IND vs NZ: ପ୍ରଥମ ODI ରେ 306 ରନ୍ ର ବିଶାଳ ସ୍କୋର କରିବା ସତ୍ୱେ ଭାରତକୁ 7 ୱିକେଟରେ ପରାସ୍ତ କଲା ନ୍ୟୁଜିଲାଣ୍ଡ, ଦେଖନ୍ତୁ ସ୍କୋରବୋର୍ଡ଼

 

କ୍ରିକେଟ ଖବର : ଟମ ଲାଥାମ ଏବଂ ଅଧିନାୟକ କେନ ୱିଲିୟମସନଙ୍କ ଚମତ୍କାର ଇନିଂସ ଯୋଗୁଁ ଶୁକ୍ରବାର ଖେଳାଯାଇଥିବା ପ୍ରଥମ ଦିନିକିଆରେ ନ୍ୟୁଜିଲ୍ୟାଣ୍ଡ 7 ୱିକେଟରେ ଭାରତକୁ ପରାସ୍ତ କରିଛି। ଏହା ସହ ନ୍ୟୁଜିଲ୍ୟାଣ୍ଡ ତିନି ମ୍ୟାଚ୍ ବିଶିଷ୍ଟ ସିରିଜରେ 1-0 ରେ ଆଗୁଆ ରହିଛି। ଜିତିବା ପାଇଁ ଭାରତ ନ୍ୟୁଜିଲ୍ୟାଣ୍ଡକୁ 307 ରନର ଲକ୍ଷ୍ୟ ଦେଇଥିଲା, ଯାହାକି 17 ଟି ବଲ ବାକି ରଖି 3 ଟି ୱିକେଟ୍ ହରାଇ ନ୍ୟୁଜିଲାଣ୍ଡ ଦଳ ହାସଲ କରିଛି। 

ଟାର୍ଗେଟକୁ ପିଛା କରି ନ୍ୟୁଜିଲାଣ୍ଡ ଏକ ଭଲ ଆରମ୍ଭ କରି ନଥିଲା। ମୋଟ 88 ରନ୍ ସ୍କୋରରେ 20 ଓଭରରେ 3 ୱିକେଟ୍ ହରାଇଥିଲା ଦଳ। ଏହା ପରେ ୱିଲିୟମ୍ସନ୍ ଏବଂ ଲାଥାମ୍ ଏକାଠି ଖେଳକୁ ସମ୍ଭାଳିଥିଲେ ଏବଂ ଚତୁର୍ଥ ୱିକେଟ୍ ପାଇଁ 221 ରନର ଏକ ବଡ଼ ଭାଗିଦାରୀ କରିଥିଲେ। ଆଉ ମ୍ୟାଚ ଜିତାଇଥିଲେ। ଲାଥାମ୍ 19 ଟି ଚୌକା ଓ 5 ଟି ବିଶାଳ ଛକା ସହାୟତାରେ 104 ବଲରେ ଅପରାଜିତ 145 ରନ୍ କରିଥିଲେ। ଏଥି ସହିତ, ୱିଲିୟମସନ ଶତକ ପୂରଣ କରିପାରିଲେ ନାହିଁ। ନ୍ୟୁଜିଲାଣ୍ଡ ଅଧିନାୟକ ଅପରାଜିତ 94 ସ୍କୋର କରିବାକୁ 98 ବଲର ସମ୍ମୁଖୀନ ହୋଇଥିଲେ, ଯେଉଁଥିରେ ସାତ ଚୌକା ଓ ଗୋଟିଏ ଛକା ଥିଲା। ଭାରତ ପାଇଁ ଉମ୍ରାନ ମଲିକ 2 ଟି ଏବଂ ଶାର୍ଦ୍ଦୁଲ ଠାକୁର ଗୋଟିଏ ୱିକେଟ୍ ନେଇଥିଲେ।

ଆହୁରି ପଢ଼ନ୍ତୁ : CSK ରୁ ଏହି ଖେଳାଳିଙ୍କୁ ବାହାର କରି ବଡ଼ ଭୁଲ କଲେ ଧୋନି, ବିଜୟ ହଜାରେ ଟ୍ରଫିରେ ସୃଷ୍ଟି କଲେ ଐତିହାସିକ ରେକର୍ଡ

ଟସ୍ ହାରିବା ପରେ ପ୍ରଥମେ ବ୍ୟାଟିଂ କରିବାକୁ ଭାରତ ମଇଦାନକୁ ଆସିଥିଲା, ଏହା ପରେ ଧାୱନ ଏବଂ ଗିଲ ପ୍ରଥମ ୱିକେଟ୍ ପାଇଁ 124 ରନ୍ ଭାଗିଦାରୀ କରିଥିଲେ।  ଧାୱନ 77 ବଲରେ 72 ରନର ଇନିଂସ ଖେଳିଥିଲେ।  ଏଥି ସହିତ, ଗିଲ 65 ବଲରେ 50 ରନ୍ ସଂଗ୍ରହ କରିଥିଲେ। ଦୁହେଁ ପାଭିଲିୟନକୁ ଫେରିବା ପରେ ରିଷଭ ପନ୍ତ 15 ରନ୍ ଏବଂ ସୂର୍ଯ୍ୟକୁମାର ଯାଦବ 4ରନ କରି ଆଉଟ୍ ହୋଇ ପ୍ୟାଭିଲିୟନକୁ ଫେରିଥିଲେ, ତା’ପରେ ଶ୍ରେୟାସ ଆୟର ଏବଂ ସଞ୍ଜୁ ସାମସନ ଏକତ୍ର ଇନିଂସ ପରିଚାଳନା କରିଥିଲେ। 80 ରନ୍‌ର ଇନିଂସ ସହ 76 ଟି ବଲ ସମ୍ମୁଖୀନ ହୋଇ ଆୟର୍ ଭାରତ ପାଇଁ ସର୍ବାଧିକ ସ୍କୋର କରିଥିଲେ।

ଆୟର ଏବଂ ସାମସନ୍ ମିଳିତ ଭାବେ ପଞ୍ଚମ ୱିକେଟ୍ ପାଇଁ 94 ରନ୍ ଯୋଡିଥିଲେ।  ସାମସନ୍ 38 ବଲରେ 36 ରନର ଏକ ଇନିଂସ ଖେଳିଥିଲେ। ନିମ୍ନ କ୍ରମରେ ୱାଶିଂଟନ୍ ସୁନ୍ଦର ମଧ୍ୟ ବିସ୍ଫୋରକ ବ୍ୟାଟିଂ କରି ତିନିଟି ଚୌକା ଓ ତିନି ଛକା ସହାୟତାରେ 16 ବଲରେ ଅପରାଜିତ 37 ରନ୍ ସ୍କୋର କରିଥିଲେ, ଏହି କାରଣରୁ ଭାରତ 50 ଓଭରରେ 7 ୱିକେଟ୍ ହରାଇ 306 ରନ୍ ସଂଗ୍ରହ କରିଥିଲା। ନ୍ୟୁଜିଲ୍ୟାଣ୍ଡ ପାଇଁ ଲକି ଫର୍ଗୁସନ୍ ଏବଂ ଟିମ୍ ସାଉଥୀ ପ୍ରତ୍ୟେକ ତିନୋଟି ୱିକେଟ୍ ନେଇଥିଲେ ଏବଂ ଆଡାମ ମିଲନେ ଗୋଟିଏ ୱିକେଟ୍ ନେଇଥିଲେ।