IPL 2025 ରୁ ନାମ ପ୍ରତ୍ୟାହାର କରିନେଲେ ଷ୍ଟାର୍ ବ୍ୟାଟର୍! ରାଗିଲେ ଭାରତୀୟ କିମ୍ବଦନ୍ତୀ….
ମାର୍ଚ୍ଚ ୨୨ ତାରିଖରୁ IPL ୨୦୨୫ ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି। ସମସ୍ତ ଖେଳାଳି ସେମାନଙ୍କ ଫ୍ରାଞ୍ଚାଇଜ୍ କ୍ୟାମ୍ପରେ ଯୋଗ ଦେଉଛନ୍ତି। କିନ୍ତୁ ଏହି ସମୟରେ ଇଂଲଣ୍ଡର ଷ୍ଟାର୍ ବ୍ୟାଟ୍ସମ୍ୟାନ୍ ହ୍ୟାରି ବ୍ରୁକ୍ ଆଇପିଏଲ୍ ୨୦୨୫ ରୁ ତାଙ୍କ ନାମ ପ୍ରତ୍ୟାହାର କରି ନେଇଛନ୍ତି। ଏହି ବ୍ୟାଟ୍ସମ୍ୟାନଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସ ନିଜ ଦଳରେ ଅନ୍ତର୍ଭୁକ୍ତ କରିଥିଲା। କିନ୍ତୁ ବର୍ତ୍ତମାନ ଇଂଲଣ୍ଡ ଖେଳାଳି ହ୍ୟାରି ବ୍ରୁକଙ୍କ ନାମ ପ୍ରତ୍ୟାହାର କରିବାକୁ ନେଇ ଜଣେ ପୂର୍ବତନ ଭାରତୀୟ ଖେଳାଳି କ୍ରୋଧିତ ହୋଇଯାଇଛନ୍ତି ଏବଂ ବ୍ରୁକଙ୍କୁ ବ୍ୟାନ କରିବାକୁ ମଧ୍ୟ କହିଛନ୍ତି।
ନିଲାମରେ ହ୍ୟାରି ବ୍ରୁକ୍ ତାଙ୍କ ନାମ ଦେଇଥିଲେ, କିନ୍ତୁ ବର୍ତ୍ତମାନ ଟୁର୍ନାମେଣ୍ଟ ଆରମ୍ଭ ହେବାର କିଛି ଦିନ ପୂର୍ବରୁ ସେ ତାଙ୍କ ନାମ ପ୍ରତ୍ୟାହାର କରି ନେଇଛନ୍ତି। ଇଂଲଣ୍ଡ ଦଳର ତାରକା ବ୍ୟାଟ୍ସମ୍ୟାନ୍ ହ୍ୟାରି ବ୍ରୁକ୍ ଆଇପିଏଲ୍ ୨୦୨୫ ରୁ ତାଙ୍କ ନାମ ପ୍ରତ୍ୟାହାର କରିଛନ୍ତି। ସେ ସୋସିଆଲ ମିଡିଆରେ ପୋଷ୍ଟ କରି ଲେଖିଛନ୍ତି ଯେ ଏହା ଏକ କଷ୍ଟସାଧ୍ୟ ନିଷ୍ପତ୍ତି ଥିଲା। କିନ୍ତୁ ସେ ଏହି ସମୟରେ ଇଂଲଣ୍ଡ ଦଳ ଉପରେ ଧ୍ୟାନ ଦେବାକୁ ଚାହୁଁଛନ୍ତି। ଟୁର୍ଣ୍ଣାମେଣ୍ଟରୁ ହ୍ୟାରି ବ୍ରୁକ୍ ପ୍ରତ୍ୟାହାରକୁ ନେଇ ଆକାଶ ଚୋପ୍ରା ରାଗି ଯାଇଛନ୍ତି।
ଏହି ପ୍ରସଙ୍ଗରେ ଆକାଶ ଚୋପ୍ରା କହିଛନ୍ତି ଯେ ଇଂଲଣ୍ଡର ଷ୍ଟାର ବ୍ୟାଟ୍ସମ୍ୟାନ୍ ହ୍ୟାରି ବ୍ରୁକ୍ ଗତ ବର୍ଷ ମଧ୍ୟ ତାଙ୍କ ନାମ ପ୍ରତ୍ୟାହାର କରି ନେଇଥିଲେ। ତା’ପରେ ସେ ବ୍ୟକ୍ତିଗତ କାରଣରୁ ଆଇପିଏଲ ଏବଂ ଇଂଲଣ୍ଡ ସିରିଜ୍ ଖେଳି ନଥିଲେ। ତାଙ୍କ ୟୁଟ୍ୟୁବ୍ ଚ୍ୟାନେଲରେ ଆକାଶ ଚୋପ୍ରା ଏହା କହିଛନ୍ତି ଯେ,
