିପ୍ଲେସମେଣ୍ଟ ଭାବରେ ଅନ୍ତର୍ଭୁକ୍ତ କରିଛି। ୨୭ ବର୍ଷୀୟ ସାକରିଆ ଭାରତ ପାଇଁ ଗୋଟିଏ ଦିନିକିଆ ଏବଂ ଦୁଇଟି ଟି-୨୦ ମ୍ୟାଚ୍ ଖେଳିଥିବାବେଳେ ୧୯ ଟି ଆଇପିଏଲ୍ ମ୍ୟାଚ୍ ଖେଳିବାର ଅଭିଜ୍ଞତା ରଖିଛନ୍ତି ଯେଉଁଥିରେ ସେ ୨୦ ୱିକେଟ୍ ନେଇଛନ୍ତି। ସାକାରିଆଙ୍କୁ ୭୫ ଲକ୍ଷ ଟଙ୍କାରେ ଦଳରେ ସାମିଲ କରାଯାଇଛି।