ଦେଖନ୍ତୁ ଭିଡ଼ିଓ: ଭଲ ଖେଳିବା ଏବଂ ଜିତିବା ସତ୍ତ୍ୱେ ଏହି କାରଣରୁ କ୍ଷମା ମାଗିଲେ ଋଷବ ପନ୍ତ! ଭିଡ଼ିଓ ଭାଇରାଲ….

 

ଏପ୍ରିଲ ୨୪ ତାରିଖରେ ଅରୁନ ଜେଟଲୀ ଷ୍ଟାଡିୟମରେ ଆୟୋଜିତ ହୋଇଥିବା ଆଇପିଏଲର ଏକ ମ୍ୟାଚରେ ଋଷଭ ପନ୍ତଙ୍କ ନେତୃତ୍ୱାଧୀନ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଗୁଜୁରାଟ ଟାଇଟାନ୍ସ (ଜିଟି) କୁ ଚାରି ରନ୍ ରେ ପରାସ୍ତ କରିଛି। ଦିଲ୍ଲୀର ବିଜୟରେ ଅଧିନାୟକ ଋଷବ ନିଜେ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ତାଙ୍କ ଦ୍ୱାରା ଖେଳାଯାଇଥିବା ତୁଫାନି ଇନିଂସ ଆଧାରରେ ଜିତିବାରେ ସଫଳ ହୋଇଥିଲା। ସେ ଚଳିତ ସିଜନର ତୃତୀୟ ଅର୍ଦ୍ଧଶତକ ହାସଲ କରିଥିଲେ।

ସେ ମାତ୍ର ୪୩ ବଲରେ ୮୮ ରନ୍ ସ୍କୋର କରି ପ୍ଲେୟାର ଅଫ୍ ଦି ମ୍ୟାଚ୍ ପୁରସ୍କାର ମଧ୍ୟ ପାଇଥିଲେ। କିନ୍ତୁ ସେ ନିଜ ବ୍ୟାଟିଂ ସମୟରେ ଜଣେ କ୍ୟାମେରାମ୍ୟାନଙ୍କୁ ଆହତ କରି ଦେଇଥିଲେ, ଯେଉଁଥିପାଇଁ ସେ ବର୍ତ୍ତମାନ କ୍ଷମା ମାଗିଛନ୍ତି। ସୋସିଆଲ ମିଡିଆରେ ଏଥିସହିତ ଜଡିତ ଏକ ଭିଡିଓ ସାମ୍ନାକୁ ଆସିଛି। ବାସ୍ତବରେ ଋଷଭ ପନ୍ତ ଇନିଂସର ଶେଷ ଓଭରରେ ବିସ୍ଫୋରକ ବ୍ୟାଟିଂ ପ୍ରଦର୍ଶନ କରିଥିଲେ, ଯେଉଁଥିରେ ସେ ମୋହିତ ଶର୍ମାଙ୍କ ଓଭରରେ ୩୧ ରନ୍ ସଂଗ୍ରହ କରିଥିଲେ। ଦୁର୍ଭାଗ୍ୟବଶତଃ, ତାଙ୍କର ଏକ ଶକ୍ତିଶାଳୀ ଛକା ଜଣେ କ୍ୟାମେରାପର୍ସନଙ୍କ ଦେହରେ ବାଜିଥିଲା। ଏଠାରେ ଉଲ୍ଲେଖଯୋଗ୍ୟ ଯେ ପନ୍ତ ୮୮ ରନର ଅପରାଜିତ ଇନିଂସରେ ମୋଟ ୮ଟି ଛକା ମାରିଥିଲେ।

ଏହି ୮ ଟି ଛକା ମଧ୍ୟରୁ ସେ କେବଳ ଶେଷ ଓଭରରେ ୪ଟି ଛକା ମାରିଥିଲେ। ତାଙ୍କର ଏହି ଛକା ମଧ୍ୟରୁ ଗୋଟିଏ କ୍ୟାମେରାମ୍ୟାନଙ୍କୁ ମଧ୍ୟ ଆଘାତ ଦେଇଥିଲା। ଏଭଳି ପରିସ୍ଥିତିରେ ପନ୍ତ କ୍ୟାମେରାମ୍ୟାନଙ୍କୁ କ୍ଷମା ମାଗିଥିଲେ। ତାଙ୍କ କ୍ଷମା ମାଗିବାର ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଋଷଭ ପନ୍ତଙ୍କ କ୍ୟାମେରାମ୍ୟାନଙ୍କୁ କ୍ଷମା ମାଗୁଥିବା ଭିଡିଓ ଆଇପିଏଲର ଅଫିସିଆଲ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରାଯାଇଥିଲା। ଏହି ସମୟ ମଧ୍ୟରେ ଦଳର ମୁଖ୍ୟ ପ୍ରଶିକ୍ଷକ ରିକି ପଣ୍ଟିଙ୍ଗ ମଧ୍ୟ ଅଧିନାୟକଙ୍କ ସହ ଉପସ୍ଥିତ ଥିଲେ।  ଭିଡିଓରେ ପନ୍ତ କ୍ୟାମେରାମ୍ୟାନଙ୍କୁ କ୍ଷମା ମାଗିଥିଲେ ଏବଂ ଯଥାଶୀଘ୍ର ସୁସ୍ଥ ହେବାକୁ କାମନା କରିଥିଲେ।


ଭିଡିଓରେ, ପନ୍ତ କହୁଥିବାର ଶୁଣିବାକୁ ମିଳୁଛି ଯେ, ‘ମୁଁ ଦୁଃଖିତ ଦେବାଶିଷ ଭାଇ, ମୁଁ ତୁମକୁ ମାରିବା ପାଇଁ ଚାହୁଁନଥିଲି, କିନ୍ତୁ ମୁଁ ଭାବୁଛି ଆପଣ ସୁସ୍ଥ ହୋଇଯିବ’। ମ୍ୟାଚ୍ ବିଷୟରେ କହିବାକୁ ଗଲେ, ଆଇପିଏଲ୍ ୨୦୨୪ର ୪୦ ତମ ମ୍ୟାଚ୍ ଗୁଜୁରାଟ ଟାଇଟାନ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯାଇଥିଲା। ଏହି ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୪ ୱିକେଟ୍ ପାଇଁ ୨୨୪ ରନ୍ ସଂଗ୍ରହ କରିଥିଲା। ଦଳ ପାଇଁ ଅଧିନାୟକ ଋଷଭ ପନ୍ତ ୫ ଟି ଚୌକା ଓ ୮ଟି ଛକା ସହାୟତାରେ ୪୩ ବଲରେ ୮୮ ରନ ଖେଳିଥିଲେ। ଏହାର ଜବାବରେ ଗୁଜୁରାଟ ମାତ୍ର ୨୨୦ ରନ୍ ସ୍କୋର କରିପାରିଥିଲା।