ହରଭଜନ ଦେଲେ ରୋହିତ ଙ୍କୁ ଉପଦେଶ, କହିଲେ "ଏମିତି କଲେ ଗାବା ଟେଷ୍ଟ ନିଶ୍ଚିତ ଜିତିବ ଟିମ୍ ଇଣ୍ଡିଆ"

  1. Home
  2. Cricket News

ହରଭଜନ ଦେଲେ ରୋହିତ ଙ୍କୁ ଉପଦେଶ, କହିଲେ "ଏମିତି କଲେ ଗାବା ଟେଷ୍ଟ ନିଶ୍ଚିତ ଜିତିବ ଟିମ୍ ଇଣ୍ଡିଆ"


ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ୧-୧ରେ ବରାବର ରହିଛି । ତୃତୀୟ ମ୍ୟାଚ୍ ଡିସେମ୍ବର ୧୪ରୁ ବ୍ରିସବେନର ଗାବାରେ ଖେଳାଯିବ। ପୂର୍ବତନ ବରିଷ୍ଠ ସ୍ପିନର ହରଭଜନ ସିଂ ଗାବା ବିଜୟ ପାଇଁ ଭାରତକୁ ଥ୍ରୀ ଇନ ଓ୍ଵାନ ଫର୍ମୁଲା ଦେଇଛନ୍ତି।

ସେ କହିଛନ୍ତି, ଯଦି ଭାରତୀୟ ଦଳ ଏହି ମ୍ୟାଚ୍‌ରେ ତାଙ୍କର ତିନୋଟି ପରାମର୍ଶ ଲାଗୁ କରେ ତେବେ ବିଜୟ ନିଶ୍ଚିତ। ସେ ଭାରତୀୟ ଦଳ ପାଇଁ ମୁଣ୍ଡ ବିନ୍ଧାର ଉପଚାର ମଧ୍ୟ ଜଣାଇଛନ୍ତି। ଉଲ୍ଲେଖନୀୟ ଭାରତୀୟ ଦଳ ପର୍ଥ ଟେଷ୍ଟରେ ୨୯୫  ରନରେ ଜିତିଥିଲେ ମଧ୍ୟ ଆଡିଲେଡରେ ୧୦ ଓ୍ଵିକେଟ୍‌ରେ ଲଜ୍ଜାଜନକ ପରାଜୟ ଭୋଗିଛି।

ଛୋଟ ଛୋଟ ପାର୍ଟନସଶିପ ଦରକାର:

ହରଭଜନ ଷ୍ଟାରସ୍ପୋର୍ଟ୍ସ ସହ ଆଲୋଚନା ବେଳେ କହିଛନ୍ତି, ସର୍ବପ୍ରଥମେ ଭାରତକୁ ଭଲ ବ୍ୟାଟିଂ କରିବାକୁ ପଡ଼ିବ। ଆଡିଲେଡରେ ଦଳର ବ୍ୟାଟିଂ ବହୁତ ନିରାଶଜନକ ଥିଲା। ପାର୍ଟନରଶିପ ଦେଖିବାକୁ ମିଳିଲାନି। ପ୍ରଥମେ ୩୦-୪୦ ରନ ଛୋଟ ଛୋଟ ପାର୍ଟନରସିପ କରନ୍ତୁ, ସୁଯୋଗ ପାଇଲେ ପୁଣି ଏହାକୁ ବଡ଼ ଭାଗିଦାରୀରେ ପରିଣତ କରନ୍ତୁ।ଦଳ ପର୍ଥରେ ଏମିତି ଭାଗିଦାରୀ କରିଥଲା। ଗୋଟିଏ ପାର୍ଟନରସିପ ହିଁ ଆମକୁ ମ୍ୟାଚ୍ ଜିତାଇଥିଲା। ଗାବାରେ ଦ୍ଵିତୀୟ ଇନିଂସରେ ୩୦୦-୩୫୦ ରନ କରିଥିଲେ। କିନ୍ତୁ ଆଡିଲେଡରେ କୌଣସି ବି ଖେଳାଳି ଅର୍ଦ୍ଧଶତକ ହାସଲ କରି ପାରି ନ ଥିଲେ। ନୀତିଶ ରେଡ୍ଡୀଙ୍କ ବ୍ୟାଟରୁ ସର୍ବାଧିକ ୪୨ ରନ ଆସିଥିଲା।

