ଡଗଆଉଟ୍ ରେ ଥାଇ କରୁଥିଲେ ଏମିତିକା ଇସାରା, BCCI ଦେଲା ପୋଲାର୍ଡ଼ ଏବଂ ଡେଭିଡ୍ ଙ୍କୁ ବଡ଼ ଦଣ୍ଡ

 

ଆଇପିଏଲ୍ କୋଡ ଅଫ କଣ୍ଡକ୍ଟ ନିୟମ ଉଲ୍ଲଂଘନ କରିଥିବା ହେତୁ ଦଣ୍ଡିତ ହେଲେ କାଇରନ୍ ପୋଲାର୍ଡ଼ ଏବଂ ଟିମ୍ ଡେଭିଡ୍। ପଞ୍ଜାବ କିଂଗ୍ସ ବିପକ୍ଷ ମ୍ୟାଚରେ ଡଗ୍-ଆଉଟରୁ ସୂର୍ଯ୍ୟକୁମାର ଯାଦବଙ୍କୁ ରିଭ୍ୟୁ ନେବା ପାଇଁ ଇଙ୍ଗିତ କରିବା ପଡିଲା ମହଙ୍ଗା। ଏଥିପାଇଁ ଉଭୟଙ୍କ ମ୍ୟାଚ ଫି’ରୁ ୨୦% ପ୍ରତିଶତ ଲେଖାଏଁ କାଟି ଦିଆଯାଇଛି।

ଏପ୍ରିଲ ୧୮ ତାରିଖରେ ମୁଲ୍ଲାନପୁର ଠାରେ ଏହି ମ୍ୟାଚ ଖେଳାଯାଇଥିଲା। ଯେଉଁଥିରେ ଏକ ଡ଼ିଆରଏସ୍ କୁ ନେଇ ବିବାଦ ଦେଖା ଦେଇଥିଲା। ପ୍ରକୃତରେ ଏକ ବଲକୁ ଅମ୍ପାୟାର ୱାଇଡ୍ ଦେଇନଥିବା ବେଳେ ଟିଭି ରିପ୍ଲେ ଦେଖି ରିଭ୍ୟୁ ନେବା ପାଇଁ ଡଗ୍-ଆଉଟରୁ ପୋଲାର୍ଡ଼ ଏବଂ ଡେଭିଡ୍ ଇଙ୍ଗିତ କରିଥିଲେ।

ଏହି ଘଟଣାର ଭିଡ଼ିଓ ସେତେବେଳେ ଲାଇଭ ଟିଭିରେ ପ୍ରସାରିତ ହେଉଥିଲା। ଏପରିକି ବିପକ୍ଷ ଦଳର ଅଧିନାୟକ ସ୍ୟାମ୍ କରନ ମଧ୍ୟ ଏଥିନେଇ ବିରୋଧ କରୁଥିବା ଦେଖିବାକୁ ମିଳିଥିଲା। ଏପରି କରିବା ଦ୍ୱାରା ଡାଭିଡ ଓ ପୋଲାର୍ଡ ଆଇପିଏଲ ଆଚରଣ ବିଧିର ଧାରା ୨.୨୦ରେ ଥିବା ଲେଭଲ ୧ ଅପରାଧ କରିଥିଲେ। ଯେଉଁଥିପାଇଁ ମ୍ୟାଚ ରେଫ୍ରିଙ୍କ ଦ୍ଵାରା ସେମାନଙ୍କ ଉପରେ ଫାଇନ୍ କରାଯାଇଥିଲା। 

ପ୍ରକୃତରେ ମୁମ୍ବାଇ ଇନିଂସର ୧୫ତମ ଓଭରରେ ଅର୍ଶଦୀପ ସିଂହ ସାମ୍ନାରେ ଥିବା ସୂର୍ଯ୍ୟ କୁମାର ଯାଦବଙ୍କୁ ଆଉଟ ସାଇଡ ଅଫ ଷ୍ଟମ୍ପରେ ଗୋଟିଏ ଫୁଲ୍‌ ବଲ ପକାଇଥିଲେ। ଏହା ୱାଇଡ ଲାଇନ ପାଖରେ ଯାଇଥିଲା। ୪୭ ବଲରେ ୬୭ ରନ କରି ବ୍ୟାଟିଂ କରୁଥିବା ସୂର୍ଯ୍ୟ କୁମାର ଏହା ମାରିବାକୁ ଚେଷ୍ଟା କରିଥିଲେ ହେଁ ଫେଲ ମାରିଥିଲେ।