ଦ୍ଵିତୀୟ ଟେଷ୍ଟ ଜିତିବା ପରେ ମଧ୍ୟ ଯୁବ ଖେଳାଳିଙ୍କ ଉପରେ ବର୍ଷିଲେ ଦ୍ରାଭିଡ଼! ଦେଲେ ଏଭଳି ଚେତାବନୀ….
ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଜାରି ରହିଛି। ପ୍ରଥମ ମ୍ୟାଚରେ ଇଂଲଣ୍ଡ ବିଜୟ ଲାଭ କରିଥିବା ବେଳେ ଦ୍ଵିତୀୟ ଟେଷ୍ଟକୁ ଭାରତ ବଡ଼ ବ୍ୟବଧାନରେ ଜିତିଛି। ଏହା ସତ୍ତ୍ୱେ ଏହି ସିରିଜରେ ଇଂଲଣ୍ଡ ଭାରତୀୟ ଦଳକୁ କଡା ଟକ୍କର ଦେଉଥିବା ଦେଖିବାକୁ ମିଳିଛି। ଆଗାମୀ ୩ଟି ମ୍ୟାଚ ପାଇଁ ଭାରତୀୟ ଦଳରେ କିଛି ପରିବର୍ତ୍ତନ ମଧ୍ୟ ଦେଖିବାକୁ ମିଳିପାରେ।
ଏପର୍ଯ୍ୟନ୍ତ ସୁଦ୍ଧା ଆଗାମୀ ତିନୋଟି ଟେଷ୍ଟ ପାଇଁ ବିରାଟ କୋହଲି ଦଳକୁ ପ୍ରତ୍ୟାବର୍ତ୍ତନ କରୁଛନ୍ତି କି ନାହିଁ ସେଥିନେଇ କୌଣସି ସୂଚନା ମିଳିପାରିନାହିଁ। ତେବେ, ଅନ୍ୟ କିଛି ବ୍ୟାଟରଙ୍କ ପ୍ରଦର୍ଶନ ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଖାସ୍ କରି ୱିକେଟରକ୍ଷକ କେ.ଏସ୍ ଭରତଙ୍କ ବ୍ୟାଟିଂ ପ୍ରଦର୍ଶନ ଭଲ ରହିନାହିଁ।
ତାଙ୍କ ସ୍ଥାନରେ ଦଳରେ ଇଶାନ କିଷନଙ୍କୁ ସ୍ଥାନ ଦେବାପାଇଁ ଦାବି ହେଉଛି। ଦ୍ଵିତୀୟ ଟେଷ୍ଟ ଜିତିବା ପରେ ପ୍ରେସ୍ କନଫରେନ୍ସରେ ଏଥିନେଇ ଦ୍ରାଭିଡ଼ଙ୍କୁ ପଚରା ଯାଇଥିଲା। ଇଶାନ ଭାରତୀୟ ଦଳର ସ୍କିମ୍ ରେ ରହିଛନ୍ତି କିନ୍ତୁ ଦଳକୁ ଫେରିବାକୁ ହେଲେ ତାଙ୍କୁ ଘରୋଇ ରଣଜୀ ଟ୍ରଫିରେ ଭଲ ପ୍ରଦର୍ଶନ କରିବାକୁ ହେବ ବୋଲି ସେ କହିଛନ୍ତି।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ଇଶାନ ଦୀର୍ଘ ସମୟ ଧରି ଟିମ୍ ସହିତ ଟ୍ରାଭେଲ୍ କରୁଥିବା ବେଳେ ତାଙ୍କ ଚୂଡାନ୍ତ ଏକାଦଶରେ ଖେଳାଯାଉନଥିଲା। ଯେଉଁଥିପାଇଁ ଇଶାନ ନିଜେ ଦଳରୁ ବିଶ୍ରାମ ମାଗିଥିଲେ। ଏହି କଥାକୁ ନେଇ ଦ୍ରାଭିଡ୍ ତାଙ୍କ ଉପରେ ବେସ୍ ଖପ୍ପା ଥିବା ମଧ୍ୟ କୁହାଯାଏ। ଇଶାନ ଏପର୍ଯ୍ୟନ୍ତ ସୁଦ୍ଧା ଝାଡ଼ଖଣ୍ଡ ପକ୍ଷରୁ ଚଳିତ ରଣଜୀ ଟ୍ରଫିରେ ମ୍ୟାଚ ଖେଳିନାହାଁନ୍ତି।
ଇଶାନ ଘରୋଇ ଟୁର୍ଣ୍ଣାମେଣ୍ଟରେ ଭଲ ପ୍ରଦର୍ଶନ କରିଲେ ହିଁ ତାଙ୍କୁ ଭାରତୀୟ ଦଳରେ ସାମିଲ କରାଯିବ ବୋଲି ସ୍ପଷ୍ଟ ଭାବରେ କହିଛନ୍ତି ଦ୍ରାଭିଡ୍। ଏଠାରେ ଉଲ୍ଲେଖଯୋଗ୍ୟ ଯେ କେବଳ ଟେଷ୍ଟ ନୁହେଁ ବରଂ ଉଭୟ ଦିନିକିଆ ଏବଂ ଟି-୨୦ ଦଳରେ ମଧ୍ୟ ଇଶାନଙ୍କୁ ସୁଯୋଗ ମିଳୁନାହିଁ।