IPL 2022 ନିଲାମ: ଏହି ଭାରତୀୟ ଖେଳାଳିମାନଙ୍କ ମୂଳ ମୂଲ୍ୟ 2 କୋଟି ଟଙ୍କା ଅଟେ, ଦେଖନ୍ତୁ ଲିଷ୍ଟ

 

କ୍ରିକେଟ ଖବର : ଆଇପିଏଲର ୧୫ ତମ ସିଜନରେ ୨ ଟି ନୂଆ ଦଳ ଯୋଗ ହେବା ସହିତ ଏହି ମେଗା ଇଭେଣ୍ଟର ଉତ୍ସାହ ଆହୁରି ବଢିଯାଇଛି। ଆଇପିଏଲ ୨୦୨୨ ପୂର୍ବରୁ ଫେବୃଆରୀରେ ଏକ ମେଗା ନିଲାମ ହେବାକୁ ଯାଉଛି।  ଯେଉଁଥି ପାଇଁ ପ୍ରାୟ ସମସ୍ତ ପ୍ରସ୍ତୁତି ସରିଯାଇଛି। ଆସନ୍ତା ୧୧, ୧୨ ଏବଂ ୧୩ ଫେବୃଆରୀରେ ବାଙ୍ଗାଲୋରରେ ଆଇପିଏଲ୍ ୨୦୨୨ ର ଖେଳାଳି ନିଲାମ କାର୍ଯ୍ୟ ଅନୁଷ୍ଠିତ ହେବ। ତେବେ ପୂର୍ବରୁ ସମସ୍ତ ୧୦ ଟି ଦଳ ଏକତ୍ରିତ ହୋଇ ମୋଟ ୩୩ ଜଣ ଖେଳାଳିଙ୍କୁ ରିଟେନ କରିସାରିଛନ୍ତି। ତେବେ ଅବଶିଷ୍ଟ ଖେଳାଳିଙ୍କୁ ନିଲାମରେ ପ୍ରବେଶ କରିବାକୁ ପଡ଼ିବ। ଏଭଳି ପରିସ୍ଥିତିରେ, ଆଜି ଆମେ ଆପଣଙ୍କୁ ସେହି ଭାରତୀୟ ଖେଳାଳିଙ୍କ ବିଷୟରେ କହିବୁ, ଯେଉଁମାନେ ଆଇପିଏଲର ସର୍ବାଧିକ ବେସ୍ ମୂଲ୍ୟ ୨ କୋଟିରେ ରହିଛନ୍ତି।

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ୨ କୋଟି ବେସ ମୂଲ୍ୟରେ ୧୭ ଜଣ ଭାରତୀୟ ଖେଳାଳି ଅଛନ୍ତି। ଯେଉଁମାନେ କି ଆଇପିଏଲ ନିଲାମରେ ସାମିଲ ହେବେ।  ଏହି ଖେଳାଳୀମାନଙ୍କୁ କିଣିବା ପାଇଁ ୨ କୋଟିରୁ ଅଧିକ ମୂଲ୍ୟ ଦେଇ କିଣିବାକୁ ହେବ। ଏହି ତାଲିକାରେ ଥିବା ସମସ୍ତ ୧୭ ଜଣ ଖେଳାଳି ବିକ୍ରି ହେବାର ଆଶା କରାଯାଉଛି। ଭାରତର ଖେଳାଳିଙ୍କ ମଧ୍ୟରେ ୨ କୋଟି ମୂଲ୍ୟର ୬ ଜଣ ବ୍ୟାଟ୍ସମ୍ୟାନ୍, ଦୁଇ ଜଣ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍, ୩ ଜଣ ସ୍ପିନର ଏବଂ ୬ ଜଣ ଦ୍ରୁତ ବୋଲର ଅଛନ୍ତି।

ଆଇପିଏଲ୍ ୨୦୨୨ ର ନିଲାମରେ, ଭାରତୀୟ ଦଳର ଅନେକ ଶକ୍ତିଶାଳୀ ଖେଳାଳିଙ୍କର ମୂଳ ମୂଲ୍ୟ ୨ କୋଟି ଟଙ୍କା ରହିଛି। ଏହି ତାଲିକାରେ ଶିଖର ଧାୱନ, ଶ୍ରେୟାସ ଆୟର, ରବିନ୍ ଉଥାପ୍ପା, ଦେବଦତ୍ତ ପାଦିକ୍କାଲ, ସୁରେଶ ରାଇନା ଏବଂ ଅମ୍ବାତି ରାୟଡୁଙ୍କ ପରି ବ୍ୟାଟ୍ସମ୍ୟାନ୍ ଅଛନ୍ତି।  ସେହିଭଳି ସ୍ପିନ୍ ବୋଲିଂ ବିଭାଗର ଆର ଅଶ୍ୱିନ୍, ୟୁଜବେନ୍ଦ୍ର ଚହଲ ଏବଂ କ୍ରୁନାଲ ପାଣ୍ଡ୍ୟାଙ୍କ ନାମ ରହିଛି।

ସେହିପରି ଦ୍ରୁତ ବୋଲରଙ୍କ ତାଲିକାରେ ଦୀପକ ଚହର, ମହମ୍ମଦ ଶାମି, ଶାର୍ଦ୍ଦୁଲ ଠାକୁର, ଭୁବନେଶ୍ୱର କୁମାର, ହର୍ଷଲ ପଟେଲ ଏବଂ ଉମେଶ ଯାଦବଙ୍କ ନାମ ଅନ୍ତର୍ଭୁକ୍ତ। ଆଉ ୱିକେଟ୍ କିପର ତାଲିକାରେ ଇଶାନ୍ କିଶନ ଏବଂ ଦୀନେଶ କାର୍ତ୍ତିକଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି।