ପରାଜୟ ସହ ଚାମ୍ପିଅନ୍ସ ଟ୍ରଫିରୁ ବିଦାୟ ନେଲେ ବାଂଲାଦେଶ ଓ ପାକିସ୍ତାନ, ସେମି ଫାଇନାଲରେ ନ୍ୟୁଜିଲାଣ୍ଡ...
ଚାମ୍ପିଅନ୍ସ ଟ୍ରଫି ୨୦୨୫ : ଚାମ୍ପିଅନ୍ସ ଟ୍ରଫି ମ୍ୟାଚ୍ରେ ନ୍ୟୁଜିଲାଣ୍ଡ ବାଂଲାଦେଶ ବିପକ୍ଷରେ ସହଜ ବିଜୟ ହାସଲ କରିଛି। ବିଜୟ ସହ ନ୍ୟୁଜିଲାଣ୍ଡ ସେମି ଫାଇନାଲ୍ରେ ପ୍ରବେଶ କରିଥିବା ବେଳେ ବାଂଲାଦେଶ ଚାମ୍ପିଅନ୍ସ ଟ୍ରଫିର ସେମି ଫାଇନାଲ୍ ଦୌଡ଼ରୁ ବାଦ୍ ପଡ଼ିଛି।
ରଚିନ ରବୀନ୍ଦ୍ରଙ୍କ ୧୧୨ ରନର ଶତକୀୟ ଇନିଂସ ଓ ଟମ୍ ଲାଥମଙ୍କ ୫୫ ରନ ବଳରେ ନ୍ୟୁଜିଲାଣ୍ଡ ୪୬.୧ ଓଭରରେ ୫ ଓ୍ଵିକେଟ୍ ହରାଇ ମ୍ୟାଚ୍ ଜିତି ନେଇଛି। ପ୍ରଥମେ ବ୍ୟାଟିଂ କରିଥିବା ବାଂଲାଦେଶ ଅଧିନାୟକ ନଜମୁଲ ହୁସେନ ସାଣ୍ଟୋଙ୍କ ୭୭ ରନ ଓ ଜାକର ଅଲ୍ଲୀଙ୍କ ୪୫ ରନ ବଳରେ ୯ ଓ୍ଵିକେଟ୍ ହରାଇ ୨୩୬ ରନ କରିଥିଲା।
ବୋଲିଂରେ ନ୍ୟୁଜିଲାଣ୍ଡର ମିଚେଲ୍ ବ୍ରେସଓ୍ଵେଲ ୪ ଓ୍ଵିକେଟ୍ ନେଇ ଦଳ ବିଜୟରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଛନ୍ତି। ଏହି ମ୍ୟାଚ୍ର ଫଳାଫଳ ସହ ଭାରତ ମଧ୍ୟ ସେମିରେ ପ୍ରବେଶ କରିଛି।
କେବଳ ଏତିକି ନୁହେଁ ବାଂଲାଦେଶ ମ୍ୟାଚ୍ ହାରିବାରୁ ପାକିସ୍ତାନ ମଧ୍ୟ ଟୁର୍ଣ୍ଣାମେଣ୍ଟରୁ ବିଦା ହୋଇଛି। ଏହି ପରି ଗ୍ରୁପ ଏରୁ ଭାରତ ଓ ନ୍ୟୁଜିଲାନ୍ଡ ଚାମ୍ପିଅନ୍ସ ଟ୍ରଫି ୨୦୨୫ର ସେମି ଫାଇନାଲ୍ରେ ପ୍ରବେଶ କରିଛନ୍ତି।
ଗ୍ରୁପ୍ A ରେ ଶୀର୍ଷ ସ୍ଥାନ ପାଇଁ ଦୁବାଇରେ ମାର୍ଚ୍ଚ 2 ରେ ନ୍ୟୁଜିଲାଣ୍ଡ ଏବଂ ଭାରତ ପରସ୍ପର ସହିତ ମୁହାଁମୁହିଁ ହେବେ, କିନ୍ତୁ ସେହି ଖେଳର ଫଳାଫଳ ଯାହା ହେଉନା କାହିଁକି, ଭାରତ ମାର୍ଚ୍ଚ 4 ରେ ଦୁବାଇରେ ପ୍ରଥମ ସେମିଫାଇନାଲ ଖେଳିବ, ଯେତେବେଳେ ନ୍ୟୁଜିଲାଣ୍ଡ ମାର୍ଚ୍ଚ 5 ରେ ଲାହୋରରେ ଦ୍ୱିତୀୟ ସେମିଫାଇନାଲ ଖେଳିବ।