CSK ଓ ଧୋନିଙ୍କ ମଧ୍ୟରେ ଚାଲିଛି କି ମତଭେଦ? ଆଗାମୀ ଆଇପିଏଲରେ ଖେଳିବେ ତ ଧୋନି?
ଆଇପିଏଲ ୨୦୨୫ ର ମେଗା ନିଲାମ ପୂର୍ବରୁ, ପ୍ରତ୍ୟେକ ଆଇପିଏଲ ଫ୍ରାଞ୍ଚାଇଜକୁ ଅକ୍ଟୋବର ୩୧ ସୁଦ୍ଧା ବିସିସିଆଇକୁ ରିଟେନ କରାଯାଇଥିବା ଖେଳାଳିଙ୍କ ତାଲିକା ଦାଖଲ କରିବାକୁ ହେବ। ପ୍ରତ୍ୟେକ ପ୍ରଶଂସକ ଜାଣିବାକୁ ଆଗ୍ରହୀ ଯେ CSK ଏମ.ଏସ୍ ଧୋନିଙ୍କୁ ରଖିବ କି ନାହିଁ। ତେବେ ଏହି ସମୟରେ, CSK ଏବଂ ମାହିଙ୍କ ମଧ୍ୟରେ ମତଭେଦ ଖବର ସାମ୍ନାକୁ ଆସୁଛି। ଦଳର ସିଇଓ କାଶୀ ବିଶ୍ୱନାଥଙ୍କ ବିବୃତ୍ତି ପରେ ଏହା ଆକଳନ କରାଯାଇଛି।
CSK ଧୋନିଙ୍କୁ IPL ୨୦୨୫ ପାଇଁ ରିଟେନ କରିବ କି ନାହିଁ ତାହା ଉପରେ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ। ଏଥିସହ ଏହା ଉପରେ କୌଣସି ନିଶ୍ଚିତତା ନାହିଁ। ନିକଟରେ, ସିଏସକେ ସିଇଓ କାସୀ ବିଶ୍ୱନାଥନ୍ ନିଲାମ ପୂର୍ବରୁ ଧୋନିଙ୍କ ବିଷୟରେ କିଛି କଥା କହିଛନ୍ତି। କାସୀ ବିଶ୍ୱନାଥନ୍ ସ୍ପୋର୍ଟସ୍ ଭିକ୍ଟରଙ୍କୁ କହିଛନ୍ତି ଯେ,"ଆମେ ମଧ୍ୟ ଧୋନିଙ୍କୁ ଦଳରେ ଖେଳାଇବାକୁ ଚାହୁଁଛୁ। କିନ୍ତୁ ଧୋନି ଏହା ଆମକୁ ଏପର୍ଯ୍ୟନ୍ତ ନିଶ୍ଚିତ କରିନାହାଁନ୍ତି। ଧୋନି କହିଛନ୍ତି ଯେ ମୁଁ ଆପଣଙ୍କୁ ଅକ୍ଟୋବର ୩୧ ପୂର୍ବରୁ କହିବି ଏବଂ ସେ ଖେଳିବେ ବୋଲି ଆମେ ଆଶା କରୁଛୁ।"
ବର୍ତ୍ତମାନ, ସିଇଓଙ୍କ ବିବୃତ୍ତିରୁ, ଏପରି ସମ୍ଭାବନା କରାଯାଉଛି ଯେ ବୋଧହୁଏ ଧୋନି ଏବଂ CSK ମଧ୍ୟରେ ସବୁକିଛି ଠିକ୍ ଚାଲିନାହିଁ। ଏହାର ସବୁଠାରୁ ବଡ ଉଦାହରଣ ହେଉଛି କାଶୀ ବିଶ୍ୱନାଥନଙ୍କ ନିକଟରେ ହୋଇଥିବା ବିବୃତ୍ତି ଯେଉଁଥିରେ ସେ ନିଶ୍ଚିତ କରିଛନ୍ତି ଯେ ମାହି ତାଙ୍କୁ ଏ ବାବଦରେ କ କୌଣସି ମତ ଦେଇନାହାଁନ୍ତି। ବର୍ତ୍ତମାନ ଏଥିରେ କେତେ ସତ୍ୟତା ଅଛି ସେ ବିଷୟରେ କିଛି କହିବା କଷ୍ଟକର ହେବ ନିଶ୍ଚିତ।
ଆଇପିଏଲ୍ ୨୦୨୫ ପାଇଁ ନୂତନ ଖେଳାଳି ସଂରକ୍ଷଣ ନିୟମ ଅନୁଯାୟୀ, ଫ୍ରାଞ୍ଚାଇଜ୍ ଏପରି ଜଣେ ଖେଳାଳିଙ୍କୁ ଅନକ୍ୟାପ୍ଡ ଖେଳାଳି ଭାବରେ ରଖିପାରିବ ଯିଏ ଗତ ୫ ବର୍ଷ ମଧ୍ୟରେ ଭାରତ ପାଇଁ ଖେଳି ନାହିଁ, ଅର୍ଥାତ୍ ଗତ ୫ ବର୍ଷରେ ଭାରତ ପାଇଁ ଖେଳି ନ ଥିବା ଖେଳାଳୀ ଅନକ୍ୟାପ୍ଡ ଭାବରେ ଗଣାଯିବେ। ଏହି ନିୟମ ଆଧାରରେ ହିଁ ଧୋନିଙ୍କୁ ସିଏସକେ ମାତ୍ର ୪ କୋଟି ଟଙ୍କାରେ ରିଟେନ କରିପାରିବ।
ଏହି ନିୟମ ପରେ, ସିଏସକେ ଏମଏସ ଧୋନିଙ୍କୁ ୪ କୋଟି ଟଙ୍କାରେ ରଖିପାରିବ, ଅନ୍ୟପକ୍ଷରେ ସେ ଗତ ସିଜନରେ ଖେଳିବା ପାଇଁ ସେ ୧୨ କୋଟି ଟଙ୍କା ନେଇଥିଲେ। କିନ୍ତୁ ଏଥିପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏମଏସ ଧୋନି ନିଜେ ଆଇପିଏଲରେ ଖେଳିବାକୁ ଚାହୁଁଛନ୍ତି କି ନହିଁ।