ବାଂଲାଦେଶ ଠାରୁ ହାରିବା ପରେ ସଂକଟରେ ପାକିସ୍ତାନ କ୍ରିକେଟ! ଅଧିନାୟକ ପଦ ହରାଇ ପାରନ୍ତି ବାବର ଆଜମ୍….
ବାଂଲାଦେଶକୁ ଟେଷ୍ଟ ସିରିଜରେ ହରାଇବା ପରେ ପାକିସ୍ତାନ କ୍ରିକେଟ୍ ଦଳ ପିସିବିର ଟାର୍ଗେଟରେ ପରିଣତ ହୋଇଛି। ନୂତନ ଅଧିନାୟକ ଶାନ ମସୁଦଙ୍କ ଅଧିନାୟକତ୍ୱରେ ପାକିସ୍ତାନକୁ ୨-୦ ପରାଜୟର ସମ୍ମୁଖୀନ ହେବାକୁ ପଡିଛି। ଯେଉଁଥିପାଇଁ ପାକିସ୍ତାନ ଦଳରେ ଅନେକ ଅଶାନ୍ତି ଦେଖାଦେଇଛି। ଆଜିକାଲି ବାବର ଆଜାମ ମଧ୍ୟ ଖରାପ ଫର୍ମ ସହ ସଂଘର୍ଷ କରୁଛନ୍ତି। ସେ ବାଂଲାଦେଶ ବିପକ୍ଷ ଦୁଇଟି ମ୍ୟାଚ୍ରେ ୪ ଇନିଂସରେ ୧୦୦ ରନ୍ ମଧ୍ୟ ଅତିକ୍ରମ କରିପାରିନାହାଁନ୍ତି।
ତେବେ ସୀମିତ ସମୟ ପାଇଁ ବାବରଙ୍କୁ ଅଧିନାୟକତ୍ୱରୁ ହଟାଇବାକୁ ଏବଂ ଏହି ଖେଳାଳିଙ୍କୁ ନୂତନ ଅଧିନାୟକ କରିବାକୁ ବୋର୍ଡ ଯୋଜନା କରୁଛି। ଭାରତରେ ଖେଳାଯାଇଥିବା ଏକଦିବସିୟ ବିଶ୍ୱକପ ୨୦୨୩ରେ, ବାବର ଆଜାମଙ୍କ ଅଧିନାୟକତ୍ୱରେ ପାକିସ୍ତାନକୁ ଲଜ୍ଜାଜନକ ଭାବେ ଟୁର୍ନାମେଣ୍ଟରୁ ବିଦା ହେବାକୁ ପଡ଼ିଥିଲା। ଟି-୨୦ ବିଶ୍ୱକପରେ ମଧ୍ୟ ଦଳ ବହୁତ ଖରାପ ପ୍ରଦର୍ଶନ କରିଥିଲା।
ସୂଚନା ଅନୁଯାୟୀ, ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ବାବର ଆଜାମଙ୍କୁ ସୀମିତ ଓଭରର ଅଧିନାୟକତ୍ୱରୁ ହଟାଇ ଦିଆଯିବ ଏବଂ ତାଙ୍କ ସ୍ଥାନରେ ମହମ୍ମଦ ରିଜୱାନଙ୍କୁ ୱାନ ଡେ ଏବଂ ଟି-୨୦ର ନୂତନ ଅଧିନାୟକ ଭାବରେ ଚୟନ କରାଯିବ। ବାବର ଆଜାମ ପାକିସ୍ତାନରେ କ୍ରିକେଟର ରାଜା ଭାବେ ପରିଚିତ। କିନ୍ତୁ, ଆଜିକାଲି ଏହି ରାଜା ତାଙ୍କ ଫ୍ୟାନ୍ସ ମାନଙ୍କ ଆଶା ପୂରଣ କରିବାରେ ବିଫଳ ହେଉଛନ୍ତି। ଯେଉଁ କାରଣରୁ ତାଙ୍କ ଫ୍ୟାନ୍ସ ମାନଙ୍କ ମଧ୍ୟରେ ଅଶାନ୍ତି ଦେଖା ଦେଇଛି। କହିବାକୁ ଗଲେ ୨୦୨୨ ପରଠାରୁ ବାବର ଟେଷ୍ଟରେ ମଧ୍ୟ ଅର୍ଦ୍ଧଶତକ ହାସଲ କରିନାହାଁନ୍ତି, ଶତକ ତ ବହୁତ ଦୂର କଥା ଅଟେ।
ସୂଚନା ଅନୁଯାୟୀ, ନଭେମ୍ବରରେ ପାକିସ୍ଥାନକୁ ଅଷ୍ଟ୍ରେଲିଆର ସାମ୍ନା କରିବାକୁ ପଡ଼ିବ। ଦୁଇ ଦଳ ମଧ୍ୟରେ ୩ଟି ଏକଦିବସିୟ ଏବଂ ୩ ଟିକିଆ ଟି-୨୦ ସିରିଜ୍ ଖେଳାଯିବ। କିନ୍ତୁ ଏହି ସିରିଜ୍ ପୂର୍ବରୁ ଅଧିନାୟକତ୍ୱର ଏକ ପ୍ରମୁଖ ପରିବର୍ତ୍ତନ ଦେଖାଯାଇପାରେ। ପାକ୍ ମିଡିଆ ଅନୁଯାୟୀ, ଏହି ସିରିଜ୍ ପୂର୍ବରୁ ବାବର ଆଜାମଙ୍କୁ ଅଧିନାୟକତ୍ୱରୁ ହଟାଯାଇପାରେ। ତେବେ ନୂତନ ଅଧିନାୟକ ଭାବରେ ମହମ୍ମଦ ରିଜୱାନଙ୍କ ନାମ ବେଶ୍ ଆଗରେ ରହିଛି। ତେବେ ବୋର୍ଡ କାହାକୁ ଅଧିନାୟକ ଭାବରେ ଚୟନ କରୁଛି ତାହା ଦେଖିବା ବାକି ରହିଛି।