ଏହି ଗୋଟିଏ ସର୍ତ୍ତରେ ପାକିସ୍ତାନ ହାଇବ୍ରିଡ ମଡେଲ ପାଇଁ ହେଲା ରାଜି, ଚାମ୍ପିଅନ୍ସ ଟ୍ରଫି 2025 ରୁ ଆରମ୍ଭ ହେଲା ଏହି ନିୟମ
ହାଇବ୍ରିଡ ମଡେଲ ପାଇଁ ଭାରତ ଅନୁମୋଦନ ଲାଭ କରିଛି। କିନ୍ତୁ ପାକିସ୍ତାନ ଏବଂ ଭାରତ ମଧ୍ୟରେ ଏକ ଚୁକ୍ତି ହୋଇଛି ଯେ ଏହି ନିୟମ 2027 ବର୍ଷ ପର୍ଯ୍ୟନ୍ତ ବଳବତ୍ତର ରହିବ। ଏହା ପଛର ବଡ କାରଣ ହେଉଛି ପାକିସ୍ତାନ ଆଉ ଭାରତରେ ମ୍ୟାଚ୍ ଖେଳିବ ନାହିଁ ବରଂ ଭାରତ ଭଳି ହାଇବ୍ରିଡ୍ ମଡେଲରେ ଏହାର ମ୍ୟାଚ୍ ଖେଳିବ।
୨୦୨୭ ପର୍ଯ୍ୟନ୍ତ ଆଇସିସିର କୌଣସି ବି ଟୁର୍ଣ୍ଣାମେଣ୍ଟରେ ଭାରତ ଓ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମୁକାବିଲା ନିରପେକ୍ଷ ସ୍ଥାନରେ ଖେଳାଯିବ। ଆଗାମୀ କିଛି ବର୍ଷରେ ଆଇସିସି ଟୁର୍ଣ୍ଣାମେଣ୍ଟରେ ଭାରତ ଓ ପାକିସ୍ତାନ ତିନି ଥର ମୁହାଁମୁହିଁ ହେବେ। ଆସନ୍ତାବର୍ଷ ଚାମ୍ପିଅନ୍ସ ଟ୍ରଫି ଫେବୃଆରୀ ଓ ମାର୍ଚ୍ଚରେ ପାକିସ୍ତାନରେ ଖେଳାଯିବ। ପୁଣି ୨୦୨୫ରେ ଆଇସିସି ମହିଳା କ୍ରିକେଟ୍ ବିଶ୍ଵକପ୍ ଭାରତରେ ଖେଳାଯିବ। ୨୦୨୬ରେ ଆଇସିସି ପୁରୁଷ ଟି-୨୦ ବିଶ୍ଵକପ୍ ଭାରତ ଓ ଶ୍ରୀଲଙ୍କାର ମିଳିତ ଆନୁକୂଲ୍ୟରେ ଖେଳାଯିବ।
ଆଇସିସି ଅନୁଯାୟୀ, ମହିଳା ଟି-୨୦ ବିଶ୍ଵକପ୍ ୨୦୨୮ ପାକିସ୍ତାନରେ ଖେଳାଯିବ। ଏହି ଟୁର୍ଣ୍ଣାମେଣ୍ଟ ମଧ୍ୟ ହାଇବ୍ରିଡ ମଡେଲରେ ଖେଳାଯିବ। ପାକିସ୍ତାନକୁ ଆୟୋଜନ ଅଧିକାର ମିଳିଥିବା ବେଳେ ଭାରତ ନିଜର ମ୍ୟାଚ୍ ନିରପେକ୍ଷ ସ୍ଥାନରେ ଖେଳିବ।
ତେବେ ଏ ପର୍ଯ୍ୟନ୍ତ ଚାମ୍ପିଅନ୍ସ ଟ୍ରଫିର କ୍ରୀଡ଼ାସୂଚୀ ଘୋଷଣା ହୋଇନି। ଆୟୋଜନ ନେଇ ଲାଗି ରହିଥିବା ବିବାଦର ଅନ୍ତ ଘଟିବା ପରେ ଆଶା କରାଯାଉଛି ଶୀଘ୍ର ଚାମ୍ପିଅନ୍ସ ଟ୍ରଫିର ସିଡ୍ୟୁଲ୍ ଜାରି କରାଯିବ। ଚାମ୍ପିଅନ୍ସ ଟ୍ରଫି ଫେବୃଆରୀ ୧୯ରୁ ଆରମ୍ଭ ହୋଇ ମାର୍ଚ୍ଚ ୯ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିରେ ଅଂଶଗ୍ରହଣ କରୁଥିବା ୮ଟି ଦଳକୁ ଦୁଇଟି ଗ୍ରୁପରେ ବିଭକ୍ତ କରାଯିବ। ପ୍ରତିଟି ଗ୍ରୁପର ଶୀର୍ଷ ଦୁଇ ଦଳ ସେମି ଫାଇନାଲ୍ରେ ପହଞ୍ଚିବେ। ଏହା ପରେ ଫାଇନାଲ୍ ମୁକାବିଲା ଖେଳାଯିବ।