ଚାମ୍ପିଅନ୍ସ ଟ୍ରଫି ଆୟୋଜନ କରି ୮ଶହ କୋଟି ଟଙ୍କା କ୍ଷତି ସହି ଦେବାଳିଆ PCB...

  1. Home
  2. Cricket News

ଚାମ୍ପିଅନ୍ସ ଟ୍ରଫି ଆୟୋଜନ କରି ୮ଶହ କୋଟି ଟଙ୍କା କ୍ଷତି ସହି ଦେବାଳିଆ PCB...


ଆଇସିସି ଚାମ୍ପିଅନ୍ସ ଟ୍ରଫି 2025 ର ଆୟୋଜକ ଥିଲା ହୋଇଗଲା ପାକିସ୍ତାନ କ୍ରିକେଟ୍ ବୋର୍ଡ । ହେଲେ ଚାମ୍ପିଅନ୍ସ ଟ୍ରଫି ଆୟୋଜନ କରି ଭାରତୀୟ ମୁଦ୍ରା ଅନୁଯାୟୀ ପ୍ରାୟ ୮ ଶହ କୋଟି ଟଙ୍କାର କ୍ଷତି ସହିବାକୁ ପଡିଲା ପିସିବିକୁ । ପ୍ରଥମେ ପରାଜୟ ପରେ ଆର୍ଥିକ ସଙ୍କଟରେ ପିସିବି ।  

ଗତ ୯ ତାରିଖରେ ଚାମ୍ପିଅନ୍ସ ଟ୍ରଫିର ଫାଇନାଲ  ମ୍ୟାଚ୍‌ ଖେଳା ଯାଇଥିଲା । ନ୍ୟୁଜିଲାଣ୍ଡକୁ ହରାଇ ଟିମ୍ ଇଣ୍ଡିଆ ଚାମ୍ପିଅନ ହୋଇଛି । ଦୁବାଇରୁ ବିସିସିଆଇକୁ ଟ୍ରଫି ଆସିଥିବା ବେଳେ ପାକିସ୍ତାନ କ୍ରିକେଟ୍ ବୋର୍ଡକୁ ଲାଗିଛି ବଡ଼ ଝଟକା । ଚାମ୍ପିଅନ୍ସ ଟ୍ରଫି ଆୟୋଜନ କରି କୋଟି କୋଟି ଟଙ୍କା ଆୟ ଆଶା ରଖିଥିଲା ପିସିବି । ହେଲେ ସବୁ ଆଶା ମଉଳି ଯାଇଛି, ଭାରି ପଡ଼ିଛି ଆୟୋଜନ । 

ଚାମ୍ପିଅନ୍ସ ଟ୍ରଫି ଆୟୋଜନରେ ପିସିବି ୮୫% କ୍ଷତି ସହିଥିବା ରିପୋର୍ଟରୁ ଜଣାପଡ଼ିଛି । ପାକ୍‌ ବୋର୍ଡ ଚାମ୍ପିଅନ୍ସ ଟ୍ରଫି ଆୟୋଜନ ପାଇଁ ଭାରତୀୟ ମୁଦ୍ରାରେ ମୋଟ୍‌ ୮୫୧ କୋଟି ଟଙ୍କା ଖର୍ଚ୍ଚ କରିଥିଲା । ବଦଳରେ ସମ୍ପୂର୍ଣ୍ଣ  ଟୁର୍ଣ୍ଣାମେଣ୍ଟରୁ ଆୟ କରିଛି ମାତ୍ର ୫୨ କୋଟି ଟଙ୍କା । ଫଳରେ ପାକ୍‌ ବୋର୍ଡକୁ ପାଖାପାଖି ୭୯୯ କୋଟି ଟଙ୍କା କ୍ଷତି ହୋଇଛି । ଏହାର ଭରଣା ପାଇଁ ଘରୋଇ ଖେଳାଳିମାନଙ୍କ  ଦରମା କାଟ୍‌ କରାଯାଇଛି ।

