ଆରସିବି ବନାମ ଚେନ୍ନାଇ ମ୍ୟାଚ ଉପରେ ବର୍ଷା ସଙ୍କଟ! ମ୍ୟାଚ ରଦ୍ଧ ହେଲେ ଏହି ଦଳର ହେବ ଫାଇଦା….

 

ମେ ୧୮ ତାରିଖରେ, ଆଇପିଏଲ୍ ୨୦୨୪ର ୬୮ ତମ ମ୍ୟାଚ୍ ବାଙ୍ଗାଲୋରର ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଆରସିବି ଏବଂ ସିଏସକେ ମଧ୍ୟରେ ଖେଳାଯିବ। ଏହି ମ୍ୟାଚ୍ ଚଳିତ ସିଜନର ସବୁଠାରୁ ରୋମାଞ୍ଚକର ମ୍ୟାଚ୍ ବୋଲି ପ୍ରମାଣିତ ହୋଇପାରେ। ଉଭୟ ଆରସିବି ଏବଂ ସିଏସକେ ପ୍ଲେ ଅଫ୍ ଯୋଗ୍ୟତା ଅର୍ଜନ କରିବା ପାଇଁ ଚେଷ୍ଟା କରିବେ। ଏହି ଦୃଷ୍ଟିରୁ ଏହି ମ୍ୟାଚ୍ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ। 

ଯେଉଁ ଦଳ ସପକ୍ଷରେ ଏହି ମ୍ୟାଚର ପରିଣାମ ରହିବ, ସେମାନେ ଶ୍ରେଷ୍ଠ ୪ ଦଳରେ ସ୍ଥାନ ପାଇପାରିବେ। କିନ୍ତୁ ଏହି ମ୍ୟାଚ୍ ସହିତ ଜଡିତ ଏକ ନିରାଶାଜନକ ଖବର ସାମ୍ନାକୁ ଆସୁଛି। କ୍ରିକେଟ୍ ପ୍ରଶଂସକମାନେ ଆରସିବି ଏବଂ ସିଏସକେ ମଧ୍ୟରେ ଥିବା ଏହି ଗୁରୁତ୍ୱପୂର୍ଣ୍ଣ ଏବଂ ବଡ ମ୍ୟାଚ୍ ଉପରେ ନଜର ରଖିଛନ୍ତି। ଏହାର ମୁଖ୍ୟ କାରଣ ଏମଏସ ଧୋନି ଏବଂ ବିରାଟ କୋହଲି ଅଟନ୍ତି।

ଧୋନି ବୋଧହୁଏ ତାଙ୍କ ଶେଷ ଆଇପିଏଲ ମ୍ୟାଚରେ ଆରସିବି ବିପକ୍ଷରେ ସିଏସକେକୁ ପ୍ଲେ ଅଫ୍ ନେବାକୁ ଚେଷ୍ଟା କରିବେ। ଅନ୍ୟପକ୍ଷରେ ବିରାଟ କୋହଲି ଆରସିବିକୁ ଏହାର ପ୍ରଥମ ଟାଇଟଲ୍ ଦେବା ପାଇଁ ଆବଶ୍ୟକ ପ୍ଲେ ଅଫ୍ ଟିକେଟ୍ ପାଇବାକୁ ଚେଷ୍ଟା କରିବେ ନିଶ୍ଚିତ। କିନ୍ତୁ ଏହି ମ୍ୟାଚ୍ ସହ ଜଡିତ ନିରାଶାଜନକ ଖବର ହେଉଛି ୧୮ ମଇରେ ବାଙ୍ଗାଲୋରରେ ବର୍ଷା ହୋଇପାରେ। ଯଦି ବର୍ଷା ହୁଏ, ତେବେ ପ୍ଲେ ଅଫ୍ ପାଇଁ ସିଏସକେର ରାସ୍ତା ସଫା ହୋଇଯିବ।

ମେ ୧୮ ରେ ଅନୁଷ୍ଠିତ ହେବାକୁ ଥିବା ଆରସିବି ଏବଂ ସିଏସକେ ମଧ୍ୟରେ ମ୍ୟାଚ୍ ଉଭୟ ଦଳ ପାଇଁ ଲିଗ୍ ପର୍ଯ୍ୟାୟର ଶେଷ ମ୍ୟାଚ୍ ହେବ। ୧୩ ଟି ମ୍ୟାଚରେ ୬ ଟି ବିଜୟ ସହିତ ଆରସିବି ୧୨ ପଏଣ୍ଟ ସହିତ ୫ମ ସ୍ଥାନରେ ରହିଛି। ଅନ୍ୟପକ୍ଷରେ ସିଏସକେ ୧୩ ଟି ମ୍ୟାଚରେ ୭ ଟି ବିଜୟ ସହିତ ୧୪ ପଏଣ୍ଟ ସହିତ ତୃତୀୟ ସ୍ଥାନରେ ଅଛି। ଚେନ୍ନାଇର୍ ରନ-ରେଟ ଅଧିକ ରହିଛି।

ଏଭଳି ପରିସ୍ଥିତିରେ ଯଦି ଏହି ଦୁଇ ଦଳ ମଧ୍ୟରେ ପରବର୍ତ୍ତୀ ମ୍ୟାଚରେ ବର୍ଷା ହୁଏ ଏବଂ ପଏଣ୍ଟ ବଣ୍ଟନ କରିବାର ଆବଶ୍ୟକତା ପଡ଼େ। ତେବେ ସିଏସକେ ୧ ପଏଣ୍ଟ ସହିତ ୧୫ ପଏଣ୍ଟରେ ପହଞ୍ଚିବ ଏବଂ ଆରସିବି ୧ ପଏଣ୍ଟ ସହିତ ୧୩ ପଏଣ୍ଟରେ ପହଞ୍ଚିବ। ଏପରି ପରିସ୍ଥିତିରେ, ଏହା ନିଶ୍ଚିତ ହୋଇଯିବ ଯେ ସିଏସକେ ପ୍ଲେ ଅଫ୍ ରେ ପହଞ୍ଚିବ।

ଅନ୍ୟପକ୍ଷରେ ଯଦି ମ୍ୟାଚ ହୁଏ ତେବ ଆରସିବି ପ୍ଲେ ଅଫ୍ ରେ ପହଞ୍ଚିବାକୁ ହେଲେ ଆରସିବି ପ୍ରଥମ ବ୍ୟାଟିଂ କରି ଚେନ୍ନାଇକୁ ୧୮ ରନରେ ହରାଇବାକୁ ପଡିବ। ଅନ୍ୟପକ୍ଷରେ ଚେଜ୍ କରୁଥିଲେ ଆରସିବିକୁ ୧୮.୧ ଓଭରରେ ହିଁ ସ୍କୋର ଚେଜ୍ କରିବାକୁ ହେବ। ଏହି ହାଇଭୋଲ୍ଟେଜ୍ ମ୍ୟାଚରେ ଉଭୟ ଦଳ ଭଲ ଖେଳିବା ପାଇଁ ନିଶ୍ଚିତ ଭାବରେ ଚେଷ୍ଟା କରିବ।