ପ୍ରଥମ ଥର ପାଇଁ ଟି-୨୦ ବିଶ୍ୱକପ ଖେଳିବେ ଏହି ୬ ଖେଳାଳି! ଏଥର ପକ୍କା କରିବେ ଭାରତର ବିଜୟ….

  1. Home
  2. Cric Special

ପ୍ରଥମ ଥର ପାଇଁ ଟି-୨୦ ବିଶ୍ୱକପ ଖେଳିବେ ଏହି ୬ ଖେଳାଳି! ଏଥର ପକ୍କା କରିବେ ଭାରତର ବିଜୟ….


ବିଶ୍ୱକପ ପାଇଁ ବିଗୁଲ୍ ବାଜି ସାରିଲାଣି। ୧୫ ଜଣିଆ ଭାରତୀୟ ଦଳ ଇତିମଧ୍ୟରେ ଘୋଷଣା ସରିଥିବା ବେଳେ ସେମାନେ ମେ ୨୧ ତାରିଖରେ ଆମେରିକା ଗସ୍ତ କରିବେ। IPL ପ୍ଲେ-ଅଫରେ ସ୍ଥାନ ପାଇଥିବା କିଛି ଖେଳାଳି ଅବଶ୍ୟ ପରେ ଦଳ ସହିତ ଯୋଗ ଦେବେ। ଏଥର ଭାରତୀୟ ଦଳରେ କିଛି ବଡ଼ ଖେଳାଳିଙ୍କୁ ସ୍ଥାନ ମିଳିପାରିନାହିଁ। 

ଦଳରେ ଋତୁରାଜ ଗାଇକ୍ୱାଡ଼, କେଏଲ ରାହୁଲ, ରବି ଅଶ୍ୱିନ, ଇଶାନ କିଶନ, ଦିନେଶ କାର୍ତ୍ତିକଙ୍କୁ ମଧ୍ୟ ସାମିଲ କରାଯାଇନାହିଁ। ଅନ୍ୟପକ୍ଷରେ ଶୁଭମନ ଗିଲ, ରିଙ୍କୁ ସିଂ ଭଳି ତାରକା ଖେଳାଳିଙ୍କୁ ରିଜର୍ଭ ସ୍କ୍ୱାର୍ଡରେ ସାମିଲ କରାଯାଇଅଛି। ଅନ୍ୟପକ୍ଷରେ ୧୫ ଜଣିଆ ଦଳରେ ଏଭଳି ମଧ୍ୟ ୬ ଖେଳାଳି ରହିଛନ୍ତି ଯେଉଁମାନେ ପ୍ରଥମ ଥର ପାଇଁ ଟି-୨୦ ବିଶ୍ୱକପ ଖେଳିବାକୁ ଯାଉଛନ୍ତି।

Jaiswal

୧. ଯଶସ୍ବୀ ଜୟସ୍ବାଲ:- ରୋହିତ ଶର୍ମାଙ୍କ ସହିତ ଜୟସ୍ବାଲ ବିଶ୍ୱକପରେ ଇନିଂସ ଓପନ କରିବା ଏକପ୍ରକାର ନିଶ୍ଚିତ ଅଟେ। ଏହି ବାମହାତୀ ବ୍ୟାଟର ପ୍ରଥମଥର ପାଇଁ ବିଶ୍ୱକପ ଖେଳିବେ। ବର୍ତ୍ତମାନ ସୁଦ୍ଧା ସେ ୧୭ଟି ଟି-୨୦ ମ୍ୟାଚ୍‌ ଖେଳିଥିବା ବେଳେ ଏଥିରେ ୫୦୨ ରନ୍ ସଂଗ୍ରହ କରିଛନ୍ତି।

