ଟିମ୍ ଇଣ୍ଡିଆ ପାଇଁ ବ୍ୟାଡ୍ ଲକ୍ ସାବ୍ୟସ୍ତ ହୋଇଛନ୍ତି ଏହି ଖେଳାଳି! ଚମତ୍କାର ପ୍ରଦର୍ଶନ ସତ୍ତ୍ୱେ ହାରୁଛି ଭାରତ….
ରାଜକୋଟର ନିରଂଜନ ଶାହା କ୍ରିକେଟ୍ ଷ୍ଟାଡିୟମରେ ଖେଳାଯାଇଥିବା ତୃତୀୟ ଟି-୨୦ ମ୍ୟାଚରେ ଟିମ୍ ଇଣ୍ଡିଆକୁ ୨୬ ରନରେ ପରାଜୟର ସମ୍ମୁଖୀନ ହେବାକୁ ପଡିଛି। ବୋଲରଙ୍କ ଭଲ ପ୍ରଦର୍ଶନ ପରେ ବ୍ୟାଟ୍ସମ୍ୟାନମାନେ ଭଲ ପ୍ରଦର୍ଶନ କରିପାରିନଥିଲେ। ସଞ୍ଜୁ ସାମସନ୍, ଅଧିନାୟକ ସୂର୍ଯ୍ୟକୁମାର ଯାଦବ, ଅଭିଷେକ ଶର୍ମା, ଅକ୍ଷର ପଟେଲ ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଭଳି ତାରକାଙ୍କ ଦ୍ୱାରା ସଜ୍ଜିତ ଭାରତୀୟ ଦଳ ୨୦ ଓଭରରେ ୯ ୱିକେଟ୍ ହରାଇ ମାତ୍ର ୧୪୫ ରନ୍ ସ୍କୋର କରିବାରେ ସଫଳ ହୋଇଥିଲା ଏବଂ ମ୍ୟାଚ୍ ୨୬ ରନରେ ହାରିଯାଇଥିଲା। ଏହି ମ୍ୟାଚରେ ଜଣେ ଖେଳାଳି ଜବରଦସ୍ତ ପ୍ରଦର୍ଶନ କରିଥିଲେ, କିନ୍ତୁ ବିଶେଷ କଥା ହେଉଛି ଯେ ଯେତେବେଳେ ବି ସେହି ଖେଳାଳୀ ଚମତ୍କାର ପ୍ରଦର୍ଶନ କରନ୍ତି, ଟିମ୍ ଇଣ୍ଡିଆକୁ କେବଳ ପରାଜୟର ସାମ୍ନା କରିବାକୁ ପଡିଥାଏ।
ଗୋଟିଏ ପଟେ ସମସ୍ତ ବୋଲର ସଂଘର୍ଷ କରୁଥିବାବେଳେ ଅନ୍ୟ ପଟେ ମିଷ୍ଟ୍ରି ସ୍ପିନର ବରୁଣ ଚକ୍ରବର୍ତ୍ତୀଙ୍କ ବଲ ଇଂଲିଶ ଖେଳାଳିଙ୍କ ପାଇଁ ସମସ୍ୟା ପାଲଟିଥିଲା। ଏହି ସିରିଜରେ ବରୁଣଙ୍କ ପ୍ରଦର୍ଶନ ବହୁତ ଭଲ ରହିଛି ଯାହା ରାଜକୋଟରେ ମଧ୍ୟ ଦେଖାଯାଇଥିଲା। ଏହି ସୁପରଷ୍ଟାର ଖେଳାଳି ତାଙ୍କର ସ୍ପିନ୍ ବୋଲିଂ ସହିତ ମୋଟ ୫ ଜଣ ଇଂରାଜୀ ବ୍ୟାଟ୍ସମ୍ୟାନଙ୍କୁ ଆଉଟ କରିଥିଲେ, ଯେଉଁଥିରେ ଇଂଲଣ୍ଡ ଅଧିନାୟକ ଜୋସ୍ ବଟଲର୍ (୨୪), ଜାମି ସ୍ମିଥ୍ (୬), ଜାମି ଓଭରଟନ୍ (୦), ବ୍ରେଡେନ୍ କାର୍ସେ (୩) ଏବଂ ଜୋଫ୍ରା ଆର୍ଚର (0) ରହିଥିଲେ। ଏହା ମଧ୍ୟରେ ସମସ୍ତ ଗୁରୁତ୍ୱପୂର୍ଣ୍ଣ ୱିକେଟ୍ ଅନ୍ତର୍ଭୁକ୍ତ ରହିଥିଲା। ବରୁଣ ତାଙ୍କ ଟି-୨୦ କ୍ୟାରିୟରର ଦ୍ୱିତୀୟ ପାଞ୍ଚ ୱିକେଟ୍ ହଲ୍ ହାସଲ କରିଥିଲେ।
