10ଟି ଦଳ ଖେଳିବା ପରେ ବଦଳିଲା IPL ଫର୍ମାଟ, ଦେଖନ୍ତୁ କେଉଁ ଗ୍ରୁପ ରେ କିଏ ଅଛି ଏବଂ ଜାଣନ୍ତୁ ନୁଆଁ ନିୟମ ବିଷୟରେ

 
Tata IPL

କ୍ରିକେଟ୍ ଖବର : ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ)ର ୧୫ଶ ସଂସ୍କରଣ ସମ୍ପୂର୍ଣ୍ଣ ଅଲଗା ହେବ। କାରଣ ଏହା ଏକ ନୂଆ ଫର୍ମାଟରେ ଖେଳାଯିବ। ଚଳିତ ବର୍ଷର ଆଇପିଏଲ୍‌ରେ ୧୦ଟି ଟିମ ଭାଗ ନେବାକୁ ଥିବା ବେଳେ ସେଗୁଡ଼ିକୁ ଦୁଇଟି ଗ୍ରୁପ୍‌ରେ ଭାଗ କରାଯାଇଛି। ଏହାସତ୍ତ୍ୱେ ପ୍ରତ୍ୟେକ ଟିମ୍‌ ୧୪ ଟି ଲେଖାଏଁ ମ୍ୟାଚ ଖେଳିବ। ସେଥିମଧ୍ୟରୁ ପ୍ରତି ଟିମ୍‌ ଘରେ ୭ଟି ଓ ବାହାରେ ୭ଟି ମ୍ୟାଚ ଖେଳିବେ।

IPL 2022 SCHEDULE

ଶୁକ୍ରବାର ଏନେଇ ଘୋଷଣା କରାଯାଇଥିବା ବେଳେ ପ୍ଲେଅଫ୍‌ ଓ ଫାଇନାଲ ଭେନ୍ୟୁ ବିଷୟରେ ବିସିସିଆଇ ପରେ ଘୋଷଣା କରିବ। ୨୦୨୨ରେ ୧୦ଟି ଟିମ୍‌କୁ ୨ଟି ଗ୍ରୁପରେ ଭାଗ କରାଯାଇଛି। ପ୍ରତି ଗ୍ରୁପରେ ୫ଟି ଲେଖାଏଁ ଟିମ ରହିବେ। ଗ୍ରୁପ-ଏ'ରେ ମୁମ୍ବାଇ ଇଣ୍ଡିଆନ୍ସ, ଦିଲ୍ଲୀ କ୍ୟାପିଟାଲ୍ସ, କୋଲକାତା ନାଇଟ ରାଇଡର୍ସ, ରାଜସ୍ଥାନ ରୟାଲ୍ସ ଓ ଲକ୍ଷ୍ନୌ ସୁପର୍‌ ଜିଆଣ୍ଟସ୍‌କୁ ରଖାଯାଇଛି। ସେହିପରି ଗ୍ରୁପ-ବି'ରେ ଚେନ୍ନାଇ ସୁପର୍‌ କିଙ୍ଗସ, ସନରାଇଜର୍ସ ହାଇଦ୍ରାବାଦ, ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର, ପଞ୍ଜାବ କିଙ୍ଗ୍‌ସ ଓ ଗୁଜରାଟ ଟାଇଟନ୍ସକୁ ସ୍ଥାନ ମିଳିଛି। ନୂଆ ଘୋଷଣା ଅନୁଯାୟୀ ପ୍ରତ୍ୟେକ ଦଳ ନିଜ ଗ୍ରୁପ୍‌ର ପ୍ରତ୍ୟେକ ଟିମ୍‌ ସହ ୮ ମ୍ୟାଚ୍‌ ଖେଳିବେ। ଅବଶିଷ୍ଟ ୬ଟି ମ୍ୟାଚ୍‌ ସେ ଅନ୍ୟ ଗ୍ରୁପ୍‌ର ଟିମ୍‌ ସହ ଖେଳିବେ।

ଅନ୍ୟପକ୍ଷରେ କରୋନା କାରଣରୁ ଗତ ଦୁଇବର୍ଷ ହେବ ଲିଗର ସମସ୍ତ ମ୍ୟାଚ୍‌ ଭାରତରେ ଖେଳାଯାଇ ନ ଥିଲା। ହେଲେ ଚଳିତ ବର୍ଷ ବିସିସିଆଇ ଏହି ବ୍ୟୟବହୁଳ ଲିଗ୍‌କୁ ଭାରତରେ ଆୟୋଜନ କରିବାକୁ ପୂରା ପ୍ରସ୍ତୁତି କରିଛି। ଏଥର ଆଇପିଏଲ୍‌ରେ ମୋଟ ୭୪ଟି ମ୍ୟାଚ ଖେଳାଯିବ। ସେଥିମଧ୍ୟରୁ ୭୦ଟି ଲିଗ୍‌ ପର୍ଯ୍ୟାୟ ସହ ୪ଟି ପ୍ଲେଅଫ୍‌ ମ୍ୟାଚ ରହିଛି।

ଏଥର ଆଇପିଏଲ ପାଇଁ ଷ୍ଟାଡିୟମ ଭିତରକୁ ଦର୍ଶକଙ୍କୁ ଅନୁମତି ମିଳିପାରେ। ମହାରାଷ୍ଟ୍ର ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ଗାଇଡଲାଇନ୍ସ ମୁତାବକ ଟୁର୍ନାମେଣ୍ଟ ଆରମ୍ଭରୁ ୪୦ ପ୍ରତିଶତ ଦର୍ଶକଙ୍କୁ ଅନୁମତି ମିଳିପାରେ। ଏବେ କୋଭିଡ-୧୯ ସ୍ଥିତିରେ ନିୟନ୍ତ୍ରଣରେ ରହିଥିବା ବେଳେ ଆଗକୁ ଯଦି ସ୍ଥିତି ଆହୁରି ଭଲ ରୁହେ ତେବେ ଦର୍ଶକଙ୍କ ସଂଖ୍ୟା ବୃଦ୍ଧି କରାଯାଇପାରେ।

ଗତକାଲି ବିସିସିଆଇ କହିଛି ଯେ ଆଇପିଏଲ୍ ମାର୍ଚ୍ଚ ୨୬ ରେ ଆରମ୍ଭ ହେବ ଏବଂ ମେ ୨୯ ରେ ଶେଷ ହେବ। ଚଳିତ ବର୍ଷ ୭୦ ଟି ଲିଗ୍ ମ୍ୟାଚ୍ ମୁମ୍ବାଇ ଏବଂ ପୁଣେରେ ଖେଳାଯିବ। ଇଣ୍ଡିଆନ୍ ପ୍ରିମିୟର ଲିଗର ୧୫ ତମ ସଂସ୍କରଣ ବାୟୋ-ସୁରକ୍ଷିତ ପରିବେଶରେ ଖେଳାଯିବ।