ଆଡିଲେଡ୍ରେ ପିଙ୍କ ବଲ୍ ଜାଲରେ ଫସିଲା ଭାରତ, ଦ୍ଵିତୀୟ ଟେଷ୍ଟରେ ଲଜ୍ଜାଜନକ ପରାଜୟ
ଅଷ୍ଟ୍ରେଲିଆ ଟିମ୍ ର ବଡ଼ ପ୍ରତ୍ୟାବର୍ତନ । ପର୍ଥରେ ହାରିଲା ଏବଂ ଏବେ ଆଡିଲେଡ୍ରେ ନେଲା ପ୍ରତିଶୋଧ । ଭ୍ରମଣକାରୀ ଭାରତୀୟ ଟିମ୍କୁ ୨ୟ ଟେଷ୍ଟ ମ୍ୟାଚ୍ରେ ୧୦ ଓ୍ୱିକେଟ୍ରେ ପରାସ୍ତ କରିଛି ଅଷ୍ଟ୍ରେଲିଆ ଦଳ । ଯାହାଫଳରେ ବର୍ଡର-ଗାଭାସ୍କର ସିରିଜ୍ରେ ଉଭୟ ଟିମ୍ ୧-୧ରେ ରହିଛନ୍ତି ।
ଦ୍ୱିତୀୟ ଇନିଂସରେ ଭାରତ ମୋଟ ୧୭୫ ରନ କରି ଅଲଆଉଟ ହୋଇଥିଲା । ଭାରତୀୟ ଦଳର ବ୍ୟାଟିଂ ଅର୍ଡର ଧ୍ୱସ୍ତବିଧ୍ୱସ୍ତ କରି ଦେଇଥିଲେ ଅଷ୍ଟ୍ରେଲୀୟ ବୋଲର । ଭାରତୀୟ ଓପନର ଯଶସ୍ୱୀ ଜୟସ୍ୱାଲ ଦ୍ୱିତୀୟ ଇନିଂସରେ ମାତ୍ର ୨୪ ରନ କରି ଆଉଟ ହୋଇଥିଲେ ।
ତାପରେ କିଙ୍ଗ କୋହଲି, ହିଟମ୍ଯାନ ରୋହିତ ଶର୍ମା ଓ ପନ୍ତ ମଧ୍ଯ ଚାଲି ନ ଥିଲେ । ନୀତିଶ କୁମାର ରେଡ୍ଡି ସଂଘର୍ଷ କରି ୪୨ ରନର ପାଳି ଖେଳି ବିଫଳ ହୋଇଥିଲେ । ଦ୍ୱିତୀୟ ଇନିଂସରେ କଙ୍ଗାରୁ ଦଳ ଅଧିନାୟକ ପ୍ଯାଟ କମିନ୍ସ ମୋଟ ୫ ୱିକେଟ ଦାଖଲ କରିଥିଲେ । ମିଚେଲ ଷ୍ଟାର୍କଙ୍କୁ ୨ ଓ ବୋଲାଣ୍ଡଙ୍କୁ ୩ ୱିକେଟ ମିଳିଥିଲା ।
ପ୍ରକାଶଥାଉ ଯେ ପ୍ରଥମ ଇନିଂସରେ କଙ୍ଗାରୁ ଦଳ ଟ୍ରାଭିସ ହେଡଙ୍କ ବିସ୍ପୋରକ ୧୪୦ ଓ ଲାବୁସାନେଙ୍କ ୬୪ ରନ ବଳରେ ମୋଟ ୩୩୭ ରନର ବିଶାଳ ସ୍କୋର କରିଥିଲା । ଭାରତ ନିଜର ପ୍ରଥମ ଇନିଂସରେ ମାତ୍ର ୧୮୦ ରନରେ ଅଲଆଉଟ ହୋଇଥିଲା । ଫଳରେ ଟିମ୍ କଙ୍ଗାରୁ ସହଜ ବିଜୟ ହାସଲ କରିଛି ଆଡିଲେଡରେ ।
ଟିମ ଇଣ୍ଡିଆର ପ୍ରଥମ ମ୍ୟାଚ୍ରେ ବିଜୟ, ଅଷ୍ଟ୍ରେଲିଆର ପ୍ରଥମ ମ୍ୟାଚରେ ପରାଜୟ ନେଇ ପଡିଆକୁ ଓହ୍ଲାଇଥିଲେ । ହେଲେ ୨ୟ ମ୍ୟାଚ୍ ଆରମ୍ଭ ହେବା ମାତ୍ରେ ଅଷ୍ଟ୍ରେଲିଆ ଟିମ୍ ନିଜର ସମସ୍ତ ରଣକୌଶଳ ବ୍ୟବହାର କରି ଟିମ୍ ଇଣ୍ଡିଆ ଉପରେ ଭାରି ପଡିଥିଲା ।