ରଣଜୀରେ ଫେଲ୍ ମାରିଲେ ଟିମ୍ ଇଣ୍ଡିଆର ଷ୍ଟାର୍ ଖେଳାଳି, ହେଲେ ନିଜ ବୋଲିଂର ଯାଦୁ ଦେଖାଇଥିଲେ ଜାଡେଜା

  1. Home
  2. Cricket News

ରଣଜୀରେ ଫେଲ୍ ମାରିଲେ ଟିମ୍ ଇଣ୍ଡିଆର ଷ୍ଟାର୍ ଖେଳାଳି, ହେଲେ ନିଜ ବୋଲିଂର ଯାଦୁ ଦେଖାଇଥିଲେ ଜାଡେଜା


ରଣଜୀ ମ୍ୟାଚ୍: ରଣଜୀରେ ଫେଲ୍ ମାରିଲେ ରୋହିତ୍, ଜୈସ୍ୱାଲ, ପନ୍ତ, ଗିଲ୍। ଟେଷ୍ଟରେ ଲଗାତାରେ ଫେଲ୍ ହେବା ପରେ ଏବେ ଘରୋଇ ଟୁର୍ଣ୍ଣାମେଣ୍ଟରେ ବି ନିରାଶ କରିଛନ୍ତି ଷ୍ଟାର୍ ଖେଳାଳି । ଦୀର୍ଘ ବର୍ଷ ପରେ ଘରୋଇ ରଣଜୀ ମ୍ୟାଚ୍ ଖେଳିବାକୁ ଓହ୍ଲାଇଥିବା ରୋହିତ ଶର୍ମା, ରିଷଭ ପନ୍ତ ଏବଂ ଶୁଭମନ ଗିଲ୍ ଶସ୍ତାରେ ଆଉଟ୍ ହୋଇ ଫେରିଛନ୍ତି । ଦିଲ୍ଲୀ ବିପକ୍ଷ ମ୍ୟାଚ୍‌ରେ ରବିନ୍ଦ୍ର ଜାଡେଜା ୫ଟି ୱିକେଟ୍ ନେଇ ଷ୍ଟାର ସାଜିଛନ୍ତି ।

ଅଷ୍ଟ୍ରେଲିଆରେ ୧-୩ ସିରିଜ୍ ହାରିବା ପରେ ବିସିସିଆଇ ଘରୋଇ କ୍ରିକେଟରେ ଚୁକ୍ତିଭିତ୍ତିକ ଖେଳାଳିଙ୍କ ଅଂଶଗ୍ରହଣକୁ ବାଧ୍ୟତାମୂଳକ କରିଥିଲା । ଏହା ପରେ ନିଜ ଫର୍ମ ଫେରି ପାଇବା ପାଇଁ ରଣଜୀ ମ୍ୟାଚ୍ ଖେଳିବାକୁ ନିଷ୍ପତ୍ତି ନେଇଥିଲେ ରୋହିତ୍ ଶର୍ମା । ଡିଫେଣ୍ଡିଂ ଚାମ୍ପିୟନ ପାଇଁ ପ୍ରାୟ ୧୦ ବର୍ଷ ପରେ ଓପନିଂ କରିବାକୁ ଆସିଥିବା ରୋହିତ୍ ମାତ୍ର ୩ ରନ୍ କରି କ୍ୟାଚ୍ ଆଉଟ୍ ହୋଇଥିଲେ । ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ରଣଜୀରେ ଭଲ ରନ୍ କରିବାର ତାଙ୍କ ଆଶାକୁ ଜାମ୍ମୁ କାଶ୍ମୀର ବୋଲର ଉମର ନାଜିର ଧୂଳିସାତ କରିଥିଲେ । ସେହିପରି ମୁମ୍ୱାଇ ପାଇଁ ଖେଳୁଥିବା ଭାରତୀୟ ଟିମର ଅନ୍ୟ ଜଣେ ଯୁବ ଷ୍ଟାର ଖେଳାଳି ଯଶସ୍ୱୀ ଜୈୱାଲ ୪ ରନ୍‌ରେ ଆଉଟ୍ ହୋଇଥିଲେ ।

ଚାମ୍ପିଅନ୍ସ ଟ୍ରଫି ପାଇଁ ଘୋଷଣା ହୋଇଥିବା ଭାରତୀୟ ଟିମର ସଦସ୍ୟ ଥିବା ଶ୍ରେୟସ ଆୟର ମଧ୍ୟ ଆଜି ଫେଲ୍ ମାରିଛନ୍ତି । ଶ୍ରେୟସ ଆୟର କେବଳ ୧୧ ରନ୍ କରି ଆଉଟ୍ ହୋଇଥିଲେ । ଜାମ୍ମୁ କାଶ୍ମୀର ବିପକ୍ଷରେ ମୁମ୍ୱାଇ ଟିମ୍ ପ୍ରଥମ ଇନିଂସରେ ୩୩.୨ ଓଭର ଖେଳି ମାତ୍ର ୧୨୦ ରନ୍ କରିବାରେ ସଫଳ ହେଲା । ସେହିପରି ୨୦୧୭-୧୮ ସିଜିନ ପରେ ପ୍ରଥମ ଥର ଦିଲ୍ଲୀ ପାଇଁ ରଣଜୀ ଖେଳିଥିବା ରିଷଭ ପନ୍ତ ମଧ୍ୟ ନିରାଶ କରିଛନ୍ତି ।

ରିଷଭ ପନ୍ତ ୧୦ ବଲ ଖେଳି କେବଳ ୧ ରନ୍ କରି ଆଉଟ୍ ହୋଇଥିଲେ । ସୋରାଷ୍ଟ୍ର ପାଇଁ ଦୀର୍ଘ ବର୍ଷରୁ ଖେଳୁଥିବା ବାମହାତୀ ସ୍ପିନ୍ ବୋଲର ଧର୍ମେନ୍ଦ୍ର ସିଂହ ଜାଡେଜାଙ୍କ ଶିକାର ହୋଇଥିଲେ । ସେହିପରେ ବେଙ୍ଗାଲୁରୁ ଖେଳାଯାଉଥିବା କର୍ଣ୍ଣାଟକ ବିପକ୍ଷ ମ୍ୟାଚ୍‌ରେ ପଞ୍ଜାବ କ୍ୟାପ୍ଟେନ ଶୁଭମନ୍ ଗିଲ୍‌ ମାତ୍ର ୪ ରନ୍ କରି ଆଉଟ ହୋଇଥିଲେ ।

ଇଂଲଣ୍ଡ ବିପକ୍ଷରେ ଦିନିକିଆ ମ୍ୟାଚ୍ ଖେଳିବା ପୂର୍ବରୁ ରୋହିତ, ଜୈସ୍ୱାଲ ଏବଂ ଆୟରଙ୍କ ପାଇଁ ଏହା କେବଳ ଏକମାତ୍ର ରଣଜୀ ମ୍ୟାଚ୍ ଥିଲା ।