ସମସ୍ତଙ୍କୁ ପଛରେ ପକାଇ ପ୍ରଥମ ଭାରତୀୟ ବୋଲର ଭାବେ ଜସପ୍ରୀତ ବୁମ୍ରା ଭାଙ୍ଗିଦେଲେ ସବୁ ରେକର୍ଡ
ଜସପ୍ରତୀ ବୁମ୍ରାଙ୍କ ବଡ଼ ସଫଳତା : ୨୦୨୪ ରେ ଚମତ୍କାର ପ୍ରଦର୍ଶନ ପାଇଁ ଜସପ୍ରୀତ ବୁମ୍ରାଙ୍କୁ ଆଇସିସି ପୁରୁଷ ବର୍ଗରେ କ୍ରିକେଟର ଅଫ୍ ଦି ଇୟର ପୁରସ୍କାର ଦେବାକୁ ଘୋଷଣା ହୋଇଛି। ପ୍ରଥମ ଭାରତୀୟ ଦ୍ରୁତ ବୋଲର ଭାବେ ବୁମ୍ରାଙ୍କୁ ମିଳିବ ସାର୍ ଗାରଫିଲ୍ଡ ସୋବର୍ସ ପୁରସ୍କାର । ସାର୍ ଗାରଫିଲ୍ଡ ସୋବର୍ସ ପୁରସ୍କାର ପାଇବାରେ ବୁମ୍ରା ହେଉଛନ୍ତି ପଞ୍ଚମ ଭାରତୀୟ ଖେଳାଳି। ଏହି ପୁରସ୍କାର ପୂର୍ବରୁ ରାହୁଲ ଦ୍ରାବିଡ (୨୦୦୪), ସଚିନ ତେନ୍ଦୁଲକର (୨୦୧୦), ରବିଚନ୍ଦ୍ରନ ଅଶ୍ୱିନ (୨୦୧୬) ଏବଂ ବିରାଟ କୋହଲି (୨୦୧୭, ୨୦୧୮) ପାଇ ସାରିଛନ୍ତି।
ସମ୍ମାନଜନକ ସାର୍ ଗାରଫିଲ୍ଡ ସୋବର୍ସ ପୁରସ୍କାର ପାଇଁ ଟ୍ରାଭିସ୍ ହେଡ୍, ଜୋ ରୁଟ୍ ଏବଂ ହ୍ୟାରି ବ୍ରୁକ୍ଙ୍କ ଭଳି ଖେଳାଳି ମଧ୍ୟ ମନୋନୀତ ହୋଇଥିଲେ। ହେଲେ ବୁମ୍ରା ସମସ୍ତଙ୍କୁ ପଛରେ ପକାଇ ଏହି ପୁରସ୍କାର ଜିତିଛନ୍ତି।
ଜସପ୍ରତୀ ବୁମ୍ରା ଇଂଲଣ୍ଡ ଏବଂ ବାଂଲାଦେଶ ବିପକ୍ଷରେ ଘରୋଇ ଟେଷ୍ଟ ସିରିଜରେ ଭାରତକୁ ବିଜୟଲାଭ କରାଇବାରେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ। ସେ ତାଙ୍କ ଦଳ ପାଇଁ ଟି-୨୦ ବିଶ୍ୱକପ୍ ବିଜୟରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ତା’ ସହିତ ଗତବର୍ଷ ଟି-୨୦ ବିଶ୍ୱକପରେ ତାଙ୍କର ଦମ୍ଦାର ପ୍ରଦର୍ଶନ ମଧ୍ୟ ଏହି ପୁରସ୍କାର ପାଇଁ ବିଚାରକଙ୍କ ଦୃଷ୍ଟି ଆକର୍ଷଣ କରିଥିଲା।
୨୦୨୪-୨୫ ବର୍ଡର-ଗାଭାସ୍କର ଟ୍ରଫିରେ ବୁମ୍ରା ଭାରତ ପକ୍ଷରୁ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ। ସେ ୩୨ଟି ୱିକେଟ ନେଇଥିଲେ। ଏଥିପାଇଁ ତାଙ୍କୁ ପୁରୁଷ ବର୍ଗରେ ଆଇସିସି ଟେଷ୍ଟ କ୍ରିକେଟର ଅଫ୍ ଦି ଇୟର ପୁରସ୍କାର ଦିଆଯିବ।
୨୦୨୪ରେ ବୁମ୍ରା ପ୍ରଥମେ ଘରୋଇ ମଇଦାନରେ ଇଂଲଣ୍ଡ ବିପକ୍ଷରେ ଜବରଦସ୍ତ ପ୍ରଦର୍ଶନ କରିବା ପରେ ଟି-୨୦ ବିଶ୍ୱକପ୍ରେ ବି ତାଙ୍କ ପ୍ରଭାବ ଦେଖାଇଥିଲେ। ଟୁର୍ଣ୍ଣାମେଣ୍ଟର ବୁମ୍ରା ୮.୨୬ ହାରରେ ୧୫ଟି ୱିକେଟ୍ ନେଇଥିଲେ। ଫଳରେ ଭାରତ ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ବିଶ୍ୱ ବିଜୟୀ ହୋଇଥିଲା। ବିଶ୍ୱକପରେ ତାଙ୍କ ପ୍ରଦର୍ଶନ ପାଇଁ ବୁମ୍ରାଙ୍କୁ ପ୍ଲେୟାର ଅଫ୍ ଦି ଟୁର୍ଣ୍ଣାମେଣ୍ଟ ପୁରସ୍କାର ମିଳିଥିଲା।
୨୦୨୪ ଟେଷ୍ଟ କ୍ରିକେଟ୍ରେ ମଧ୍ୟ କମାଲ କରିଥିଲେ ବୁମ୍ରା। ଟେଷ୍ଟରେ ବୁମରାଙ୍କ ୧୩ ମ୍ୟାଚ୍ ଖେଳି ୭୧ ୱିକେଟ୍ ନେଇଥିଲେ। ୨୦୨୪ରେ ଏହି ସଫଳତା କୌଣସି ବୋଲରଙ୍କୁ ମିଳି ନଥିଲା।
ପୁରସ୍କାର ମିଳିବା ପରେ ଜସପ୍ରତୀ ବୁମ୍ରା କହିଲେ :
ବୁମ୍ରା କହିଛନ୍ତି “ସାର୍ ଗାରଫିଲ୍ଡ ସୋବର୍ସ ମେନ୍ସ କ୍ରିକେଟର ଅଫ୍ ଦି ଇୟର ପୁରସ୍କାର ଜିତି ମୁଁ ପ୍ରକୃତରେ ଖୁସି। ଗତ ବର୍ଷଟି ପ୍ରକୃତରେ ସ୍ମରଣୀୟ ଥିଲା, ବିଶେଷକରି ବାରବାଡୋସରେ ଟି-୨୦ ବିଶ୍ୱକପ୍ ଜିତିବା। ଏହା ସବୁବେଳେ ମୋ ହୃଦୟର ନିକଟତର ରହିବ। ମୁଁ ଯେତେବେଳେ ଛୋଟ ଥିଲି, ମୁଁ ମୋର ଅନେକ କ୍ରିକେଟ ହିରୋଙ୍କୁ ଏହି ICC ପୁରସ୍କାର ଜିତିବାର ଦେଖିଥିଲି। ମୁଁ ଏହି ପୁରସ୍କାର ଗ୍ରହଣ କରିବାରେ ବହୁତ ଖୁସି।”