Dube

୨. ଶିବମ ଦୁବେ:- ଚଳିତ IPLରେ ଶିବମ ଦୁବେ ଚମତ୍କାର ବ୍ୟାଟିଂ ପ୍ରଦର୍ଶନ କରି ଆସୁଛନ୍ତି। ଯେଉଁଥିପାଇଁ ତାଙ୍କୁ ଭାରତୀୟ ଦଳରେ ବିଶ୍ୱକପ ପାଇଁ ସାମିଲ କରାଯାଇଅଛି। ଦୁବେଙ୍କ ପାଇଁ ଏହା ପ୍ରଥମ ବିଶ୍ୱକପ ହେବ। ସେ ଭାରତ ପକ୍ଷରୁ ମୋଟ ୨୧ଟି ଟି-୨୦ ମ୍ୟାଚ୍ ଖେଳିଥିବା ବେଳେ ଏଥିରୁ ୧୭୬ ରନ୍ ସଂଗ୍ରହ କରିଛନ୍ତି।

Sanju

୩. ସଞ୍ଜୁ ସାମସନ:- ଟି-୨୦ ବିଶ୍ୱକପ ପାଇଁ ଭାରତୀୟ ଦଳରେ ସଞ୍ଜୁଙ୍କୁ ମଧ୍ୟ ସାମିଲ କରାଯାଇଅଛି। ସେ ଚଳିତ IPLରେ ଭଲ ପ୍ରଦର୍ଶନ କରିବା ସହିତ ରାଜସ୍ଥାନକୁ ପ୍ଲେ-ଅଫରେ ପହଞ୍ଚାଇଛନ୍ତି। ସଞ୍ଜୁ ଭାରତ ପାଇଁ ୨୫ଟି ଟି-୨୦ ମୁକାବିଲା ଖେଳିଥିବା ବେଳେ ୩୭୪ ରନ୍ ସଂଗ୍ରହ କରିଛନ୍ତି।

Siraj

୪. ମହମ୍ମଦ ସିରାଜ:- ମହମ୍ମଦ ସିରାଜ ଦିନିକିଆ ବିଶ୍ୱକପରେ ଭଲ ପ୍ରଦର୍ଶନ କରିଥିଲେ। କିନ୍ତୁ, ସେ ପ୍ରଥମ ଥର ପାଇଁ ଟି-୨୦ ବିଶ୍ୱକପ ଖେଳିବାକୁ ଯାଉଛନ୍ତି। ସେ ଏପର୍ଯ୍ୟନ୍ତ ସୁଦ୍ଧା ଭାରତ ପାଇଁ ୧୦ଟି ମ୍ୟାଚ ଖେଳିଥିବା ବେଳେ ଏଥିରେ ୧୨ ୱିକେଟ ସଂଗ୍ରହ କରିଛନ୍ତି। 

Chahal

୫. ୟୁଜବେନ୍ଦ୍ର ଚହଲ:- ଚହଲ ବେସ୍ ଅନୁଭବୀ ସ୍ପିନର ହୋଇଥିବା ବେଳେ ୨୦୨୧ ଏବଂ ୨୦୨୨ ବିଶ୍ୱକପରେ ସ୍ଥାନ ପାଇଥିଲେ ହେଁ ଚୂଡାନ୍ତ ଏକାଦଶରେ ସ୍ଥାନ ପାଇନଥିଲେ। ଏଥର ସେ ପୁଣିଥରେ ବିଶ୍ୱକପ ଦଳରେ ସ୍ଥାନ ପାଇଥିବା ବେଳେ ଖେଳିବାକୁ ସୁଯୋଗ ପାଇପାରନ୍ତି। ସେ ୮୦ ଟି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚରେ ୯୬ ଟି ୱିକେଟ ନେଇଛନ୍ତି।

Kuldeep

୬. କୂଳଦୀପ ଯାଦବ:- କୂଳଦୀପ ଯାଦବ ଆସନ୍ତା ଟି-୨୦ ବିଶ୍ୱକପରେ ଭାରତ ପାଇଁ ମୁଖ୍ୟ ଅସ୍ତ୍ର ସାଜିବେ। କିନ୍ତୁ, ଏହାମଧ୍ୟ ତାଙ୍କ ପାଇଁ ପ୍ରଥମ ଟି-୨୦ ବିଶ୍ୱକପ ଅଟେ। ବର୍ତ୍ତମାନ ସୁଦ୍ଧା ସେ ଭାରତ ପାଇଁ ୩୫ ମ୍ୟାଚ ଖେଳିଥିବା ବେଳେ ଏଥିରେ ୫୯ ୱିକେଟ ନେଇଛନ୍ତି।