ପିସିବି କେବଳ ଷ୍ଟାଡିୟମ ମରାମତି ଓ ନବୀକରଣ ବାବଦରେ ୧୮ ବିଲିୟନ ପାକିସ୍ତାନୀ ଟଙ୍କା ଖର୍ଚ୍ଚ କରିଥିଲା । ଭାରତୀୟ ମୁଦ୍ରାରେ ଏହା ୫୦୪ କୋଟି ଟଙ୍କା ହେବ । ଯାହା ଆୟୋଜନ  ବଜେଟ୍‌ ଠାରୁ ୫୦% ଅଧିକ ରହିଥିଲା। ଏହା  ବ୍ୟତୀତ ଟୁର୍ଣ୍ଣାମେଣ୍ଟ ଆୟୋଜନ ପାଇଁ ଆଉ ୪୦ ନିୟୁତ ଡଲାର ବା ଭାରତୀୟ ମୁଦ୍ରାରେ ୩୪୭ କୋଟି ଟଙ୍କା ଅଲଗା ଖର୍ଚ୍ଚ କରିଥିଲା ।  ଆୟୋଜନ ବାବଦରେ ପାକିସ୍ତାନକୁ  ମିଳିଥିଲା ଭାରତୀୟ ମୁଦ୍ରାରେ ମାତ୍ର ୫୨ କୋଟି ଟଙ୍କା । ଏହା ବାଦ୍ ଟିକେଟ୍‌ ବିକ୍ରି ଓ ପ୍ରାୟୋଜନରୁ ପିସିବି  କିଛି ଅର୍ଥ ପାଇଥିଲା । 

୨୦୧୭ରେ ଚାମ୍ପିୟନ୍ସ ଟ୍ରଫି ଜିତିଥିଲା ପାକିସ୍ତାନ । ଏଥର ଚାମ୍ପିୟନ୍ସ ଟ୍ରଫି ର ଥିଲା ଆୟୋଜକ। କିନ୍ତୁ ଚାମ୍ପିୟନ୍ସ ଟ୍ରଫି ର ଗୋଟିଏ ବି ମ୍ୟାଚ ଜିତି ନପାରି ମାତ୍ର ୫ ଦିନ ମଧ୍ୟରେ ଟୁର୍ଣ୍ଣାମେଣ୍ଟରୁ ବିଦାୟ  ନେଇଥିଲା । 

ନ୍ୟୁଜିଲାଣ୍ଡ ଓ ଭାରତ ଠାରୁ ପରାଜିତ ହୋଇଥିବାବେଳେ ବାଂଲାଦେଶ ବିପକ୍ଷ ମ୍ୟାଚ୍‌ ବର୍ଷା ଯୋଗୁ ବାତିଲ ହୋଇଥିଲା। ମୋଟ ଉପରେ ଦେଖିବାକୁ ଗଲେ ପାକିସ୍ତାନ ଗୋଟିଏ ଘରୋଇ ମ୍ୟାଚ୍‌ ଖେଳିବା ବାବଦରେ ପ୍ରଚୁର ଟଙ୍କା ଖର୍ଚ୍ଚ କରିଛି । କାରଣ ବାଂଲାଦେଶ ବିପକ୍ଷ ମ୍ୟାଚ୍‌ ବାତିଲ ହୋଇଥିଲା ଓ ଭାରତ ବିପକ୍ଷ ମ୍ୟାଚ୍‌  ଦୁବାଇରେ ଆୟୋଜନ କରାଯାଇଥିଲା । 

କ୍ରୀଡ଼ାସୂଚୀ ଅନୁଯାୟୀ ପାକିସ୍ତାନରେ ୧୦ଟି ମ୍ୟାଚ୍‌ ଆୟୋଜନ ହେବାର ଥିଲା । ଏଥିରୁ ୩ଟି ମ୍ୟାଚ୍‌ ବର୍ଷା ଯୋଗୁଁ ବାତିଲ ହୋଇଥିଲା ଓ ଫାଇନାଲ୍‌ ମ୍ୟାଚ୍‌ ଦୁବାଇକୁ  ସ୍ଥାନାନ୍ତରିତ ହୋଇଥିଲା । 

କ୍ଷତିର ଭରଣା ପାଇଁ ଖେଳାଳିଙ୍କ ଦରମା କାଟିବାକୁ ବାଧ୍ୟ ହୋଇଛି ପାକ୍‌ ବୋର୍ଡ । ଘରୋଇ ଟି-ଟ୍ୱେଣ୍ଟି ଚାମ୍ପିଅନସିପ୍‌ରେ ଘରୋଇ ଖେଳାଳିଙ୍କ ଦରମା ୯୦% ଓ ରିଜର୍ଭ ଖେଳାଳିଙ୍କ ଦରମା ୮୭.୫% ହ୍ରାସ କରାଯାଇଛି । ଖାଲି ସେତିକି  ନୁହେଁ, ସେମାନଙ୍କ ଯାତ୍ରା ଓ ହୋଟେଲରେ ରହିବା ଖର୍ଚ୍ଚ ମଧ୍ୟ କାଟ୍‌ କରାଯାଇଛି ।