ଜାହିର ଖାଁ କହିଦେଲେ ବଡ଼ କଥା! ବୁମ୍ରା କି ଶାମି ନୁହେଁ ବରଂ ଏହି ଖେଳାଳି ସାଜିବେ ଭାରତର ମ୍ୟାଚ ୱିନର୍….
ଚାମ୍ପିଅନ୍ସ ଟ୍ରଫି ୨୦୨୫ ପାଇଁ ଟିମ୍ ଇଣ୍ଡିଆ ଘୋଷଣା କରାଯାଇଛି। ଜାନୁଆରୀ ୧୮ ରେ, ବିସିସିଆଇ ଚୟନ କମିଟି ପାକିସ୍ତାନ ଦ୍ୱାରା ଆୟୋଜିତ ହେବାକୁ ଥିବା ଚାମ୍ପିଅନ୍ସ ଟ୍ରଫି ୨୦୨୫ ପାଇଁ ୧୫ ଜଣିଆ ଦଳ ଘୋଷଣା କରିଥିଲା ଯେଉଁଥିରେ ରୋହିତ ଶର୍ମାଙ୍କୁ ଅଧିନାୟକ ଏବଂ ଶୁବମାନ ଗିଲଙ୍କୁ ଉପ-ଅଧିନାୟକ କରାଯାଇଥିଲା। ଏଥିସହିତ ଋଷଭ ପନ୍ତଙ୍କୁ ବ୍ୟାକ୍ ଅପ୍ ୱିକେଟ୍ କିପର ଭାବରେ ଦଳରେ ସାମିଲ କରାଯାଇଥିଲା। ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆ ୨୦ ଫେବୃଆରୀରୁ ଦୁବାଇରେ ବାଂଲାଦେଶ ବିପକ୍ଷରେ ଅଭିଯାନ ଆରମ୍ଭ କରିବ, କିନ୍ତୁ ଏହାପୂର୍ବରୁ ଜହିର ଖାନ ଏପରି ଜଣେ ଖେଳାଳିଙ୍କ ନାମ ପ୍ରକାଶ କରିଛନ୍ତି ଯିଏ ଏକ୍ସ-ଫ୍ୟାକ୍ଟର ଖେଳାଳି ହୋଇପାରିବେ।
ଟିମ୍ ଇଣ୍ଡିଆର ପୂର୍ବତନ ବାମହାତୀ ଦ୍ରୁତ ବୋଲର ଜାହିର ଖାନ କ୍ରିକବଜ୍ ମାଧ୍ୟମରେ ପନ୍ତଙ୍କ ବିଷୟରେ କହିଛନ୍ତି ଯେ,"ଆପଣ ନିଶ୍ଚିତ ଭାବରେ ଦଳରେ ଜଣେ ଖେଳାଳିଙ୍କୁ ଅନ୍ତର୍ଭୁକ୍ତ କରିବେ ଯିଏ ଏକ୍ସ-ଫ୍ୟାକ୍ଟର୍ ରହିବେ ଏବଂ ଏହି ଦଳରେ ଏହା ଋଷଭ ପନ୍ତ ଅଟନ୍ତି। ଯଦି ପନ୍ତ ଚୂଡାନ୍ତ ଏକାଦଶରେ ଅନ୍ତର୍ଭୁକ୍ତ ହୁଅନ୍ତି ତେବେ ସେ ଏହି ସୁଯୋଗର ଫାଇଦା ଉଠାଇବେ ବୋଲି ଆଶା କରାଯାଉଛି। ତାଙ୍କ ପ୍ରଭାବଶାଳୀ ପ୍ରଦର୍ଶନ ଦ୍ୱାରା ଭାରତ ପାଇଁ ଆଇସିସି ଚାମ୍ପିଅନ୍ସ ଟ୍ରଫି ଜିତିବା ସହଜ ହେବ ବୋଲି ଆଶା କରାଯାଉଛି”।
କ୍ରିକବଜ୍ ମାଧ୍ୟମରେ ଜାହିର ଖାନ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତଙ୍କୁ ପୂର୍ବତନ ଓପନର୍ ବିରେନ୍ଦର ସେହୱାଗଙ୍କ ସହ ତୁଳନା କରି କହିଛନ୍ତି,“ସେହୱାଗ ଯେପରି ନିର୍ଭୟରେ ବ୍ୟାଟିଂ କରୁଥିଲେ, ପନ୍ତ ମଧ୍ୟ ସେହିଭଳି ବ୍ୟାଟିଂ କରନ୍ତି। ସେହୱାଗଙ୍କ ପରି ସେ ମଧ୍ୟ ପଡ଼ିଆରେ ମୁକ୍ତ ଭାବରେ ବ୍ୟାଟିଂ କରିବାକୁ ପସନ୍ଦ କରନ୍ତି, ତେଣୁ ଟିମ୍ ଇଣ୍ଡିଆ ପାଇଁ ଏହା ଭଲ ସଂକେତ ଅଟେ”।
