ODI ରୁ ସନ୍ନ୍ୟାସକୁ ନେଇ ପ୍ରେସ୍‌ମିଟ୍‌ରେ ସ୍ପଷ୍ଟ କଲେ କ୍ୟାପ୍‌ଟେନ୍‌ ରୋହିତ ଶର୍ମା

  1. Home
  2. Cricket News

ODI ରୁ ସନ୍ନ୍ୟାସକୁ ନେଇ ପ୍ରେସ୍‌ମିଟ୍‌ରେ ସ୍ପଷ୍ଟ କଲେ କ୍ୟାପ୍‌ଟେନ୍‌ ରୋହିତ ଶର୍ମା


ରୋହିତଙ୍କ ଅବସର: ଚାମ୍ପିୟନ୍ସ ଟ୍ରଫି ୨୦୨୫ ଟୁର୍ଣ୍ଣାମେଣ୍ଟ ଶେଷ ହେବା ପରେ ରୋହିତ ଶର୍ମା ଅବସର ନେଇପାରନ୍ତି ବୋଲି ଅନୁମାନ କରାଯାଉଥିଲା। ଫାଇନାଲ ମ୍ୟାଚ୍ ପାଖେଇ ଆସିବା ସହ ରୋହିତଙ୍କ ଅବସର ଗୁଜବ ଜୋର ଧରିଥିଲା ।  

ଚାମ୍ପିୟନ୍ସ ଟ୍ରଫିରେ ଭାରତର ଐତିହାସିକ ବିଜୟ ପରେ ଏବେ ଅଧିନାୟକ ରୋହିତ ଶର୍ମା ନିଜେ ଦିନିକିଆରୁ ତାଙ୍କ ଅବସର ନେଇ ମୁଁହ ଖୋଲିଛନ୍ତି। ରୋହିତ ସ୍ପଷ୍ଟ କରିଛନ୍ତି ଯେ, ତାଙ୍କର ଏବେ ଅବସର ନେବାର କୌଣସି ଯୋଜନା ନାହିଁ ।

ଭାରତ ଚାମ୍ପିୟନ୍ସ ଟ୍ରଫି ବିଜୟୀ ହେବାପରେ, ରୋହିତ ଶର୍ମାଙ୍କୁ ମ୍ୟାଚ୍‌ ପର ସାମ୍ବାଦିକ ସମ୍ମିଳନୀରେ ଅବସର ସମ୍ପର୍କରେ ପ୍ରଶ୍ନ କରାଯାଇଥିଲା । ରୋହିତ ନିଜ ଅବସର ସମ୍ପର୍କରେ ସ୍ପଷ୍ଟ କରି କହିଛନ୍ତି ଯେ, "ଏବେ ଅବସର ପାଇଁ କୌଣସି ଯୋଜନା ନାହିଁ । ଯାହା ଚାଲିଛି ତାହା ଜାରି ରହିବ । ମୁଁ ଦିନିକିଆ ଫର୍ମାଟରୁ ଅବସର ଏବେ ନେଉନାହିଁ । ଏବେଠାରୁ, ଦୟାକରି ଗୁଜବକୁ ଗୁରୁତ୍ୱ ଦିଅନ୍ତୁ ନାହିଁ ।" ଫାଇନାଲରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତର ୪ ୱିକେଟ ବିଜୟ ପରେ ରୋହିତଙ୍କ ଏହି ବୟାନ ଆସିଛି । ଫାଇନାଲ ମ୍ୟାଚ୍‌ରେ ସେ ୭୬ ରନର ଏକ ଦମ୍‌ଦାର୍‌  ଇନିଂସ ଖେଳିଥିଲେ । 

ଅଧିନାୟକ ରୋହିତ ଶର୍ମା ଚାମ୍ପିୟନ୍ସ ଟ୍ରଫିର ବିଜୟକୁ ସମଗ୍ର ଦେଶକୁ ଉତ୍ସର୍ଗ କରିଛନ୍ତି । ସେ କହିଥିଲେ ଯେ, ଯେତେବେଳେ ବି ଟିମ୍ ଇଣ୍ଡିଆ ମ୍ୟାଚ୍‌ ଖେଳୁଛି, ସମଗ୍ର ଦେଶବାସୀ ସମର୍ଥନ କରୁଛନ୍ତି । ତେଣୁ ଏହି ବିଜୟ ଦେଶବାସୀଙ୍କୁ ଉତ୍ସର୍ଗ କରୁଛୁ । ଏବଂ ମ୍ୟାଚ୍‌ରେ ଗୁରୁତ୍ୱପୂର୍ଣ୍ଣ ପାଳି ଖେଳିଥିବା ଶ୍ରେୟସ ଆୟରଙ୍କୁ ଜଣେ ସାଇଲେଣ୍ଟ୍‌ ହିରୋ ବୋଲି କହିଛନ୍ତି ।