ଭାରତୀୟ କ୍ରିକେଟ ଇତିହାସରେ ଜସପ୍ରୀତ ବୁମ୍ରା କଲେ ବଡ଼ ରେକର୍ଡ, କପିଲ ଦେବଙ୍କ ସହ ସମାନ ହେଲେ

କ୍ରିକେଟ ଖବର : କେପଟାଉନର ନ୍ୟୁଲାଣ୍ଡସ୍ ଗ୍ରାଉଣ୍ଡରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ନିର୍ଣ୍ଣୟକାରୀ ଟେଷ୍ଟ ଖେଳାଯାଉଛି। ଭାରତ ଦ୍ଵିତୀୟ ଇନିଂସରେ ମାତ୍ର ୧୯୮ ରନ କରିବାରେ ସମର୍ଥ ହୋଇଛି। ଏହି ୧୯୮ ରନ ମଧ୍ୟରୁ ରିଷଭ ପନ୍ତ ହିଁ କେବଳ ୧୦୦ ରନ କରିଛନ୍ତି। ଆଉ ବାକି ଖେଳାଳି ମିଶି ୯୮ ରନ ସଂଗ୍ରହ କରିଛନ୍ତି। ତେବେ ଯଦି ଆମେ ପ୍ରଥମ ଇନିଂସ ବିଷୟରେ ଆଲୋଚନା କରିବା ତେବେ , ଭାରତ ପ୍ରଥମେ ବ୍ୟାଟିଂ କରି ୧୦ ଓ୍ବିକେଟ୍ ବିନିମୟରେ ୨୨୩ ରନ କରିଥିଲା। ଜବାବରେ ଦକ୍ଷିଣ ଆଫ୍ରିକା ଦଳ ମାତ୍ର ୨୧୦ ରନରେ ଅଲ ଆଉଟ୍ ହୋଇଯାଇଥିଲା।

ଭାରତର ଦ୍ରୁତ ବୋଲର ଜସପ୍ରୀତ ବୁମ୍ରା ଦକ୍ଷିଣ ଆଫ୍ରିକାର ବ୍ୟାଟିଂ ଲାଇନ ଅପକୁ ଧ୍ବଂସ କରିଦେଇଥିଲେ। ପ୍ରଥମ ଇନିଂସରେ ସେ ଦକ୍ଷିଣ ଆଫ୍ରିକାର ୫ ଜଣ ବ୍ୟାଟ୍ସମ୍ୟାନଙ୍କୁ ତାଙ୍କର ବୋଲିଂରେ ଆଉଟ୍ କରି ପାଭିଲିୟନ ପଠାଇଥିଲେ। ଯାହା ଫଳରେ ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସରେ କେବଳ ୨୧୦ ରନ କରିବାକୁ ସମର୍ଥ ହୋଇଥିଲା।

ଜସପ୍ରୀତ ବୁମ୍ରାଙ୍କ ପାଇଁ ଏହି ଗ୍ରାଉଣ୍ଡ ଅତ୍ୟନ୍ତ ସ୍ୱତନ୍ତ୍ର, କାରଣ ୫ ଜାନୁଆରୀ ୨୦୧୮ ମସିହାରେ ବୁମ୍ରା ଏହି ଗ୍ରାଉଣ୍ଡରେ ଟେଷ୍ଟ ଡେବ୍ୟୁ କରିଥିଲେ। ଆଉ ବର୍ତ୍ତମାନ ଏହି ଗ୍ରାଉଣ୍ଡରେ ଡେବ୍ୟୁ କରିବାର ୪ ବର୍ଷ ପରେ ବୁମ୍ରା ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ଟେଷ୍ଟ ମ୍ୟାଚର ଦ୍ୱିତୀୟ ଦିନରେ ୫ ୱିକେଟ୍ ନେଇଛନ୍ତି। ଏହି ୫ ଟି ୱିକେଟ୍ ନେବା ସହିତ ବୁମରା କିମ୍ବଦନ୍ତୀ କପିଲ ଦେବଙ୍କ ସମକ୍ଷକ ହୋଇପାରିଛନ୍ତି।
ଗତକାଲିର ମ୍ୟାଚରେ ଜସପ୍ରୀତ ବୁମ୍ରା ତାଙ୍କ ଚମତ୍କାର ବୋଲିଂ ଯୋଗୁଁ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ତଥା କିମ୍ବଦନ୍ତୀ ଅଲରାଉଣ୍ଡର କପିଲ ଦେବଙ୍କ ସହିତ ସମାନ ହୋଇପାରିଛନ୍ତି।

କପିଲ ଦେବ ତାଙ୍କ କ୍ୟାରିୟର ସମୟରେ ୨୭ ଟେଷ୍ଟ ମ୍ୟାଚରେ ୭ ଥର ଏକ ଇନିଂସରେ ୫ ଟି ୱିକେଟ୍ ନେଇଥିଲେ। ଆଉ ବର୍ତ୍ତମାନ ବୁମରା ୨୭ ଟି ଟେଷ୍ଟ ଖେଳି ସମାନ ଭାବରେ ସାତ ଥର ପାଇଁ ୫ ଟି ୱିକେଟ୍ ନେଇଛନ୍ତି।
କେପଟାଉନରେ ୫ ଟି ୱିକେଟ୍ ନେବାରେ ଜସପ୍ରୀତ ବୁମ୍ରା ତୃତୀୟ ଭାରତୀୟ ବୋଲର ହୋଇଗଲେ। ଏହାପୂର୍ବରୁ ସ୍ପିନ୍ ବୋଲର ହରଭଜନ ସିଂ ଏବଂ ଫାଷ୍ଟ ବୋଲର ଏସ୍ ଶ୍ରୀସାନ୍ତ କେପଟାଉନରେ ୫ଟି ୱିକେଟ୍ ନେଇ ସାରିଛନ୍ତି। ସୂଚନା ଥାଉ ଯେ, ଶ୍ରୀସନ୍ତ ଗୋଟିଏ ଟେଷ୍ଟ ମ୍ୟାଚର ଗୋଟିଏ ଇନିଂସରେ ୧୧୪ ରନ୍ ବ୍ୟୟ କରି ୫ ଟି ୱିକେଟ୍ ନେଇଥିବା ବେଳେ, ହରଭଜନ ସିଂଙ୍କ ୧୨୦ ରନ ଦେଇ ୭ଟି ୱିକେଟ୍ ନେଇଥିଲେ। କିନ୍ତୁ ବୁମରା ମାତ୍ର ୪୨ ରନ୍ ବ୍ୟୟ କରି ୫ଟି ୱିକେଟ୍ ନେଇଛନ୍ତି ଯାହା ଏକ ଅଭିନ୍ନ ରେକର୍ଡ।