ହାର୍ଦ୍ଦିକ ପାଣ୍ଡ୍ୟା ନା ସୂର୍ଯ୍ୟକୁମାର, କିଏ ଅଧିନାୟକ ହେବାପାଇଁ ବେଷ୍ଟ? ଏହି ଖେଳାଳିଙ୍କ ପଲ୍ଲା ଭାରି….
ଭାରତୀୟ କ୍ରିକେଟ୍ ରେ ଆଜିକାଲି ସବୁଠାରୁ ବଡ ଆଲୋଚନା ହେଉଛି ଅଧିନାୟକତ୍ୱ। ଟି-୨୦ ବିଶ୍ୱକପ ଜିତିବା ପରେ ରୋହିତ ଶର୍ମା ଏହି ଫର୍ମାଟକୁ ବିଦାୟ ଦେଇଛନ୍ତି। ଅବସର ପରେ ଟିମ୍ ଇଣ୍ଡିଆ ଟି-୨୦ ରେ ନୂଆ ଅଧିନାୟକ ଖୋଜୁଛି। ଏହାପୂର୍ବରୁ ହାର୍ଦ୍ଦିକ ପାଣ୍ଡ୍ୟା ଏହି ରେସରେ ଆଗରେ ଥିଲେ। ରୋହିତ ଶର୍ମା ଥିବାବେଳେ ସେ ଦଳର ଉପ-ଅଧିନାୟକ ମଧ୍ୟ ଥିଲେ, କିନ୍ତୁ ହଠାତ୍ ସେ ପଛରେ ପଡ଼ିଯାଇଛନ୍ତି ଏବଂ ସୂର୍ଯ୍ୟକୁମାର ଯାଦବ ଏହି ଦୌଡ଼ରେ ଆଗକୁ ଚାଲି ଯାଇଛନ୍ତି ...
ନୂତନ କୋଚ୍ ଗୌତମ ଗମ୍ଭୀରଙ୍କ ସମର୍ଥନ ସୂର୍ଯ୍ୟକୁମାର ଯାଦବଙ୍କୁ ମିଳୁଛି। ସେ ଗମ୍ଭୀରଙ୍କ ଅଧିନାୟକତ୍ୱରେ କୋଲକାତା ନାଇଟ୍ ରାଇଡର୍ସ ପାଇଁ ଖେଳିଛନ୍ତି ଏବଂ ଉଭୟ ପରସ୍ପରକୁ ଭଲଭାବେ ଜାଣିଛନ୍ତି। ନିକଟରେ ସେ ଦକ୍ଷିଣ ଆଫ୍ରିକା ଏବଂ ଅଷ୍ଟ୍ରେଲିଆ ବିପକ୍ଷରେ ଟିମ୍ ଇଣ୍ଡିଆର ଅଧିନାୟକ ରହିଥିଲେ। ଅନ୍ୟପକ୍ଷରେ, ଗତ ଦୁଇ ବର୍ଷ ମଧ୍ୟରେ ଅନେକ ସିରିଜ୍ ସମୟରେ ହାର୍ଦ୍ଦିକ ଏହି ଫର୍ମାଟରେ ଭାରତର ନେତୃତ୍ୱ ନେଇଛନ୍ତି।
ବର୍ତ୍ତମାନ ଏହା ସ୍ପଷ୍ଟ ହୋଇସାରିଛି ଯେ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ସୂର୍ଯ୍ୟକୁମାର ଯାଦବଙ୍କ ମଧ୍ୟରୁ କେବଳ ଜଣେ ଭାରତର ନୂଆ ଟି-୨୦ ଅଧିନାୟକ ହେବେ, ତେବେ ଆସନ୍ତୁ ଉଭୟଙ୍କ ରେକର୍ଡ ବିଷୟରେ ଜାଣିବା। ଟି-୨୦ ଇଣ୍ଟରନ୍ୟାସନାଲ ବ୍ୟତୀତ ସୂର୍ଯ୍ୟକୁମାର ରଣଜୀ ଟ୍ରଫି, ସୟଦ ମୁଶତାକ ଅଲି ଟ୍ରଫି ଏବଂ ଆଇପିଏଲରେ ଅଧିନାୟକତ୍ୱ କରିଛନ୍ତି। ଅନ୍ୟପକ୍ଷରେ ହାର୍ଦ୍ଦିକ ମଧ୍ୟ ଦୀର୍ଘ ଦିନ ଧରି ଆଇପିଏଲରେ ଦଳର ନେତୃତ୍ୱ ନେଇଛନ୍ତି।
