କୋହଲିଙ୍କ ପରେ କଣ ରୋହିତ ହେବେ ନାହିଁ ଟେଷ୍ଟ ଅଧିନାୟକ ? ଏହି ୩ଜଣ ଖେଳାଳି ବି ଅଛନ୍ତି ଅଧିନାୟକ ହେବା ଦୌଡ଼ରେ

କ୍ରିକେଟ ଖବର : ଭାରତୀୟ ଟେଷ୍ଟ ଦଳର ଅଧିନାୟକ ବିରାଟ କୋହଲି , ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜରେ ଭାରତ ହାରିବା ପରେ ଏହି ଫର୍ମାଟର ଅଧିନାୟକ ପଦରୁ ଇସ୍ତଫା ଦେଇଛନ୍ତି। ଏଭଳି ପରିସ୍ଥିତିରେ ବର୍ତ୍ତମାନ ରୋହିତ ଶର୍ମାଙ୍କୁ ଟେଷ୍ଟ ଦଳର ଅଧିନାୟକ କରିବା ପାଇଁ ଆଲୋଚନା ଜୋର ଧରିଛି। ଅନ୍ୟପଟେ କୋହଲିଙ୍କ ଏହି ନିଷ୍ପତ୍ତି ନିଶ୍ଚିତ ଭାବରେ ଏକ ନୂଆ ବିବାଦ ସୃଷ୍ଟି କରିଛି। କାରଣ ୨୦୧୪ ମସିହାରେ, ତାଙ୍କୁ ଏହି ଫର୍ମାଟର ଅଧିନାୟକତ୍ୱ କରିବା ପାଇଁ ଦିଆଯାଇଥିଲା। ସେତେବେଳେ ଏମଏସ ଧୋନି ଅଷ୍ଟ୍ରେଲିଆ ବିପକ୍ଷ ସିରିଜର ମଝିରେ ନିଜର ଅଧିନାୟକ ପଦ ଛାଡିଥିଲେ।

କୋହଲି ଟେଷ୍ଟ ଫର୍ମାଟକୁ ନେଇ ଯେଉଁ ନିଷ୍ପତ୍ତି ନେଇଛନ୍ତି ତାହା ଅତ୍ୟନ୍ତ ଚକିତକର। ତାଙ୍କର ନିଷ୍ପତ୍ତି ଅନେକ ସାଥୀ ଖେଳାଳି ଏବଂ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ତେବେ ଏଠାରେ ଆମେ କହି ରଖୁଛୁ ଯେ, ଏହାପୂର୍ବରୁ ଦିନିକିଆ ଫର୍ମାଟର ଅଧିନାୟକତ୍ୱ କରିବାର କ୍ଷମତା କୋହଲିଙ୍କଠାରୁ ଛଡ଼ାଇ ନିଆଯାଇଥିଲା। ଯାହା ପରେ ଅନେକ ବିବାଦ ଦେଖାଦେଇଥିଲା। ଅନ୍ୟପଟେ ଏହାପୂର୍ବରୁ ସେ ନିଜ ଇଚ୍ଛାରେ ଟି-୨୦ ଇଣ୍ଟରନ୍ୟାସନାଲରେ ଅଧିନାୟକତ୍ୱ ଛାଡିବାକୁ ନିଷ୍ପତ୍ତି ନେଇଥିଲେ।

ପ୍ରକାଶ ଥାଉକି, ବର୍ତ୍ତମାନ ବିରାଟ କୋହଲି ଏହି ଘୋଷଣା ପରେ, ଚୟନକର୍ତ୍ତାଙ୍କ ସମ୍ମୁଖରେ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି ଟେଷ୍ଟ ଫର୍ମାଟର ପରବର୍ତ୍ତୀ ଅଧିନାୟକ କିଏ ହେବ ? ତେବେ ଏହି ରିପୋର୍ଟରେ, ଆଜି ଆମେ ରୋହିତ ଶର୍ମାଙ୍କୁ ଛାଡି ତିନିଜଣ ଖେଳାଳିଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁମାନେ ଚୟନକର୍ତ୍ତାଙ୍କର ଦୃଷ୍ଟି ଆକର୍ଷଣ କରିଛନ୍ତି।
୧) କେ.ଏଲ୍ ରାହୁଲ :