ଜାହିରଙ୍କୁ ଚଳିତ ବର୍ଷ ଲକ୍ଷ୍ନୌ ସୁପର ଜିଆଣ୍ଟସର ମେଣ୍ଟର ଭାବରେ ନିଯୁକ୍ତ କରା ଯାଇଥିବାବେଳେ ପନ୍ତ ଏଲଏସଜିର ନୂତନ ଅଧିନାୟକ ହେବେ। ଏହା ଉପରେ ଜହିର କହିଛନ୍ତି ଯେ ମୁଁ ଆଶା କରୁଛି ଯେ ଚଳିତ ବର୍ଷ ପନ୍ତ ଲକ୍ଷ୍ନୌ ପାଇଁ ଭଲ ପ୍ରଦର୍ଶନ କରିବେ। ଅଣ୍ଡର-୧୯ ପରେ ସେ ନୂଆଦିଲ୍ଲୀ କ୍ୟାପିଟାଲ୍ସରେ ଯୋଗଦେବା ଦିନଠାରୁ ମୁଁ ତାଙ୍କୁ ଦେଖୁଛି। ଭାରତର ଅଧିନାୟକ ହେବା ପାଇଁ ତାଙ୍କ ପାଖରେ ସମସ୍ତ ଗୁଣ ଅଛି ଏବଂ ଭବିଷ୍ୟତରେ ସେ ଜଣେ ଭଲ ଅଧିନାୟକ ହୋଇପାରିବେ।
ଜାନୁୟାରୀ ୧୮ ରେ ଋଷଭ ପନ୍ତଙ୍କୁ ୧୫ ଜଣିଆ ଦଳରେ ବ୍ୟାକଅପ୍ ୱିକେଟ୍ କିପର ଭାବରେ ଅନ୍ତର୍ଭୁକ୍ତ କରାଯାଇଛି, କିନ୍ତୁ ଦଳ ଘୋଷଣା ପୂର୍ବରୁ ସଞ୍ଜୁଙ୍କୁ ଏକ ସୁଯୋଗ ଦିଆଯାଇପାରେ ବୋଲି ଖବର ଆସିଥିଲା, କିନ୍ତୁ ଅଧିନାୟକ ରୋହିତ ଶର୍ମା ଏବଂ ମୁଖ୍ୟ ଚୟନକର୍ତ୍ତା ପନ୍ତଙ୍କ ସହ ଯିବାକୁ ନିଷ୍ପତ୍ତି ନେଇଛନ୍ତି। ତେବେ ୱିକେଟ୍ କିପର ଭାବରେ ସେ ଚୂଡାନ୍ତ ଏକାଦଶରେ ଖେଳିବେ କି ନାହିଁ ତାହା କେବଳ ଫେବୃଆରୀ ୨୦ ତାରିଖରେ ବାଂଲାଦେଶ ବିପକ୍ଷ ପ୍ରଥମ ମ୍ୟାଚରେ ଜଣା ପଡିବ। କିନ୍ତୁ କେଏଲ ରାହୁଲଙ୍କ ପୂର୍ବରୁ ପନ୍ତଙ୍କୁ ଅଗ୍ରାଧିକାର ଦେବା କଷ୍ଟସାଧ୍ୟ ମନେହୁଏ କାରଣ କେ.ଏଲ୍ ନିଜକୁ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଭାବରେ ପ୍ରତିଷ୍ଠିତ କରିଥିବାବେଳେ ପନ୍ତ ଏପର୍ଯ୍ୟନ୍ତ ଏକଦିବସିୟରେ ନିଜ ସ୍ଥାନ ପକ୍କା କରିବାକୁ ସଂଘର୍ଷ କରୁଛନ୍ତି। ଯଦି ଦଳ ବାମ-ଡାହାଣ କମ୍ବୀନେସନ ସହିତ ଯିବାକୁ ଚାହୁଁଛି, ତେବେ କେବଳ ପନ୍ତ ଏକାଦଶ ଖେଳିବାର ସୁଯୋଗ ପାଇପାରିବେ, ନଚେତ୍ ତାଙ୍କୁ ସମଗ୍ର ଟୁର୍ନାମେଣ୍ଟରେ ଖେଳିବାର ସୁଯୋଗ ମିଳିନପାରେ।