କାହିଁକି ହାରୁଛି RCB? ପ୍ରକୃତ କାରଣ କହିଲେ ବିରେନ୍ଦ୍ର ସେହ୍ୱାଗ ଓ ମନୋଜ ତିୱାରୀ….

 

ଚଳିତବର୍ଷ ଆଇପିଏଲ ୨୦୨୪ରେ ପ୍ରାୟ ସମସ୍ତ ମ୍ୟାଚ ବେସ୍ ସଂଘର୍ଷପୂର୍ଣ୍ଣ ହେଉଥିବା ଦେଖିବାକୁ ମିଳୁଛି। ସମସ୍ତ ଦଳ ଭଲ ପ୍ରଦର୍ଶନ କରୁଥିବା ବେଳେ କିନ୍ତୁ ଆରସିବି ଦଳ ନିଜ ପ୍ରଦର୍ଶନ ଦ୍ୱାରା ପ୍ରଶଂସକମାନଙ୍କୁ ନିରାଶ କରିଛି। ଏପର୍ଯ୍ୟନ୍ତ ସୁଦ୍ଧା ଏହି ଦଳ ୭ମ୍ୟାଚ ଖେଳି ସାରିଥିବା ବେଳେ ସେଥିମଧ୍ୟରୁ ମାତ୍ର ଗୋଟିଏ ମ୍ୟାଚରେ ବିଜୟର ସ୍ୱାଦ ଚାଖିଛି।

ଦଳ ମଧ୍ୟରେ ଅନେକ ପ୍ରକାର ସମସ୍ୟା ଦେଖିବାକୁ ମିଳିଛି। କେତେବେଳେ ବ୍ୟାଟିଂ ତ କେତେବେଳେ ବୋଲିଂକୁ ନେଇ ସମସ୍ୟା। କେତେବେଳେ ବ୍ୟାଟିଂ ଭଲ କରିଲେ ବୋଲର ରନ ଦେଉଛନ୍ତି। ସେହିପରି ବ୍ୟାଟିଂରେ ଅଳ୍ପ କେତେଜଣଙ୍କୁ ଛାଡି ଦେଲେ ଅନ୍ୟମାନେ ଭଲ ପ୍ରଦର୍ଶନ କରିପାରିନାହାଁନ୍ତି। ଖାସ୍ କରି ବିଦେଶୀ ଖେଳାଳିମାନେ ଭଲ ପ୍ରଦର୍ଶନ କରିପାରିନାହାଁନ୍ତି। ତେବେ, ଆରସିବି ପାଇଁ ଏଭଳି ପରିସ୍ଥିତି କିଛି ନୂଆ ନୁହେଁ। ବର୍ଷ ବର୍ଷ ଧରି ଆରସିବି ଏଭଳି ପରିସ୍ଥିତି ସାମ୍ନା କରି ଆସୁଛି। ଦଳ କଣ ପାଇଁ ପ୍ରଦର୍ଶନ କରିପାରୁନାହିଁ ସେଥିନେଇ ଆଲୋକପାତ କରିଛନ୍ତି ପୂର୍ବତନ ଭାରତୀୟ ଖେଳାଳି ବିରେନ୍ଦ୍ର ସେହ୍ୱାଗ ଏବଂ ମନୋଜ ତିୱାରୀ। 

ଆରସିବି ଟିମ୍ ମଧ୍ୟରେ ଭାରତୀୟ କୋଚିଂ ଷ୍ଟାଫଙ୍କ ଅଭାବ ହିଁ ଏହାର ମୁଖ୍ୟ କାରଣ ବୋଲି କହିଛନ୍ତି ସେହ୍ଵାଗ। ତାଙ୍କ କହିବା ଅନୁଯାଇ ଦଳରେ ଅଧିକାଂଶ ଭାରତୀୟ ଖେଳାଳି ରହିଛନ୍ତି। କେତେକ ଇଂରାଜୀ ଭଲ ଭାବରେ କହି କିମ୍ବା ବୁଝି ପାରନ୍ତିନାହିଁ। ଏପରି ପରିସ୍ଥିତିରେ ଭାରତୀୟ ଯୁବ ଖେଳାଳିମାନେ ନିଜ କଥା କୋଚିଂ ଷ୍ଟାଫଙ୍କ ଆଗରେ ରଖି ପାରନ୍ତିନାହିଁ ଯାହାକି ଏକ ବଡ଼ ସମସ୍ୟା ଅଟେ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଆଣ୍ଡି ଫ୍ଲାଓର୍ ଆରସିବିର ମୁଖ୍ୟ କୋଚ୍ ଅଟନ୍ତି ଏବଂ ତାଙ୍କର କୋଚିଂ ଷ୍ଟାଫ୍ ମଧ୍ୟରେ କେହି ଭାରତୀୟ ନାହାଁନ୍ତି। ସେହିଭଳି ଭାବରେ ନିଲାମୀ ଏବଂ ମ୍ୟାନେଜମେଣ୍ଟର ଦୋଷ ପାଇଁ ଦଳ ହାରୁଥିବା ନେଇ ସ୍ପଷ୍ଟ ଭାବରେ କହିଛନ୍ତି ମନୋଜ ତିୱାରୀ। ଚହଲ, ହାସରଙ୍ଗାଙ୍କ ଭଳି ଖେଳାଳିଙ୍କୁ ଛାଡିବା ଏବଂ ବିରାଟଙ୍କୁ ଅଧିନାୟକ ଭାବରେ ନ ରଖିବା ଆରସିବି ଉପରେ ଭାରି ପଡୁଥିବା କହିଛନ୍ତି ମନୋଜ।