ମୁଣ୍ଡ ବିନ୍ଧାର କାରଣ ଟ୍ରେଭିସ ହେଡ୍

ପୂର୍ବତନ ସ୍ପିନର କହିଛନ୍ତି, ବୋଲିଂରେ ଆମକୁ ଯୋଜନା ମୁତାବକ ପ୍ରଦର୍ଶନ କରିବାକୁ ପଡ଼ିବ। ଟ୍ରେଭିସ ହେଡ୍ ସର୍ବଦା ଭାରତୀୟ ଦଳକୁ ଅଡ଼ୁଆରେ ପକାଇ ଆସିଛନ୍ତି। ସେ ପଏଣ୍ଟ ଓ କଭର ଦିଗରେ ଅଧିକ ରନ  କରୁଛନ୍ତି। ଆପଣ ହେଡ୍‌ଙ୍କୁ ସିଧା ଖେଳାନ୍ତୁ। ବଲ୍‌କୁ କିଛିଟା ଆଗରେ ପକାନ୍ତୁ। ତାଙ୍କୁ ଲେଗ୍ ଷ୍ଟମ୍ପ ଦିଗରେ ରନ କରିବାକୁ ଦିଆଯାଉ। ବାଉନ୍ସ ବୋଲିଂ କରନ୍ତୁ। କାରଣ ସେ ବାଉନ୍ସ ଭଲ ଖେଳି ପାରୁ ନାହାନ୍ତି। ମୋତେ ଲାଗୁଛି ଏହି ଯୋଜନା ହେଡ୍‌ଙ୍କ ପାଇଁ ଠିକ୍ ରହିପାରେ। ହେଡ୍ ଆଡିଲେଡ୍‌ରେ ୧୪୦ ରନର ଧୂଆଁଧାର ଇନିଂସ ଖେଳିଥିଲେ ଓ ପ୍ଲେୟାର ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଥିଲେ।

ପ୍ରସିଦ୍ଧଙ୍କୁ ଦିଆଯାଉ ସୁଯୋଗ

ହରଭଜନ ସିଂ କହିଛନ୍ତି, ତୃତୀୟ କଥା ଦଳରେ ଗୋଟିଏ ପରିବର୍ତ୍ତନ ହେବା ଉଚିତ୍। ହର୍ଷିତ ରାଣାଙ୍କ ଜାଗାରେ ଦ୍ରୁତ ବୋଲର ପ୍ରସିଦ୍ଧ କୃଷ୍ଣ ଓ ଆକାଶଦୀପଙ୍କ ମଧ୍ୟରୁ ଜଣଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ୍ କରିବା ଉଚିତ୍। ମୁଁ କହୁନି ହର୍ଷିତ ରାଣାଙ୍କ ପ୍ରଦର୍ଶନ ଖରାପ। ମାତ୍ର ଗୋଟିଏ ପରିବର୍ତ୍ତନ କଲେ ଦଳ ପାଇଁ ଠିକ୍ ରହିପାରେ। ଗାବାର ପିଚ୍ ଦ୍ରୁତ ବୋଲରଙ୍କୁ ସୁହାଇ ଆସିଛି। ସେହି ପିଚ୍‌ରେ ଦ୍ରୁତ ବୋଲର ବହୁତ ଓ୍ଵିକେଟ୍ ନେଇଛନ୍ତି। ମୋ ମତରେ ପ୍ରସିଦ୍ଧଙ୍କ ପାଖରେ ବାଉନ୍ସ ରହିଛି ଏବଂ ସେ ଏହି ପିଚ୍‌ରେ ପ୍ରଭାବଶାଳୀ ହୋଇ ପାରନ୍ତି। ଭାରତ ଯଦି ଏହି ତିନୋଟି ଜିନିଷ ଲାଗୁ କରିବ ତେବେ ଦଳର ବିଜୟ ସୁନିଶ୍ଚିତ।