ବିରାଟ କୋହଲିଙ୍କ ଆଉ ଏକ ରେକର୍ଡକୁ ଭାଙ୍ଗିଲେ ବାବର ଆଜମ, ହେଲେ ବିଶ୍ୱର ପ୍ରଥମ ବ୍ୟାଟ୍ସମ୍ୟାନ୍

  1. Home
  2. Cricket News

ବିରାଟ କୋହଲିଙ୍କ ଆଉ ଏକ ରେକର୍ଡକୁ ଭାଙ୍ଗିଲେ ବାବର ଆଜମ, ହେଲେ ବିଶ୍ୱର ପ୍ରଥମ ବ୍ୟାଟ୍ସମ୍ୟାନ୍

Virat-Kohli-Rizwan-Babar


କ୍ରିକେଟ ଖବର : ବୁଧବାର ରାତିରେ ତିନି ମ୍ୟାଚ୍ ବିଶିଷ୍ଟ ଏକଦିବସୀୟ ସିରିଜର ପ୍ରଥମ ମ୍ୟାଚରେ ପାକିସ୍ତାନ, ୱେଷ୍ଟଇଣ୍ଡିଜ୍ କୁ 5 ୱିକେଟରେ ପରାସ୍ତ କରିଛି। ଏହି ବିଜୟରେ କ୍ୟାପଟେନ ବାବର ଆଜାମ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଆଉ ସେ ODI କ୍ୟାରିୟରର 17 ତମ ଶତକ ହାସଲ କରିଛନ୍ତି। ସେ ଏହି ମ୍ୟାଚରେ  103 ରନର ଏକ ଚମତ୍କାର ଇନିଂସ ଖେଳିଛନ୍ତି। 

ଏହି ଶତକ ସହିତ ବାବର କ୍ରିକେଟ ଇତିହାସରେ ବିରାଟ କୋହଲିଙ୍କର ଏକ ରେକର୍ଡକୁ ଭାଙ୍ଗିଛନ୍ତି। ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ୱେଷ୍ଟଇଣ୍ଡିଜ୍ ଓପନର୍ ଶାୟ ହୋପଙ୍କ ଶତକ ବଳରେ ଦଳ 305 ରନ୍ ସଂଗ୍ରହ କରିଥିଲା, କିନ୍ତୁ ଏହି ବିଜୟ ସ୍କୋରକୁ ପାକିସ୍ତାନ 4 ଟି ବଲ ବାକି ଥାଇ ହାସଲ କରିଥିଲା। 

babar

ଏହି ଇନିଂସ ସହିତ ପାକିସ୍ତାନ ଅଧିନାୟକ ବାବର ଆଜାମ ଅଧିନାୟକ ଭାବରେ ODI କ୍ରିକେଟରେ 1000 ରନ୍ ପୂରଣ କରିଛନ୍ତି। ବାବର ଏହି ମାଇଲଷ୍ଟୋନକୁ ଛୁଇଁବା ପାଇଁ 13ଟି ଇନିଂସ ନେଇଛନ୍ତି ଏବଂ ବିଶ୍ୱ କ୍ରିକେଟରେ ଅଧିନାୟକ ଭାବରେ ଏହି ସଫଳତା ହାସଲ କରିବାରେ ସେ ଦ୍ରୁତତମ ଅଧିନାୟକ ହୋଇପାରିଛନ୍ତି।

ଏହାପୂର୍ବରୁ ଏହି ରେକର୍ଡ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ନାମରେ ଥିଲା, ଯିଏ କି ଅଧିନାୟକ ଭାବରେ 17 ଟି ଇନିଂସରେ ଦ୍ରୁତତମ 1000 ରନ୍ ସଂଗ୍ରହ କରିଥିଲେ।  ଏହି ତାଲିକାରେ ତୃତୀୟ ସ୍ଥାନରେ ଏବି ଡି ଭିଲିୟର୍ସ (18), ଚତୁର୍ଥରେ କେନ୍ ୱିଲିୟମ୍ସନ୍ (20) ଏବଂ ପଞ୍ଚମ ସ୍ଥାନରେ ଆଲାଷ୍ଟାୟର୍ କୁକ୍ (21) ଅଛନ୍ତି। 

ଏହା ସହ ବାବର ଆଜାମ ଦ୍ୱିତୀୟ ଥର ପାଇଁ ODI କ୍ରିକେଟରେ ହ୍ୟାଟ୍ରିକ୍ ଶତକ ସ୍କୋର କରିଛନ୍ତି। ଗତକାଲି ବାବର ହାସଲ କରିଥିବା ଶତକ ODI କ୍ରିକେଟରେ ଏହା ତାଙ୍କର କ୍ରମାଗତ ତୃତୀୟ ଶତକ ଅଟେ। ୱେଷ୍ଟଇଣ୍ଡିଜ୍ ପୂର୍ବରୁ ପାକିସ୍ତାନ ଅଧିନାୟକ ଅଷ୍ଟ୍ରେଲିଆ ବିପକ୍ଷରେ ଦୁଇଟି ଶତକ ହାସଲ କରିଥିଲେ।