ତଥାପି, ଯେତେବେଳେ ବି ଚକ୍ରବର୍ତ୍ତୀ ଟିମ୍ ଇଣ୍ଡିଆ ପାଇଁ ଟି-୨୦ରେ ପାଞ୍ଚ ୱିକେଟ୍ ନେଇଛନ୍ତି, ଟିମ୍ ଇଣ୍ଡିଆ ପରାଜୟର ସମ୍ମୁଖୀନ ହୋଇଛି। ଏହାପୂର୍ବରୁ ଦକ୍ଷିଣ ଆଫ୍ରିକା ସିରିଜ ଦ୍ୱିତୀୟ ଟି-୨୦ ମ୍ୟାଚରେ ବରୁଣ ଚକ୍ରବର୍ତ୍ତୀ ୪ ଓଭରରେ ୧୭ ରନ୍ ଦେଇ ୫ ୱିକେଟ୍ ନେଇଥିଲେ। କିନ୍ତୁ ଏହା ସତ୍ତ୍ୱେ ଭାରତକୁ ୩ ୱିକେଟରେ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଏଥି ସହିତ ଇଂଲଣ୍ଡ ବିପକ୍ଷ ତୃତୀୟ ଟି-୨୦ରେ ପୁଣି ଥରେ ବରୁଣ ଚକ୍ରବର୍ତ୍ତୀ ୪ ଓଭରରେ ୨୪ ରନ୍ ପାଇଁ ୫ ୱିକେଟ୍ ନେଇଥିଲେ, କିନ୍ତୁ ଏଥର ଟିମ୍ ଇଣ୍ଡିଆକୁ ୨୬ ରନରେ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଛି। ତେବେ ବରୁଣଙ୍କ ଚମତ୍କାର ବୋଲିଂ ପାଇଁ ତାଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ଭାବେ ସମ୍ମାନିତ କରାଯାଇଥିଲା।
ଟିମ୍ ଇଣ୍ଡିଆର ତାରକା ମିଷ୍ଟ୍ରି ସ୍ପିନର ବରୁଣ ଚକ୍ରବର୍ତ୍ତୀ କ୍ରିକେଟ୍ ର କ୍ଷୁଦ୍ର ଫର୍ମାଟରେ ଯଥେଷ୍ଟ ପ୍ରଭାବଶାଳୀ ବୋଲି ପ୍ରମାଣ କରୁଛନ୍ତି। ସମସ୍ତ ବ୍ୟାଟ୍ସମ୍ୟାନଙ୍କ ପାଇଁ ତାଙ୍କ ମିଷ୍ଟ୍ରି ସ୍ପିନ୍ ବୁଝିବା ଅତ୍ୟନ୍ତ କଷ୍ଟସାଧ୍ୟ ହୋଇପଡିଛି, ଯେଉଁଥିପାଇଁ ସେ କ୍ରମାଗତ ଭାବେ ୱିକେଟ୍ ନେଇଛନ୍ତି। ଏପର୍ଯ୍ୟନ୍ତ ଇଂଲଣ୍ଡ ବିପକ୍ଷ ଟି-ଟ୍ୱେଣ୍ଟି ସିରିଜରେ ସେ ୩ ଟି ମ୍ୟାଚରେ ୧୦ ଟି ୱିକେଟ୍ ନେଇଛନ୍ତି। ପୂର୍ବରୁ ଦକ୍ଷିଣ ଆଫ୍ରିକା ଗସ୍ତରେ ସେ ଚାରିଟି ମ୍ୟାଚରେ ୧୨ ଟି ୱିକେଟ୍ ନେଇଥିଲେ। ଏପର୍ଯ୍ୟନ୍ତ ସେ ୧୪.୭୫ ଆଭରେଜରେ ୧୬ ଟି ମ୍ୟାଚରେ ମୋଟ ୨୯ ୱିକେଟ୍ ନେଇଛନ୍ତି, ଯେଉଁଥିରେ ଦୁଇଥର ସେ ପାଞ୍ଚଟି ୱିକେଟ୍ ନେବାରେ ସଫଳ ହୋଇଛନ୍ତି। ବରୁଣ ତାଙ୍କର ଶେଷ ସାତୋଟି ମ୍ୟାଚରେ ମୋଟ ୨୨ଟି ୱିକେଟ୍ ନେଇଛନ୍ତି।