ଆଇପିଏଲ୍ ପୂର୍ବରୁ SRHକୁ ଲାଗିଲା ବଡ଼ ଝଟକା! ପ୍ୟାଟ କମିନ୍ସଙ୍କ ଅନୁପସ୍ଥିତିରେ ଅଧିନାୟକ ହେବେ ଏହି ଖେଳାଳି….
ଇଣ୍ଡିଆନ୍ ପ୍ରିମିୟର ଲିଗ୍ ୨୦୨୫ ଆରମ୍ଭ ପାଇଁ କେବଳ କିଛି ମାସ ବାକି ଅଛି। ସମସ୍ତ ଦଳ ଆଇପିଏଲ୍ ର ୧୮ ତମ ସିଜନ୍ ପାଇଁ ପ୍ରସ୍ତୁତ ହୋଇଛନ୍ତି। କିନ୍ତୁ, ଏହାପୂର୍ବରୁ ସନରାଇଜର୍ସ ହାଇଦ୍ରାବାଦର କ୍ୟାମ୍ପରୁ ନିରାଶାଜନକ ଖବର ସାମ୍ନାକୁ ଆସୁଛି। ପ୍ରକୃତରେ ପ୍ୟାଟ୍ କମିନ୍ସଙ୍କ ଗୋଡରେ ଆଘାତ ଲାଗିଛି। ଯେଉଁଥିପାଇଁ ତାଙ୍କୁ ଚାମ୍ପିଅନ୍ସ ଟ୍ରଫିରୁ ବାଦ ଦିଆଯାଇଛି। ସେ ମଧ୍ୟ ଆଇପିଏଲରୁ ଦୂରେଇ ରହିପାରନ୍ତି ବୋଲି ଖବର ସାମ୍ନାକୁ ଆସିଛି। ଏପରି ପରିସ୍ଥିତିରେ, SRHର ସମସ୍ୟା ମଧ୍ୟ ବଢ଼ିପାରେ। ତାଙ୍କ ଅନୁପସ୍ଥିତିରେ କାବ୍ୟା ମାରାନ ଆଉ ଜଣେ ଖେଳାଳିଙ୍କୁ ଅଧିନାୟକତ୍ୱ ହସ୍ତାନ୍ତର କରିବେ ନିଶ୍ଚିତ।
ଗତ ବର୍ଷ ପ୍ୟାଟ୍ କମିନ୍ସଙ୍କ ଅଧିନାୟକତ୍ୱରେ ସନରାଇଜର୍ସ ହାଇଦ୍ରାବାଦ ଚମତ୍କାର ପ୍ରଦର୍ଶନ କରିଥିଲା। ହାଇଦ୍ରାବାଦ ଦଳ ଫାଇନାଲକୁ ଯାତ୍ରା କରିଥିଲା। କିନ୍ତୁ, ତାଙ୍କୁ ଟାଇଟଲ ମ୍ୟାଚରେ କୋଲକାତା ଠାରୁ ପରାଜୟର ସମ୍ମୁଖୀନ ହେବାକୁ ପଡିଲା। କିନ୍ତୁ ପ୍ୟାଟ୍ କମିନ୍ସଙ୍କ ଅଧିନାୟକତ୍ୱକୁ ବହୁତ ପ୍ରଶଂସା କରାଯାଇଥିଲା। ତେବେ ୧୮ ତମ ସିଜନ୍ ପୂର୍ବରୁ ପ୍ୟାଟ୍ କମିନ୍ସଙ୍କ ଆଘାତ ନିଶ୍ଚିତ ଭାବରେ କାବ୍ୟା ମାରନଙ୍କ ଟେନସନକୁ ବଢ଼ାଇ ଦେଇଛି।
ବାସ୍ତବରେ, କମିନ୍ସଙ୍କର BGT ୨୦୨୪ ପରଠାରୁ ଗୋଡରେ ଆଘାତ ଲାଗିଛି। ଯେଉଁଥିପାଇଁ ସେ ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜର ଅଂଶ ହୋଇପାରିନଥିଲେ। ବର୍ତ୍ତମାନ କ୍ରିକେଟ୍ ଅଷ୍ଟ୍ରେଲିଆ ସ୍ପଷ୍ଟ କରିଛି ଯେ ଚାମ୍ପିଅନ୍ସ ଟ୍ରଫିରେ କମିନ୍ସ ଅଷ୍ଟ୍ରେଲିୟ ଦଳର ଅଂଶ ରହିବେନାହିଁ। ଯାହାପରେ କଳ୍ପନାଜଳ୍ପନା କରାଯାଉଛି ଯେ ସେ ମଧ୍ୟ ଆଇପିଏଲ୍ ୨୦୨୫ରୁ ବାଦ୍ ପଡ଼ିପାରନ୍ତି। ଯଦି ଏହା ଘଟେ ତେବେ SRHକୁ ଏହା ଏକ ବଡ ଝଟକା ହେବ ନିଶ୍ଚିତ। ଯଦି ପ୍ୟାଟ୍ କମିନ୍ସ ଆଇପିଏଲ୍ ୨୦୨୫ରେ ଖେଳିବାକୁ ଅସମର୍ଥ ହୁଅନ୍ତି, ତେବେ ତାଙ୍କ ସ୍ଥାନରେ କିଏ ଅଧିନାୟକ ହେବେ? ଏହା ଏକ ବଡ଼ ପ୍ରଶ୍ନ ହେବାକୁ ଯାଉଛି। କାରଣ, ତାଙ୍କ ବ୍ୟତୀତ ଦଳର ଜଣେ ଅଭିଜ୍ଞ ଅଧିନାୟକ ଭାବରେ କୌଣସି ଖେଳାଳି ନାହାଁନ୍ତି।
ଏଭଳି ପରିସ୍ଥିତିରେ SRH ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ହେନ୍ରିଚ୍ କ୍ଲାସେନଙ୍କୁ ୧୮ ତମ ସିଜନରେ ଅଧିନାୟକ ଭାବରେ ବାଛି ପାରନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ୨୦୨୧ ମସିହାରେ କ୍ଲାସେନ୍ ଦକ୍ଷିଣ ଆଫ୍ରିକାର ଅଧିନାୟକ ହୋଇ ସାରିଛନ୍ତି। ଗତ ବର୍ଷ ସେ ପାକିସ୍ତାନ ବିପକ୍ଷରେ ଟି-୨୦ରେ ଅଧିନାୟକ ଭାବରେ ମନୋନୀତ ହୋଇଥିଲେ। ଯଦି ସେ ଆଇପିଏଲରେ ମନୋନୀତ ହୁଅନ୍ତି, ତେବେ ସେ ଏହି ଭୂମିକାକୁ ସଂପୂର୍ଣ୍ଣ ରୂପେ ତୁଲାଇ ପାରିବେ।
ଆଇପିଏଲ୍ ୨୦୨୫ ପାଇଁ SRHର ସମ୍ପୂର୍ଣ୍ଣ ଦଳ: ପ୍ୟାଟ୍ କମିନ୍ସ, ଅଭିଷେକ ଶର୍ମା, ନୀତିଶ ରେଡ୍ଡୀ, ହେନ୍ରିଚ୍ କ୍ଲାସେନ୍, ଟ୍ରାଭିସ୍ ହେଡ୍, ଇଶାନ୍ କିଶାନ୍, ମହମ୍ମଦ ଶାମି, ହର୍ଷଲ ପଟେଲ, ଅଭିନଭ ମନୋହର, ରାହୁଲ ଚହର, ଆଡାମ ଜାମ୍ପା, ସିମରଜିତ ସିଂ, ଇଶାନ୍ ମାଲିଙ୍ଗା, ବ୍ରେଣ୍ଡନ କାର୍ସ, ଜୟଦେବ ଉନାଧକତ, କମିଣ୍ଡୁ ମେଣ୍ଡିସ୍, ଜିଶାନ୍ ଅନ୍ସାରି, ଅନିକେତ ବର୍ମା, ଅଥର୍ବ ତାଇଡେ, ସଚିନ ବେବି।