IPL ମେଗା ନିଲାମ : ପ୍ରଥମ ଦିନରେ ବିକ୍ରି ହେବେ ୧୬୧ ଜଣ ଖେଳାଳି, ଜାଣନ୍ତୁ କେଉଁ ଭାରତୀୟ ଖେଳାଳି ଅଛନ୍ତି ତାଲିକାରେ ସାମିଲ

 
କ୍ରିକେଟ୍ ଖବର : ଆଜି ହେଉଛି କ୍ରିକେଟ୍ ପ୍ରେମୀ ଆଉ କ୍ରିକେଟରଙ୍କ ପାଇଁ ବଡ଼ ଉତ୍ସାହର ଦିନ। କାରଣ ଆଜିଠାରୁ ଆଇପିଏଲ ଗୋଟିଏ ଗୋଟିଏ ବଡ଼ କାର୍ଯ୍ୟ ଆରମ୍ଭ ହେବ। ଆଜି ଏବଂ ଆସନ୍ତାକାଲି ବେଙ୍ଗାଲୁରୁରେ ଆୟୋଜିତ ହେବ ଆଇପିଏଲ୍ ଖେଳାଳିଙ୍କର ନିଲାମ ପ୍ରକ୍ରିୟା। ଏହି ମେଗା ନିଲାମରେ ସମସ୍ତ ୧୦ ଟି ଦଳ ୫୯୦ ଜଣ ଖେଳାଳିଙ୍କୁ ବିଡିଂ କରିବେ। ଏଥିରେ ୩୭୦ ଜଣ ଭାରତୀୟ ଏବଂ ୨୨୦ ଜଣ ବିଦେଶୀ ଖେଳାଳି ରହିଛନ୍ତି। ଆଜି ମଧ୍ୟାହ୍ନ ୧୨ ଟାରୁ ଖେଳାଳି ନିଲାମ ପ୍ରକ୍ରିୟା ଆରମ୍ଭ ହେବ। ପ୍ରଥମ ଦିନରେ ୧୬୧ ଜଣ ଖେଳାଳିଙ୍କୁ ଏହି ନିଲାମ ପ୍ରକ୍ରିୟାରେ ସାମିଲ କରାଯିବ। 

କେଉଁ ଖେଳାଳିଙ୍କୁ ପ୍ରଥମେ ନିଲାମ କରାଯିବ?

ଖେଳାଳି ନିଲାମର ପ୍ରଥମ ଦିନରେ ଶ୍ରେୟସ୍ ଆୟର, ଶିଖର ଧାୱନ, ମହମ୍ମଦ ଶାମି, ରବିଚନ୍ଦ୍ରନ ଅଶ୍ୱିନ୍, ପ୍ୟାଟ୍ କମିନ୍ସ, କାଗିସୋ ରାବାଡା, ଟ୍ରେଣ୍ଟ ବୋଲ୍ଟ, କ୍ୱିଣ୍ଟନ୍ ଡି କକ୍, ଫାଫ୍ ଡୁ ପ୍ଲେସିସ୍, ଡେଭିଡ ୱାର୍ଣ୍ଣରଙ୍କ ପାଳି ପଡିଛି। ଏହି ବଡ଼ ହସ୍ତୀମାନଙ୍କୁ ପ୍ରଥମ ଦିନର ନିଲାମରେ ସାମିଲ କରାଯାଇଛି।

ଏମାନଙ୍କୁ କିଣିବା ପାଇଁ ୧୦ ଟି ଦଳ ଆଜି ବିପୁଳ ପରିମାଣର ଅର୍ଥ ଖର୍ଚ୍ଚ କରିବେ। ଏହି ଖେଳାଳୀମାନଙ୍କର ନିଲାମ ଦଳ ପାଇଁ ମଧ୍ୟ ସୁବିଧାଜନକ ଅଟେ। ଦଳଗୁଡ଼ିକ ସେମାନଙ୍କ ଦଳର ସନ୍ତୁଳନ ସ୍ଥିର କରିବା ପାଇଁ ଏହି ଖେଳାଳିଙ୍କ ଉପରେ ନଜର ରଖିଛନ୍ତି।

ତେବେ ଏହି ମାର୍କେ ଖେଳାଳିଙ୍କ ବ୍ୟତୀତ ଆଉ ୧୫୧ ଜଣ ଅଧିକ ଖେଳାଳି ବି ବିଡିଂରେ ସାମିଲ ହେବେ। ମାର୍କେ ଖେଳାଳିଙ୍କ ବ୍ୟତୀତ, ବାକି ଖେଳାଳୀମାନେ ସେମାନଙ୍କର ଖେଳ ଅନୁଯାୟୀ ବିଭିନ୍ନ ସେଟ୍ ରେ ବିଭକ୍ତ। ବ୍ୟାଟ୍ସମ୍ୟାନମାନଙ୍କ ପାଇଁ ଏକ ପୃଥକ ସେଟ୍ ଏବଂ ବୋଲରମାନଙ୍କ ପାଇଁ ଏକ ପୃଥକ ସେଟ୍ କରାଯାଇଛି। 

ମାର୍କେ ସେଟ୍ ସହିତ ଆହୁରି ୬୨ ସେଟ୍ ଖେଳାଳି ପ୍ରସ୍ତୁତ ହୋଇସାରିଛନ୍ତି। ଆନ୍ତର୍ଜାତୀୟ କ୍ରିକେଟ୍ ଖେଳିଥିବା ସମସ୍ତ ଖେଳାଳିଙ୍କ ନାମ ଏହି ସେଟ୍ ଗୁଡିକରେ ଅନ୍ତର୍ଭୁକ୍ତ ରହିଛି। ଏଥିରେ ବ୍ୟାଟ୍ସମ୍ୟାନ୍, ବୋଲର, ଅଲରାଉଣ୍ଡର, ୱିକେଟ୍ କିପରଙ୍କ ପରି ବିଭିନ୍ନ ସେଟ୍ ପ୍ରସ୍ତୁତ ହୋଇଛି ଯେଉଁମାନେ ପ୍ରଥମ ଦିନରେ ନିଲାମରେ ଅଂଶଗ୍ରହଣ କରିବେ।

ଆଜିର ମେଗା ନିଲାମରେ ଶ୍ରେୟସ୍ ଆୟରଙ୍କୁ ମହଙ୍ଗା ଖେଳାଳି ଭାବରେ ବିବେଚନା କରାଯାଉଛି, ଆୟରଙ୍କ ବ୍ୟତୀତ ଜେସନ ହୋଲ୍ଡର, ସୁରେଶ ରାଇନା, ୟୁଜଭେନ୍ଦ୍ର ଚହଲ, କୁଲଦୀପ ଯାଦବ, ଡୱେନ ବ୍ରାଭୋ, ଦୀପକ ଚହର, ଇଶାନ କିଶନ, ଇଓନ ମୋର୍ଗାନ, ଜନି ବେୟାରଷ୍ଟୋ, ଦେବଦତ୍ତ ପାଦିକଲଙ୍କ ପରି ତାରକାଖେଳାଳି ନିଲାମରେ ସାମିଲ ହେବେ।