ଗୋଟିଏ ବି ମ୍ୟାଚ୍ ନ ଜିତି ଚାମ୍ପିଅନ୍ସ ଟ୍ରଫିରୁ ବିଦା ହେଲେ ପାକିସ୍ଥାନ ଏବଂ ବାଂଲାଦେଶ
ଚାମ୍ପିଅନ୍ସ ଟ୍ରଫି 2025 : ଇତିହାସରେ ପ୍ରଥମ ଥର ପାଇଁ ଆୟୋଜକ ଦେଶ ଟୁର୍ଣ୍ଣାମେଣ୍ଟରେ ଗୋଟିଏ ବି ମ୍ୟାଚ୍ ନ ଜିତିବାର ଦେଖିବାକୁ ମିଳିଛି । ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ରେ ପାକିସ୍ତାନ ଓ ବାଂଲାଦେଶ ମଧ୍ୟରେ ହେବାକୁ ଥିବା ନବମ ମୁକାବିଲା ବର୍ଷା କାରଣରୁ ରଦ୍ଦ ହୋଇଛି। ଚାମ୍ପିଅନ୍ସ ଟ୍ରଫି ୨୦୨୫ର ଆୟୋଜକ ଦେଶ ପାକିସ୍ତାନ ଗ୍ରୁପ ପର୍ଯ୍ୟାୟରୁ ବାଦ୍ ପଡ଼ି ସାରିଛି।
ରାଓ୍ଵଲପିଣ୍ଡି କ୍ରିକେଟ୍ ଷ୍ଟାଡିୟମରେ କ୍ରମାଗତ ବର୍ଷା କାରଣରୁ ଟସ୍ ମଧ୍ୟ ପଡ଼ି ପାରି ନ ଥିଲା। ଶେଷରେ ବାଧ୍ୟ ହୋଇ ମ୍ୟାଚ୍ ବାତିଲ କରାଯାଇଛି। ବିନା କୌଣସି ବିଜୟରେ ପାକିସ୍ତାନ ତୃତୀୟ ଥର ଆଇସିସି ଟୁର୍ଣ୍ଣାମେଣ୍ଟର ପ୍ରଥମ ରାଉଣ୍ଡରୁ ବାଦ୍ ପଡ଼ିଛି। ଏହା ପୂର୍ବରୁ ଦଳ ୨୦୨୩ରେ ଦିନିକିଆ ବିଶ୍ଵକପ୍ ଓ ୨୦୨୪ରେ ଟି-୨୦ ବିଶ୍ଵକପ୍ରେ ପ୍ରଥମ ରାଉଣ୍ଡରୁ ହିଁ ବାଦ୍ ପଡ଼ିଥିଲା। ବାଂଲାଦେଶ ବି ବିନା କୌଣସି ମ୍ୟାଚ୍ ଜିତି ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେଇଛି।
ପାକିସ୍ତାନ ଓ ବାଂଲାଦେଶ ପୂର୍ବରୁ ଚାମ୍ପିଅନ୍ସ ଟ୍ରଫି ୨୦୨୫ର ସେମି ଫାଇନାଲ୍ ଦୌଡ଼ରୁ ବାଦ୍ ପଡ଼ି ସାରିଥିଲେ। ଆଉ ଏବେ ଉଭୟ ଟିମ ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେଇଛନ୍ତି ।
ସବୁଠାରୁ ଲଜ୍ଜାଜନକ ପାକିସ୍ତାନ ପାଇଁ ଏହା ଯେ, ଟିମ ନିଜ ମାଟିରେ ମଧ୍ୟ ଗୋଟିଏ ବି ମ୍ୟାଚ୍ ଜିତି ପାରିଲା ନାହିଁ। ନିଜେ ଆୟୋଜକ ଥିବା ପାକିସ୍ତାନ ପ୍ରଥମ ମ୍ୟାଚ୍ରେ ନ୍ୟୁଜିଲାଣ୍ଡଠୁ ୬୦ ରନରେ ପରାଜିତ ହୋଇଥିବା ବେଳେ ଦ୍ଵିତୀୟ ମ୍ୟାଚ୍ରେ ଭାରତଠୁ ୬ ଓ୍ଵିକେଟ୍ରେ ପରାଜୟ ହୋଇଥିଲା । ଆଉ ବାଂଲାଦେଶ ବିପକ୍ଷ ଶେଷ ମ୍ୟାଚ୍ ବର୍ଷା ଯୋଗୁଁ ବାତିଲ ହୋଇଛି। ଉଭୟ ପାକିସ୍ତାନ ଓ ବାଂଲାଦେଶକୁ ଗୋଟିଏ ଲେଖାଏଁ ପଏଣ୍ଟ ମିଳିଛି।
ଅନ୍ୟପଟେ ବାଂଲାଦେଶର ମଧ୍ୟ ସମାନ ଅବସ୍ଥା। ନିଜର ପ୍ରଥମ ମ୍ୟାଚ୍ରେ ଦଳ ଭାରତଠୁ ପରାଜିତ ହୋଇଥିବା ବେଳେ ଦ୍ଵିତୀୟ ମ୍ୟାଚରେ ନ୍ୟୁଜିଲାଣ୍ଡଠାରୁ ହାରିଥିଲା । ଆଉ ତୃତୀୟ ମ୍ୟାଚ୍ ବର୍ଷା ଯୋଗୁଁ ବାତିଲ ହୋଇଛି।
ଆଠଟି ଦଳକୁ ନେଇ ଆୟୋଜିତ ଚାମ୍ପିଅନ୍ସ ଟ୍ରଫିର ଗ୍ରୁପ-ଏ ରୁ ଭାରତ ଓ ନ୍ୟୁଜିଲାଣ୍ଡ ସେମି ଫାଇନାଲ୍ ପାଇଁ ଯୋଗ୍ୟତ ଅର୍ଜନ କରି ସାରିଛନ୍ତି। ଏହି ଗ୍ରୁପରୁ ପାକିସ୍ତାନ ଓ ବାଂଲାଦେଶ ବିଦା ହୋଇଥିବା ବେଳେ ଗ୍ରୁପ ବିରୁ ଇଂଲଣ୍ଡ ବାଦ୍ ପଡ଼ି ସାରିଛି। ଦକ୍ଷିଣ ଆଫ୍ରିକା, ଅଷ୍ଟ୍ରେଲିଆ ଓ ଆଫଗାନିସ୍ତାନ ମଧ୍ୟରେ ସେମି ପାଇଁ କଡ଼ା ସଂଘର୍ଷ ଦେଖିବାକୁ ମିଳିଛି।