ରୋହିତ ଶର୍ମାଙ୍କ ପରେ, ଯଦି ଏହି ଅଧିନାୟକତ୍ୱ ପାଇଁ ଅନ୍ୟ କେହି ବଡ଼ ଦାବିଦାର ଅଛନ୍ତି, ତେବେ ସେ ହେଉଛନ୍ତି କେ.ଏଲ୍ ରାହୁଲ। ସେ ନିଜର ବ୍ୟାଟିଂ ଯାଦୁରେ ଚୟନକର୍ତ୍ତାଙ୍କର ଦୃଷ୍ଟି ଆକର୍ଷଣ କରିପାରିଛନ୍ତି। ସେ ଦକ୍ଷିଣ ଆଫ୍ରିକା ବିପକ୍ଷ ତିନି ଟେଷ୍ଟ ସିରିଜର ଅଧିନାୟକତ୍ୱ ମଧ୍ୟ କରିଛନ୍ତି। ବାସ୍ତବରେ ଜୋହାନ୍ସବର୍ଗ ଟେଷ୍ଟରେ ଆହତ କାରଣରୁ ବିରାଟ କୋହଲି ଖେଳିନଥିଲେ। ଆଉ ଏଭଳି ପରିସ୍ଥିତିରେ ଦଳର ଅଧିନାୟକତା କେ.ଏଲ୍ ନେଇଥିଲେ। ସେ ପ୍ରଥମ ଥର ପାଇଁ ଅନ୍ତର୍ଜାତୀୟ ଟେଷ୍ଟ କ୍ରିକେଟରେ ଅଧିନାୟକ ହେବାର ସୁଯୋଗ ପାଇଥିଲେ। ତେବେ ତାଙ୍କୁ ଏହି ମ୍ୟାଚରେ ପରାଜୟର ସାମ୍ନା କରିବାକୁ ପଡିଥିଲା। ଅନ୍ୟପକ୍ଷରେ ଟେଷ୍ଟ ଫର୍ମାଟରେ କେଏଲ୍ ଅଧିନାୟକ ହେବାର ସମ୍ଭାବନା ମଧ୍ୟ ଅଧିକା ରହିଛି। କାରଣ ସେ ମାତ୍ର ୨୯ ବର୍ଷ ବୟସର। ଏହା ସହିତ ହିଟମ୍ୟାନଙ୍କ ଅନୁପସ୍ଥିତିରେ ତାଙ୍କୁ ଦିନିକିଆ ଦଳର ଅଧିନାୟକତ୍ୱ ଭାର ନେବାର ସୁଯୋଗ ମଧ୍ୟ ଦିଆଯାଇଛି।
୨) ଜସପ୍ରୀତ ବୁମ୍ରା :