୭ ଟି ଟି-୨୦ ମ୍ୟାଚରେ ସୂର୍ଯ୍ୟକୁମାର ଭାରତର ଅଧିନାୟକତ୍ୱ କରିଛନ୍ତି। ଏହି ଅବଧି ମଧ୍ୟରେ ଟିମ୍ ଇଣ୍ଡିଆ ୫ ଟି ବିଜୟ ଏବଂ ୨ ଟି ପରାଜୟ ବରଣ କରିଛି। ରଣଜୀ ଟ୍ରଫିରେ ତାଙ୍କ ଅଧିନାୟକତ୍ୱରେ ମୁମ୍ବାଇ ଦଳ ୬ ଟି ମ୍ୟାଚ ମଧ୍ୟରୁ ଗୋଟିଏ ଜିତିଛି। ୨ ଟି ମ୍ୟାଚରେ ପରାଜୟ ବରଣ କରିଥିବା ବେଳେ ୩ ଟି ମ୍ୟାଚ୍ ଡ୍ର ହୋଇଛି। ସେ ସୟଦ ମୁସ୍ତାକ ଅଲି ଟ୍ରଫିରେ ୧୬ ଟି ମ୍ୟାଚ ମଧ୍ୟରୁ ୧୦ ଟିରେ ମୁମ୍ବାଇକୁ ବିଜୟୀ କରାଇଛନ୍ତି। ୬ ଟି ମ୍ୟାଚରେ ତାଙ୍କୁ ପରାଜୟର ସମ୍ମୁଖୀନ ହେବାକୁ ପଡିଛି।
ଆଇପିଏଲ ବିଷୟରେ କହିବାକୁ ଗଲେ କରି ସେ ମାତ୍ର ଗୋଟିଏ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସର ନେତୃତ୍ୱ ନେଇଥିଲେ ଏବଂ ସେଥିରେ ତାଙ୍କୁ ବିଜୟ ପ୍ରାପ୍ତ ହୋଇଥିଲା। ଅନ୍ୟପକ୍ଷରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିଷୟରେ କହିବାକୁ ଗଲେ ସେ ଭାରତକୁ ୧୬ ଟି-୨୦ ମ୍ୟାଚ ମଧ୍ୟରୁ ୧୦ ଟି ଜିତାଇବାରେ ସାହାଯ୍ୟ କରିଛନ୍ତି। ଅନ୍ୟପକ୍ଷରେ ୫ ଟି ମ୍ୟାଚରେ ତାଙ୍କୁ ପରାଜୟର ସମ୍ମୁଖୀନ ହେବାକୁ ପଡିଛି। ହାର୍ଦ୍ଦିକଙ୍କ ଅଧିନାୟକତ୍ୱରେ ଗୋଟିଏ ମ୍ୟାଚ୍ ଟାଇ ମଧ୍ୟ ହୋଇଛି।
ଆଇପିଏଲ୍ ବିଷୟରେ କହିବାକୁ ଗଲେ ସେ ଗୁଜୁରାଟ ଟାଇଟାନ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସର ଦାୟିତ୍ୱ ଗ୍ରହଣ କରି ସାରିଛନ୍ତି। ସେ ୨୦୨୨ ରେ ଗୁଜରାଟକୁ ଚାମ୍ପିୟନ କରାଇଥିଲେ। ସେ ମୋଟ ୪୫ ଆଇପିଏଲ୍ ମ୍ୟାଚରେ ଅଧିନାୟକତ୍ୱ କରିଛନ୍ତି। ଏହି ଅବଧି ମଧ୍ୟରେ, ୨୬ ଟି ମ୍ୟାଚରେ ବିଜୟ ଏବଂ ୧୯ ଟି ମ୍ୟାଚରେ ସେ ପରାଜୟ ବରଣ କରିଛନ୍ତି।