"ହ୍ୟାରି ବ୍ରୁକ୍ ତାଙ୍କ ନାମ ପ୍ରତ୍ୟାହାର କରିନେଇଛନ୍ତି। ସେ ଆଇପିଏଲ୍ ପାଇଁ ଉପଲବ୍ଧ ହେବେ ନାହିଁ ଏବଂ ଏହା କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ ଘଟୁଛି। ସେ କ୍ଷମା ମାଗିଛନ୍ତି କିନ୍ତୁ ସେ କହିଛନ୍ତି ଯେ ଚଳିତ ବର୍ଷ ଇଂଲଣ୍ଡ କ୍ରିକେଟ୍ ର ମହତ୍ତ୍ୱ ଥିବାରୁ ସେ ଉପଲବ୍ଧ ରହିବେ ନାହିଁ। ବୋଧହୁଏ ସେ ଏହା ବହୁତ ବିଳମ୍ବରେ ଅନୁଭବ କରିଛନ୍ତି ଏବଂ ଏହାର ଅର୍ଥ ହେଉଛି ତାଙ୍କୁ ଦୁଇ ବର୍ଷ ପାଇଁ ବ୍ୟାନ କରାଯିବା ସଠିକ ହେବ।"
ଦିଲ୍ଲୀ କ୍ୟାପିଟାଲ୍ସ ହ୍ୟାରି ବ୍ରୁକ୍ ଙ୍କୁ ୬.୨୫ କୋଟି ଟଙ୍କାରେ କିଣାଯାଇଥିଲା। କିନ୍ତୁ ବର୍ତ୍ତମାନ ତାଙ୍କୁ ଆଇପିଏଲରେ ଖେଳୁଥିବା ଦେଖିବାକୁ ମିଳିବ ନାହିଁ। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ହ୍ୟାରି ୨୦୨୩ ମସିହାରେ ତାଙ୍କର ଶେଷ ଆଇପିଏଲ୍ ଖେଳିଥିଲେ। ତା’ପରେ ସେ ସନରାଇଜର୍ସ ହାଇଦ୍ରାବାଦର ଅଂଶ ରହିଥିଲେ।
ଆଇପିଏଲର ଗତ ସିଜନରେ ଦେଖାଗଲା ଯେ ଅନେକ ବିଦେଶୀ ଖେଳାଳି ବିଭିନ୍ନ କାରଣ ଦର୍ଶାଇ ସେମାନଙ୍କ ନାମ ପ୍ରତ୍ୟାହାର କରି ନେଇଥିଲେ। ଯାହା ପରେ ଏକ ନିୟମ କରାଯାଇଥିଲା ଯେ ଯଦି କୌଣସି ଖେଳାଳି ନିଲାମରେ ପଞ୍ଜୀକୃତ ହୁଅନ୍ତି ଏବଂ ନିଲାମରେ କିଣି ହେବାପରେ, ସିଜିନ ଆରମ୍ଭ ପୂର୍ବରୁ ଲିଗରୁ ତାଙ୍କ ନାମ ପ୍ରତ୍ୟାହାର କରନ୍ତି, ତେବେ ତାଙ୍କୁ ଦୁଇ ବର୍ଷ ପର୍ଯ୍ୟନ୍ତ ଟୁର୍ନାମେଣ୍ଟ ଏବଂ ନିଲାମରେ ଭାଗ ନେବାରୁ ବ୍ୟାନ କରାଯାଇପାରିବ। ଏବେ ଦେଖିବାକୁ ବାକି ରହିଲା ହ୍ୟାରି ବ୍ରୁକ୍ ଙ୍କୁ ବ୍ୟାନ କରାଯିବ କି?