BCCIର କଡା ନିଷ୍ପତ୍ତି, ଦଳରୁ ବିଦା ହେବେ ରୋହିତ ଓ ଗମ୍ଭୀର, ଏହି ଖେଳାଳି ହେବେ ନୂତନ ଅଧିନାୟକ
ଅଧିନାୟକ ରୋହିତ ଶର୍ମା ଏବଂ କୋଚ୍ ଗୌତମ ଗମ୍ଭୀରଙ୍କୁ ଅନ୍ତିମ ଚୀତାବାଣୀ ଦେଇଛି ବିସିସିଆଇ । ବର୍ଡର ଗାଭାସ୍କର ଟ୍ରଫିରେ ଯଦି ଭାରତ ପୁଣି ଖରାପ ଫର୍ମ ଜାରି ରଖେ ତେବେ ରୋହିତ ବିଦା ହେବା ରାସ୍ତା ଖୋଲିଯିବ । ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳା ଯାଇଥିବା ଟେଷ୍ଟ ସିରିଜ୍ରେ ଲଜ୍ଜାଜନକ ପରାଜୟ ବରଣ କରିଥିଲା ଟିମ୍ ଇଣ୍ଡିଆ । ଟେଷ୍ଟ ସିରିଜ୍ରେ ଏମିତି ପରାଜୟ ଇତିହାସରେ କେବେ ହୋଇନଥିଲା । ନିଜ ମାଟିରେ ନ୍ୟୁଜିଲାଣ୍ଡ ଠାର ୦-୩ରେ ସିରିଜ୍ ପରାଜିତ ହୋଇଥିଲା ଭାରତୀୟ ଦଳ ।
ସେପଟେ ଭାରତର ବିଶ୍ବ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ ଖେଳିବା ଆଶା ମଧ୍ୟ କମିବାରେ ଲାଗିଛି । କାରଣ ନ୍ୟୁଜିଲାଣ୍ଡ ସିରିଜ ପରାଜୟ ପରେ ଏବେ ଦଳକୁ ଆଉ ୫ଟି ଟେଷ୍ଟରୁ ୪ ଟି ଜିତିବାକୁ ହେବ । ଯାହାକି ଏତେ ସହଜ ହେବ ନାହିଁ । କାରଣ ଅଷ୍ଟ୍ରେଲିଆ ମାଟିରେ କଙ୍ଗାରୁ ଦଳକୁ ହରାଇବା କାଠିକର ପାଠ ହେବ ।
ଭାରତୀୟ ଦଳର ଏଭଳି ପରାଜୟକୁ ନେଇ ଅନେକ ପ୍ରଶ୍ନ ଉଠୁଛି । ସୋସିଆଲ ମିଡିଆରେ ଅନେକ କମେଣ୍ଟସ୍ ବି ଦେଖିବାକୁ ମିଳୁଛି । କାହିଁକି ହାରିଲା ଭାରତ? କେଉଁଠି ରହିଲା ଭୁଲ? ଏ ତମାମ୍ ଦିଗକୁ ନେଇ ମାରଥନ୍ ବୈଠକ କରୁଛି BCCI ।
ବିସିସିଆଇ ପକ୍ଷରୁ ଏହାକୁ ନେଇ ପ୍ରାୟ ୬ ଘଣ୍ଟା ଧରି ବୈଠକ ହୋଇଥିଲା । ଯେଉଁଥିରେ ଅଧିନାୟକ ରୋହିତ ଶର୍ମାଙ୍କ ସମେତ ହେଡ୍ କୋଚ୍ ଗୌତମ ଗମ୍ଭୀରଙ୍କୁ ମଧ୍ୟ ଡକାଯାଇଥିଲା । ତାଙ୍କ ସହିତ ଭାରତୀୟ ଦଳର ଚୟନ କମିଟି ମୁଖ୍ୟ ଅଜିତ ଅଗରକର ମଧ୍ୟ ଉପସ୍ଥିତ ଥିଲେ ।
ପ୍ରାୟ ୬ ଘଣ୍ଟା ଧରି ରୋହିତ, ଗମ୍ଭୀର ଓ ଅଗରକରଙ୍କ ସହିତ କଥା ହୋଇଥିଲେ ବିସିସିଆଇ ସଚିବ ଜୟ ଶାହ ଏବଂ ଅଧ୍ୟକ୍ଷ ରୋଜର୍ ବିନ୍ନି । ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟରେ ଭାରତର ସିରିଜ୍ ମୂଳପୋଛର କାରଣ ଖୋଜିବା ସହିତ ବିସ୍ତାର ଭାବେ ସମୀକ୍ଷା କରିଥିଲେ । ବୈଠକରେ ବିଶେଷକରି ଗୌତମ ଗମ୍ଭୀରଙ୍କ କୋଚିଂ ଶୈଳୀ, ଜସପ୍ରୀତ ବୁମରାହଙ୍କୁ ବିଶ୍ରାମ ଦେବା ଏବଂ ଆହୁରି ଅନେକ କାରଣକୁ ନେଇ ଆଲୋଚନା ହୋଇଥିଲା । ଦକ୍ଷିଣ ଆଫ୍ରିକା ଗସ୍ତରେ ଥିବା ଗୌତମ ଗମ୍ଭୀର ଭର୍ଚୁଆଲରେ ସାମିଲ ହୋଇଥିଲେ ।
ଆଗକୁ ଅଷ୍ଟ୍ରେଲିଆ ଗସ୍ତରେ ବର୍ଡର ଗାଭାସ୍କର ଟ୍ରଫି ଖେଳିବ ଟିମ୍ ଇଣ୍ଡିଆ । ଆଉ ଦଳ କିଭଳି ଭାବେ ପୁଣି ଟ୍ରାକ୍କୁ ଫେରିବ ସେ ନେଇ ହୋଇଥିଲା ଆଲୋଚନା । ବୋର୍ଡ ଏହା ମଧ୍ୟ ଚାହିଁବ କି ଥିଙ୍କ ଟ୍ୟାଙ୍କ ରୋହିତ-ଗମ୍ଭୀର-ଅଗରକର ଯୋଡି କଙ୍ଗାରୁ ଦଳକୁ ସଫଳ ମୁକାବିଲା କରନ୍ତୁ ।