ମାଇକେଲ୍ ଭାଓଘନ୍ ଙ୍କ ବଡ଼ ବୟାନ, କହିଲେ ପାଣ୍ଡ୍ୟା କି ରାହୁଲ ନୁହଁ ଏହି ଖେଳାଳି ହେଉଛନ୍ତି IPL 2022 ର ଶ୍ରେଷ୍ଠ ଅଧିନାୟକ

 

କ୍ରିକେଟ୍ ଖବର : ଆଇପିଏଲ୍ 2022 ସମସ୍ତ 10 ଟି ଟିମ୍ ଦମଦାର୍ ଖେଳ ପ୍ରଦର୍ଶନ ଜାରି ରଖିଛନ୍ତି। ତେବେ ଚଳିତ ସିଜନର ଅଧିକାଂଶ ମ୍ୟାଚ ଖେଳ ସରିଥିବା ବେଳେ ବର୍ତ୍ତମାନ ଚଳିତ ସିଜନର ଶ୍ରେଷ୍ଠ ଅଧିନାୟକଙ୍କ ବିଷୟରେ ଆଲୋଚନା ହେଉଛି। ଆଇପିଏଲ୍ 2022 ର ଶ୍ରେଷ୍ଠ ଅଧିନାୟକ କିଏ ? ଏହି ପ୍ରଶ୍ନକୁ ନେଇ ତର୍କବିତର୍କ ଆରମ୍ଭ ହୋଇଛି।

ତେବେ ନିକଟରେ ଇଂଲଣ୍ଡର ପୂର୍ବତନ କ୍ରିକେଟର ମାଇକେଲ ଭାଓଘନଙ୍କୁ ଏହି ବିଷୟରେ ପଚରା ଯାଇଥିଲା। ଆଉ ଏହି ପ୍ରଶ୍ନର ମତ ଦେବାକୁ ଯାଇ ସେ ଦକ୍ଷିଣ ଆଫ୍ରିକାର ଜଣେ ଖେଳାକିଙ୍କ ନାମ ନେଇଛନ୍ତି। ଯିଏକି ବର୍ତ୍ତମାନ ଚଳିତ ସିଜନରେ ଗୋଟିଏ ଆଇପିଏଲ୍ ଦଳର ଅଧିନାୟକ ହୋଇଛନ୍ତି।

ମାଇକେଲଙ୍କ ମତରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (RCB) ଦଳର ଅଧିନାୟକ ଫାଫ୍ ଡୁ ପ୍ଲେସିସ୍ ଚଳିତବର୍ଷର ଆଇପିଏଲରେ ଶ୍ରେଷ୍ଠ ଅଧିନାୟକ । ସେ କହିଛନ୍ତି ଯେ ଫାଫ୍ ଡୁ ପ୍ଲେସିସ୍ ପୂର୍ବରୁ ଜାତୀୟ ଦଳର ନେତୃତ୍ୱ ନେଇଛନ୍ତି। କିନ୍ତୁ ଚଳିତବର୍ଷ ସେ ଆଇପିଏଲରେ ତାଙ୍କ ଦଳର ବୋଲରମାନଙ୍କୁ ସଂପୂର୍ଣ୍ଣ ରୂପେ ବ୍ୟବହାର କରିଛନ୍ତି। ସୂଚନାଯୋଗ୍ୟ ଯେ, ଆରସିବି 12 ଟି ମ୍ୟାଚରେ 14 ପଏଣ୍ଟ ହାସଲ କରିଛି ଏବଂ ପଏଣ୍ଟ ଟେବୁଲରେ ଚତୁର୍ଥ ସ୍ଥାନରେ ରହିଛି। ଡୁ ପ୍ଲେସିସଙ୍କ ନେତୃତ୍ୱରେ ଦଳ ଭଲ ପ୍ରଦର୍ଶନ ଜାରି ରଖିଛି।

ମାଇକେଲ ପ୍ରସଂଶା କରି ଫାଫ୍ ଡୁ ପ୍ଲେସିସଙ୍କ ବିଷୟରେ ଆହୁରି ମଧ୍ୟ କହିଛନ୍ତି ଯେ, "ମୁଁ ଭାବୁଛି ଫାଫ୍ ଡୁ ପ୍ଲେସିସ୍ ଆଇପିଏଲ୍ 2022 ର ଶ୍ରେଷ୍ଠ ଅଧିନାୟକ ଅଟନ୍ତି।  ଗ୍ରାଉଣ୍ଡ ର ଦୂର ସ୍ଥାନରେରେ ଫିଲ୍ଡିଂ କରିବାବେଳେ ସେ କିପରି ସବୁ ଜିନିଷର ଯତ୍ନ ନିଅନ୍ତି ତାହା ଦେଖି ମୁଁ ଆଶ୍ଚର୍ଯ୍ୟ। ସେ ଖେଳର ଜଣେ ଚମତ୍କାର ଚିନ୍ତକ"। ଫାଫ୍ ଡୁ ପ୍ଲେସିସଙ୍କର ଚମତ୍କାରିତା ଅଧିନାୟକତ୍ୱ କାରଣରୁ ଆରସିବି ଚଳିତ ବର୍ଷର ଆଇପିଏଲ୍ ଟାଇଟଲ ଜିତିପାରେ। ଟୁର୍ଣ୍ଣାମେଣ୍ଟରେ ଏକ ଦଳକୁ କିପରି ଟାଇଟଲ ଜିତିବ ସେ ଭଲ ଭାବରେ ଜାଣନ୍ତି। ”