ଧୋନିଙ୍କ ଖେଳିବାକୁ ନେଇ ଏପରି କହିଲେ ମହମ୍ମଦ କୈଫ୍! ଧୋନି ସାହେବ୍ ବୋଲି କହି କରିଲେ ସମ୍ବୋଧନ….

 

ଆଇପିଏଲ ୨୦୨୫ କୁ ନେଇ ସମସ୍ତ ଫ୍ରାଞ୍ଚାଇଜ ସେମାନଙ୍କର ରଣନୀତି ପ୍ରସ୍ତୁତ କରିବାରେ ବ୍ୟସ୍ତ ରହିଛନ୍ତି। ବିସିସିଆଇ ଦ୍ୱାରା ଜାରି ହୋଇଥିବା ମେଗା ନିଲାମର ନୂତନ ନିୟମକୁ ନେଇ ମଧ୍ୟ ଜୋରଦାର ଆଲୋଚନା ହେଉଛି। ଏଥିସହିତ ଧୋନି ୨୦୨୫ ଆଇପିଏଲ ଖେଳିବେ କି ନାହିଁ ସେଥିନେଇ ଚର୍ଚ୍ଚା ଜୋର୍ ଧରିଛି। କେବଳ ଧୋନିଙ୍କୁ ଖେଳାଇବା ପାଇଁ ବିସିସିଆଇ ଅନକ୍ୟାପ୍ଡ ନିୟମରେ ପରିବର୍ତ୍ତନ କରିଥିବା କୁହାଯାଉଛି। ଏହି ବିଷୟରେ ସମୀକ୍ଷକ ତଥା ପୂର୍ବତନ ଭାରତୀୟ ଖେଳାଳି ମହମ୍ମଦ କୈଫ୍ ମଧ୍ୟ ଧୋନିଙ୍କ ବିଷୟରେ ଅନେକ ବଡ଼ କଥା କହିଛନ୍ତି। 

ଧୋନି ଆଇପିଏଲ ୨୦୨୫ ରେ ଖେଳୁଥିବା ଆଲୋଚନା ବିଷୟରେ ମହମ୍ମଦ କୈଫ୍ ଅନେକ ବଡ଼ କଥା କହିଛନ୍ତି। ଏକ ମିଡିଆ ସାକ୍ଷାତକାରରେ ମହମ୍ମଦ କୈଫ୍ କହିଛନ୍ତି ଯେ, "ଆମେ ଏମଏସ ଧୋନିଙ୍କୁ ପୁଣି ଖେଳୁଥିବାର ଦେଖିବାକୁ ଯାଉଛୁ। ସେ ଫିଟ୍ ଅଛନ୍ତି, ୨୦୦ ଷ୍ଟ୍ରାଇକ୍ ରେଟରେ ଖେଳୁଛନ୍ତି, ତେଣୁ ମୁଁ ଭାବୁଛି ଯେପର୍ଯ୍ୟନ୍ତ ସେ ଖେଳ ଜାରି ରଖିବେ, ଆଇପିଏଲ୍ ନିୟମ ବଦଳିବ। ଯଦି ସେ ଆଇପିଏଲରେ ଖେଳିବାକୁ ଚାହାଁନ୍ତି, ସେ ଖେଳିବା ଜାରି ରଖିବେ।

ସେ ଆହୁରି କହିଛନ୍ତି ଯେ, "ମୁଁ ଭାବୁଛି ନିୟମ ବଦଳାଇବା ଠିକ ଅଟେ। ଯଦି ସେ ଭଲ ଖେଳୁଛନ୍ତି ଏବଂ ଫିଟ୍ ଅଛନ୍ତି, ତେବେ ତାଙ୍କୁ କାହିଁକି ଖେଳିବାକୁ ଦିଆଯିବ ନାହିଁ। ସମସ୍ତେ ଜାଣନ୍ତି ଯେ ଧୋନିଙ୍କ ପାଇଁ ଏହି ନିୟମ ପରିବର୍ତ୍ତନ କରାଯାଇଛି। "ଧୋନିଙ୍କ ପରି ଖେଳାଳିଙ୍କ ପାଇଁ ନିୟମ କାହିଁକି ପରିବର୍ତ୍ତନ କରାଯିବା ଉଚିତ ନୁହେଁ? ବୋଲି ସେ ପ୍ରଶ୍ନ କରିଛନ୍ତି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଧୋନି ଗତ ଆଇପିଏଲ୍ ସିଜନରେ ଚମତ୍କାର ବ୍ୟାଟିଂ କରିଥିଲେ ଏବଂ ଦଳରେ ଜଣେ ଫିନିଶର ଭାବରେ ଭୂମିକା ଗ୍ରହଣ କରିଥିଲେ। ସେ ଖେଳିଥିବା ୧୪ ଟି ମ୍ୟାଚରେ ୧୬୧ ରନ୍ ସ୍କୋର କରିଥିଲେ ଏବଂ ଏହା ମଧ୍ୟରେ ସେ ୨୦୦ ଷ୍ଟ୍ରାଇକ୍ ରେଟରେ ରନ ସଂଗ୍ରହ କରିଥିଲେ। ଏଥିସହିତ ଧୋନି ପ୍ରଥମ ତିନୋଟି ମ୍ୟାଚର ଇନିଂସରେ ଅପରାଜିତ ମଧ୍ୟ ରହିଥିଲେ। ଧୋନି ଆଇପିଏଲ୍ ୨୦୨୫ ଖେଳିବେ କି ନାହିଁ ତାହାକୁ ନେଇ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ଧୋନିଙ୍କ ପକ୍ଷରୁ ଏ ବିଷୟରେ କିଛି ସ୍ପଷ୍ଟ କରାଯାଇ ନାହିଁ କିମ୍ବା ସିଏସକେ ମ୍ୟାନେଜମେଣ୍ଟ ପକ୍ଷରୁ କିଛି କୁହାଯାଇନାହିଁ।