ଶାମିଙ୍କ ଘାତକ ବୋଲିଂ ପରେ ଶୁଭମନ ଗିଲଙ୍କ ଦମଦାର ଶତକ ଦେଖି ଡରିଲା ପାକିସ୍ତାନ
India vs Bangladesh, Champions Trophy 2025: ମହମ୍ମଦ ଶାମିଙ୍କ ୫ ଓ୍ଵିକେଟ୍ ସଫଳତା ଓ ଶୁଭମନ ଗିଲ୍ଙ୍କ ଦମଦାର ଅପରାଜିତ ଶତକ ବଳରେ ଚାମ୍ପିଅନ୍ସ ଟ୍ରଫିର ଦ୍ଵିତୀୟ ମ୍ୟାଚ୍ରେ ଭାରତ ୬ ଓ୍ଵିକେଟ୍ରେ ବାଂଲାଦେଶକୁ ହରାଇ ସହଜରେ ବିଜୟ ହାସଲ କରିପାରିଛି। ଏଥିସହ ଭାରତ ବିଜୟରୁ ନିଜର ଅଭିଯାନ ଆରମ୍ଭ କରିଛି।
ପ୍ରଥମେ ବ୍ୟାଟିଂ କରିଥିବା ବାଂଲାଦେଶ ତୋହିଦ ହୃଦୟଙ୍କ ଶତକ ଓ ଜାକେର ଅଲ୍ଲୀଙ୍କ ୬୮ ରନ ବଳରେ ୨୨୮ ରନ କରିଥିଲା। ଜବାବରେ ଭାରତ ୪୬.୩ ଓଭରରେ ୪ ଓ୍ଵିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଛି। ଗିଲ୍ ୧୨୯ ବଲ୍ରେ ଅପରାଜିତ ରହି ୧୦୧ ରନ୍ କରିଥିଲେ, ଯେତେବେଳେ କେଏଲ୍ ରାହୁଲ ଏକ ସୁନ୍ଦର ଛକା ମାରି ବିଜୟୀ ରନ କରିଥିଲେ ଏବଂ ୪୭ ବଲ୍ରେ ଅପରାଜିତ ରହି ୪୧ ରନ୍ କରିଥିଲେ। ଗିଲ୍ ଏବଂ ରାହୁଲଙ୍କ ମଧ୍ୟରେ ଭାଗିଦାରୀ ୯୮ ବଲ୍ରେ ଅପରାଜିତ ରହି ୮୭ ରନ୍ କରିଥିଲା।
୨୨୯ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ଭାରତକୁ ଦୁଇ ଓପନର ଅଧିନାୟକ ରୋହିତ ଶର୍ମା ଓ ଉପ ଅଧିନାୟକ ଶୁଭମନ ଗିଲ୍ ଦମଦାର ଆରମ୍ଭ ଦେଇଥିଲେ। ରୋହିତ ଆରମ୍ଭରୁ ଦ୍ରୁତ ବ୍ୟାଟିଂ କରିଥିଲେ। ପ୍ରଥମ ଓ୍ଵିକେଟ୍ରେ ଦୁଇ ବ୍ୟାଟର ୬୯ ରନ ଯୋଡ଼ି ବିଜୟର ମୂଳଦୁଆ ପକାଇଥିଲେ। ରୋହିତ ବଡ଼ ସଟ୍ ଖେଳିବାକୁ ଯାଇ ୩୬ ବଲ୍ରୁ ୭ ଚୌକା ଜରିଆରେ ୪୧ ରନ କରିଥିଲେ। ବିରାଟ କୋହଲି କ୍ରିଜରେ ଜମି ଆସିଥିଲେ ହେଁ ୨୨ ରନ କରି ଫେରିଥିଲେ। ମଧ୍ୟକ୍ରମରେ ଭାରତ ଶୀଘ୍ର ୨ଟି ଓ୍ଵିକେଟ୍ ହରାଇ ଟିକେ ଚାପଗ୍ରସ୍ତ ହୋଇଥିଲା। ଶ୍ରେୟସ ଆୟର(୧୫) ଓ ଅକ୍ଷର ପଟେଲ୍(୮) ଆଉଟ୍ ହୋଇଥିଲେ।
ଏହା ପରେ ଗିଲ୍ ଓ କେଏଲ ରାହୁଲ ଦଳର ବ୍ୟାଟିଂ ମୋର୍ଚ୍ଚା ସମ୍ଭାଳିଥିଲେ। ଦୁଇ ବ୍ୟାଟର ଦଳକୁ ଆଉ କୌଣସି କ୍ଷତି ହେବାକୁ ଦେଇ ନ ଥିଲେ। ଗିଲ୍କୁ ଉତ୍ତମ ସହାୟତା କରିଥିଲେ କେଏଲ ରାହୁଲ। ଗିଲ୍ ନିଜର ଫର୍ମ ବଜାୟ ରଖି ଦିନିକିଆ କ୍ୟାରିୟରରେ ଅଷ୍ଟମ ଶତକ ହାସଲ କରିଛନ୍ତି। ଗିଲ୍ଙ୍କ କ୍ରମାଗତ ଦୁଇଟି ମ୍ୟାଚ୍ରେ ଶତକ ହାସଲ କରିଛନ୍ତି। ଏହା ପୂର୍ବରୁ ଇଂଲଣ୍ଡ ବିପକ୍ଷ ଶେଷ ଦିନିକିଆରେ ଏହି ଉଦୀୟମାନ ବ୍ୟାଟର ଶତକ ଅର୍ଜନ କରିଥିଲେ। ଗିଲ୍ ଓ କେଏଲ ଅବିଭାଜିତ ପଞ୍ଚମ ଓ୍ଵିକେଟ୍ରେ ୮୭ ରନ ଯୋଡ଼ି ଦଳକୁ ୬ ଓ୍ଵିକେଟ୍ରେ ଜିତାଇଛନ୍ତି। ଗିଲ୍ ୧୨୯ ବଲ୍ରୁ ୯ ଚୌକା ଓ ୨ ଛକା ସହ ୧୦୧ ରନ ଓ କେଏଲ ରାହୁଲ ୪୧ ରନ କରି ଅପରାଜିତ ଅଛନ୍ତି।
ଏହି ମ୍ୟାଚ୍ରେ ମହମ୍ମଦ ଶାମି ୫ ଓ୍ଵିକେଟ୍ ନେଇ ଦଳ ବିଜୟରେ ଗୁୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ଆସନ୍ତା ୨୩ ତାରିଖରେ ଭାତର ପାରମ୍ପରିକ ପ୍ରତିଦ୍ଵନ୍ଦ୍ଵୀ ପାକିସ୍ତାନକୁ ଭେଟିବ।