IND vs NZ: ଭାରତୀୟ ଦଳ କହିବାରୁ ଲକ୍ଷ୍ନୌର କ୍ୟୁରେଟର ଶେଷ ମୁହୂର୍ତ୍ତରେ ବଦଳାଇଥିଲେ ପିଚ୍, ତେଣୁ ଚାକିରି ଚାଲିଗଲା

 

କ୍ରିକେଟ ଖବର: ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଚାଲିଥିବା ଟି-20 ସିରିଜର ଦ୍ୱିତୀୟ ମ୍ୟାଚ୍ ପରେ ପିଚକୁ ନେଇ ଅନେକ ଚର୍ଚ୍ଚା ଚାଲିଛି। ଏହି ପିଚ୍‌ରେ କିୱି ଦଳ ମାତ୍ର 99 ରନ ହିଁ କରି ପାରିଥିଲା। ଏହା ପରେ ଭାରତ କେବଳ ଗୋଟିଏ ବଲ ବାକି ରହି ଏହି ଲକ୍ଷ୍ୟ ହାସଲ କରିଥିଲା। ଏହି ମ୍ୟାଚରେ ସ୍ପିନ୍ ବୋଲରମାନେ 30 ଓଭର ବୋଲିଂ କରିଥିଲେ। 

ଏହି ମ୍ୟାଚରେ ଉଭୟ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ଦଳ ସେମାନଙ୍କ ସ୍ପିନ୍ ବୋଲରମାନଙ୍କୁ ବହୁତ ବ୍ୟବହାର କରିଥିଲେ। ଲକ୍ଷ୍ନୌ ପିଚରେ ବଲ ପ୍ରବଳ ଘୁରୁଥିଲା ଏବଂ ଉଭୟ ଦଳର ବ୍ୟାଟ୍ସମ୍ୟାନଙ୍କ ପାଇଁ କ୍ରିଜରେ ଖେଳିବା କଷ୍ଟସାଧ୍ୟ ହୋଇପଡିଥିଲା।

ଏହି ମ୍ୟାଚରେ ବିଜୟ ପରେ ଭାରତୀୟ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ପିଚକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ ଏବଂ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ହାର୍ଦ୍ଦିକଙ୍କ ବିବୃତ୍ତି ପରେ ଲକ୍ଷ୍ନୌ ର ପିଚ୍ କ୍ୟୁରେଟରଙ୍କୁ ତାଙ୍କ ପଦରୁ ହଟାଇ ଦିଆଯାଇଛି। ତେବେ ମିଡିଆ ରିପୋର୍ଟରେ ଏହା ମଧ୍ୟ ଦାବି କରାଯାଇଛି ଯେ ଲକ୍ଷ୍ନୌର ପିଚ୍ କ୍ୟୁରେଟର ଟିମ୍ ଇଣ୍ଡିଆର ନିର୍ଦ୍ଦେଶରେ ମ୍ୟାଚର ତିନି ଦିନ ପୂର୍ବରୁ ପିଚ୍ ବଦଳାଇଥିଲେ।

ପୂର୍ବରୁ ମ୍ୟାଚ୍ ପାଇଁ କ୍ୟୁରେଟର ଦୁଇଟି କଳା ମାଟି ପିଚ୍ ପ୍ରସ୍ତୁତ କରିସାରିଥିଲେ। ତେବେ ମ୍ୟାଚ୍‌ର ତିନି ଦିନ ପୂର୍ବରୁ ଦଳ ପରିଚାଳନା କ୍ୟୁରେଟରଙ୍କୁ ଏକ ନୂତନ ପିଚ୍ ପ୍ରସ୍ତୁତ କରିବାକୁ କହିଥିଲେ। ଏହା ବଦଳରେ ନାଲି ମାଟିରେ ପିଚ୍ ତିଆରି କରାଯାଇଥିଲା। ଏତେ କମ୍ ସମୟ ମଧ୍ୟରେ ନୂତନ ପିଚ୍ ସଠିକ୍ ଭାବରେ ପ୍ରସ୍ତୁତ ହୋଇନଥିଲା ଏବଂ ସ୍ପିନ୍ ବୋଲରମାନଙ୍କ ପାଇଁ ଏହା ବହୁତ ସାହାଯ୍ୟ କରିଥିଲା।

ଆହୁରି ପଢ଼ନ୍ତୁ : IND vs NZ 3rd T20: କ୍ୟାପଟେନ ହାର୍ଦିକ ଏହି ଖେଳାଳୀମାନଙ୍କୁ ସ୍ଥାନ ଦେବେ, ଦେଖନ୍ତୁ ଭାରତର ସମ୍ଭାବିତ 11 ଜଣିଆ ଦଳ