ଦେଖନ୍ତୁ ଭିଡ଼ିଓ: ବ୍ୟାଟ୍ସମ୍ୟାନ୍ ହୋଇଥିଲା ପୁରା ରନ୍ ଆଉଟ୍ କିନ୍ତୁ କ୍ରିକେଟ୍ ର ଏହି ନିୟମ ଦେଲା ତାଙ୍କୁ ଜୀବନଦାନ

 
Runout

ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚ୍ ରବିବାର ଦିନ ଆଡିଲେଡରେ ଅଷ୍ଟ୍ରେଲିଆ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚରେ ଅଷ୍ଟ୍ରେଲିଆ ୱେଷ୍ଟଇଣ୍ଡିଜକୁ ୩୪ ରନରେ ପରାସ୍ତ କରି ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜରେ ୨-୦ରେ ଅଗ୍ରଣୀ ହାସଲ କରିଛି। ଆଡିଲେଡରେ ଦୁଇ ଦେଶ ମଧ୍ୟରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ମ୍ୟାଚରେ ୱେଷ୍ଟଇଣ୍ଡିଜ୍ କ୍ରିକେଟର ଅଲଜାରୀ ଜୋସେଫ କ୍ରିଜଠାରୁ ଏକ ଫୁଟ ଦୂରରେ ରହି ରନଆଉଟ ହୋଇଥିଲେ ସତ୍ତ୍ୱେ ତାଙ୍କୁ ଆଉଟ ଦିଆଯାଇନଥିଲା।  

Joseph

ଏହି ଘଟଣାର ଭିଡ଼ିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି। କେବଳ ସେତିକି ନୁହେଁ ଏହାକୁ ନେଇ ଅନେକଙ୍କ ମଧ୍ୟରେ ତର୍କ ବିତର୍କ ମଧ୍ୟ ଆରମ୍ଭ ହୋଇ ଯାଇଛି। ବାସ୍ତବରେ ୱେଷ୍ଟଇଣ୍ଡିଜ୍ ଇନିଂସର ୧୯ତମ ଓଭରରେ ଏହି ଘଟଣା ଘଟିଥିଲା। ଏହି ଓଭରରେ ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ସ୍ପେନ୍ସର ଜନସନ ବୋଲିଂ କରିବାକୁ ଆସିଥିଲେ। 

୧୯ତମ ଓଭରରେ ଅଲଜାରି ଜୋସେଫ ସ୍ପେନ୍ସର ଜନସନଙ୍କ ତୃତୀୟ ବଲକୁ କଭର ଆଡକୁ ଖେଳି ଦେଇ ଏକ ରନ୍ ନେବାକୁ ଉଦ୍ୟମ କରୁଥିଲେ। କିନ୍ତୁ ଅଷ୍ଟ୍ରେଲିୟ ଅଧିନାୟକ ମିଚେଲ ମାର୍ଶ ବଲକୁ ଧରି ନନ୍-ଷ୍ଟ୍ରାଇକର ଏଣ୍ଡରେ ଥିବା ସ୍ପେନ୍ସର ଜନସନଙ୍କ ନିକଟକୁ ଫିଙ୍ଗିଥିଲେ। ଅଲଜାରି ଜୋସେଫଙ୍କ ବ୍ୟାଟ୍ କ୍ରିଜଠାରୁ ଦୂରରେ ରହିଥିଲା, ତଥାପି ତାଙ୍କୁ ଆଉଟ ଦିଆଯାଇନଥିଲା।

ଅନ୍ ଫିଲ୍ଡ ଗାରାର୍ଡ ଆବୁଦ୍ କ୍ରିଜରୁ ବାହାରିବା ସତ୍ତ୍ୱେ ଅଲଜାରି ଯୋସେଫଙ୍କୁ ଆଉଟ୍ ଦେବାକୁ ମନା କରିଦେଇଥିଲେ।  ଅଷ୍ଟ୍ରେଲୀୟ କ୍ରିକେଟରମାନେ ଫିଲ୍ଡ ଅମ୍ପାୟାର ଜେରାର୍ଡ ଅବଦଙ୍କ ଏହି ନିଷ୍ପତ୍ତିକୁ ହାସ୍ୟାସ୍ପଦ ବୋଲି କହିଛନ୍ତି। ତେବେ ଅମ୍ପାୟାର ଜେରାର୍ଡ ଅବଦଙ୍କ ଅନୁଯାୟୀ ଅଷ୍ଟ୍ରେଲୀୟ ଖେଳାଳିମାନେ ଅଲଜାରୀ ଜୋସେଫଙ୍କ ବିପକ୍ଷରେ ରନ୍ ଆଉଟ୍ ଆବେଦନ କରିନଥିଲେ।  


କ୍ରିକେଟ୍ ନିୟମ ଅନୁଯାୟୀ ଆଉଟ ପାଇଁ ଫିଲଡିଂ ଟିମକୁ ଅନଫିଲ୍ଡ ଅମ୍ପାୟାରଙ୍କୁ ଆବେଦନ କରିବାକୁ ହୋଇଥାଏ। ଏହି ଘଟଣାକ୍ରମରେ କୌଣସି ଅଷ୍ଟ୍ରେଲିୟ ଖେଳାଳି ଆଉଟ ପାଇଁ ଆବେଦନ କରିନଥିବା ଦେଖିବାକୁ ମିଳିଥିଲା। ତେଣୁ ଜୋସେଫଙ୍କୁ ଆଉଟ ଦିଆ ଯାଇନଥିଲା। ଅନ୍ୟପକ୍ଷରେ ଅଷ୍ଟ୍ରେଲିୟ ଖେଳାଳି ଟିମ୍ ଡେଭିଡ୍ ଆଉଟ ପାଇଁ ଅପିଲ୍ କରିଥିବା କହିଥିଲେ।