ରୋହିତ ଶର୍ମା ଏବଂ ରାହୁଲଙ୍କ ପରେ ଯେଉଁ ଖେଳାଳି ନିଜର ଖେଳକୁ ନେଇ ଚର୍ଚ୍ଚାରେ ଅଛନ୍ତି ସେ ହେଉଛନ୍ତି ଜସପ୍ରୀତ ବୁମ୍ରା। ନିକଟରେ ଦକ୍ଷିଣ ଆଫ୍ରିକା ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଜସପ୍ରୀତ ବୁମ୍ରାଙ୍କୁ ଭାରତୀୟ ଦଳର ଉପ-ଅଧିନାୟକଙ୍କ ଦାୟିତ୍ୱ ମଧ୍ୟ ଦିଆଯାଇଛି। ଏହା ବ୍ୟତୀତ ଜୋହାନ୍ସବର୍ଗ ଟେଷ୍ଟରେ ତାଙ୍କୁ ଉପ-ଅଧିନାୟକ ଦାୟିତ୍ୱ ମଧ୍ୟ ଦିଆଯାଇଥିଲା। ଆପଣ ଜାଣିଥିବେ ଯେ ବୁମରାଙ୍କ ଟେଷ୍ଟ କ୍ୟାରିୟର ବହୁତ ବଢିଆ। ଏହି ଫର୍ମାଟରେ ସେ ଦୁନିଆର ସବୁଠୁ ବଡ ଦ୍ରୁତ ବୋଲରଙ୍କୁ ମଧ୍ୟ ପଛରେ ପକାଇ ଦେଇଛନ୍ତି। ଏଭଳି ପରିସ୍ଥିତିରେ ତାଙ୍କୁ ଟିମ୍ ଇଣ୍ଡିଆର ଟେଷ୍ଟ ଅଧିନାୟକତ୍ୱ ମଧ୍ୟ ଦିଆଯାଇପାରେ ବୋଲି ଆଲୋଚନା ହେଉଛି।
୩) ରିଷଭ ପନ୍ତ :

ଏହି ତାଲିକାର ଶେଷ ନାମ ହେଉଛି ରିଷଭ ପନ୍ତ। ରୋହିତ ଶର୍ମା ଏବଂ ଅନ୍ୟନାମ ବ୍ୟତୀତ ଚୟନକର୍ତ୍ତାମାନେ ମଧ୍ୟ ଏହି ଯୁବ ୱିକେଟ୍ କିପର ବ୍ୟାଟ୍ସମ୍ୟାନଙ୍କୁ ଟେଷ୍ଟ ଦଳର ଅଧିନାୟକ ପଦ ଦେବା ପାଇଁ ବିଚାର କରିପାରନ୍ତି। ପନ୍ତ ଆଫ୍ରିକା ବିପକ୍ଷ ଶେଷ ଟେଷ୍ଟ ମ୍ୟାଚରେ ଏକ ଚମତ୍କାର ଶତକ ହାସଲ କରିଥିଲେ। ଜଣେ ମହାନ ୱିକେଟ୍ କିପର ତଥା ବ୍ୟାଟ୍ସମ୍ୟାନ୍ ହେବା ବ୍ୟତୀତ ପନ୍ତ ଜଣେ ଭଲ ଅଧିନାୟକ ବୋଲି ମଧ୍ୟ ଭବିଷ୍ୟତରେ ପ୍ରମାଣ କରିପାରନ୍ତି। ତେବେ ଅନ୍ତର୍ଜାତୀୟ ସ୍ତରରେ ସେ ଅଧିନାୟକତ୍ୱର ଅଭିଜ୍ଞତା ପାଇନାହାଁନ୍ତି। କିନ୍ତୁ, ଆଇପିଏଲରେ ସେ ନିଶ୍ଚିତ ଭାବରେ ଜଣେ ଭଲ ଅଧିନାୟକ ଭାବରେ ନିଜକୁ ପ୍ରମାଣିତ କରିଛନ୍ତି। କେବଳ ଏତିକି ନୁହେଁ, ପନ୍ତଙ୍କ ନିକଟରେ ଏକ ଉତ୍ତମ ନେତୃତ୍ୱ ନେବାର ଗୁଣ ଅଛି। ଯଦି ପନ୍ତଙ୍କୁ ଟେଷ୍ଟ ଦଳର ଅଧିନାୟକ ପଦ ଦିଆଯାଏ ତେବେ ସେ ଦୀର୍ଘ ସମୟ ଧରି ଦଳର ନେତୃତ୍ୱ ନେଇପାରିବେ। କାରଣ ପନ୍ତଙ୍କ ବୟସ ଏବେ ମାତ୍ର ୨୪ ବର୍ଷ।