ଦେଖନ୍ତୁ ଭିଡିଓ: ରୋମାଞ୍ଚକ ମ୍ୟାଚର ଶେଷ ଓଭରରେ ମାତ୍ର 9 ରନ୍ କରିପାରିଲାନି ଗୁଜୁରାଟ ଦଳ, 2 ଜଣ ହେଲେ ରନ୍ ଆଉଟ ଏବଂ ହାରିଗଲା ମ୍ୟାଚ

 

କ୍ରିକେଟ୍ ଖବର : ଗୁଜୁରାଟ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଆଇପିଏଲ୍ 2022 ର 51 ତମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ 5 ରନରେ ବିଜୟ ହାସଲ କରିଛି। ଏହି ମ୍ୟାଚରେ ଗୁଜୁରାଟ ଦଳ ଶେଷ ଓଭରରେ ଜିତିବା ପାଇଁ 9 ରନ୍ ଆବଶ୍ୟକ କରୁଥିଲା। କିନ୍ତୁ 9 ରନ କରିପାରିନଥିଲା ଦଳ। ଶେଷରେ 5 ରନରେ ମୁମ୍ବାଇ ଠାରୁ ହାରିଗଲା ପାଣ୍ଡ୍ୟାବାହିନୀ। ଶେଷ ଓଭରର ପ୍ରଥମ ପାଞ୍ଚଟି ବଲରେ ଗୁଜୁରାଟ କେବଳ 3 ରନ ହିଁ ସଂଗ୍ରହ କରିଥିଲା। ଆଉ ଶେଷ ବଲରେ ଦଳକୁ ଜିତିବାକୁ 6 ରନ ଆବଶ୍ୟକ ହେଉଥିଲା। କିନ୍ତୁ ଶେଷ ବଲଟିରେ କୌଣସି ବି ରନ ଆସିପାରି ନଥିଲା ଗୁଜୁରାଟ ଦଳର। 

ଗୁଜୁରାଟର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ମିଲର୍ ଶେଷ ବଲରେ ଷ୍ଟ୍ରାଇକରେ ଥାଇ ବି ଦଳକୁ ବିଜୟ ପ୍ରଦାନ କରିପାରିନଥିଲେ । ମୁମ୍ବାଇ ପକ୍ଷରୁ ଡାନିଏଲ୍ ସାମସ୍ ଶେଷ ଓଭର ବୋଲିଂ କରିଥିଲେ। ଆଉ ସାମସ୍ ଏହି ମ୍ୟାଚର ଶେଷ ଓଭରରେ ମାତ୍ର 3 ରନ ଦେଇ ନିଜ ଦଳକୁ ବିଜୟ ପ୍ରଦାନ କଲେ। ଟସ୍ ହାରିବା ପରେ ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା  ମୁମ୍ବାଇ ଦଳ 20 ଓଭରରେ 6 ୱିକେଟ୍ ହରାଇ 177 ରନ୍ ସଂଗ୍ରହ କରିଥିଲା।  ଏହାର ଜବାବରେ ଗୁଜୁରାଟ ଟାଇଟାନ୍ସ ଦଳ 20 ଓଭରରେ 5 ୱିକେଟ୍ ହରାଇ 172 ରନ୍ ସଂଗ୍ରହ କରିଥିଲା। ତାପରେ ମୁମ୍ବାଇ ଇଣ୍ଡିଆନ୍ସ ଏହି ମ୍ୟାଚକୁ 5 ରନରେ ଜିତିନେଲା। 

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିବାକୁ ପଡ଼ିଆକୁ ଆସିଥିବା ମୁମ୍ବାଇ ଦଳର ଇଶାନ୍ କିଶାନ୍ 45 ରନ୍ ସଂଗ୍ରହ କରିଥିଲେ।  ଏଥି ସହିତ, ଟିମ୍ ଡେଭିଡ 21 ଟି ବଲରେ 44 ରନ୍ ସଂଗ୍ରହ କରିଥିଲେ। ଅନ୍ୟପଟେ ଅଧିନାୟକ ରୋହିତ ଶର୍ମା ମଧ୍ୟ 43 ରନ୍ ସଂଗ୍ରହ କରିଥିଲେ। ତିଲକ ଭର୍ମା 16 ଟି ବଲରେ 21 ରନ୍ ସଂଗ୍ରହ କରିଥିଲେ।  ପ୍ରଥମ ୱିକେଟ୍ ପାଇଁ ଇଶାନ୍ କିଶନ ଏବଂ ରୋହିତ ଶର୍ମା 74 ରନର ଏକ ଭଲ ଭାଗିଦାରୀ କରିଥିଲେ। ଏହିକ୍ରମରେ ମୁମ୍ବାଇ ଏକ ସମ୍ମାନଜନକ ରନ ସ୍କୋର କରିପାରିଥିଲା। 

ଗୁଜୁରାଟ ଦଳର ରସିଦ ଖାନ ସବୁଠାରୁ ସଫଳ ବୋଲର ଥିଲେ, ଯିଏ 4 ଓଭରରେ 24 ରନ୍ ପାଇଁ ଦୁଇଟି ୱିକେଟ୍ ହାସଲ କରିଥିଲେ, ଆଉ ଅଲଜାରି ଜୋସେଫ୍, ଲକି ଫର୍ଗୁସନ୍ ପ୍ରତ୍ୟେକଙ୍କୁ ଗୋଟିଏ ଲେଖାଏଁ ୱିକେଟ୍ ମିଳିଥିଲା। ତେବେ 178 ରନ୍‌ର ଟାର୍ଗେଟକୁ ଫଲୋ କରି ଗୁଜୁରାଟ ଟାଇଟାନ୍ସ ଏକ ଭଲ ଆରମ୍ଭ କରିଥିଲା। ଦଳର ଓପନର୍ ରିଦ୍ଧିମାନ ସାହା ଏବଂ ଶୁଭମାନ ପ୍ରଥମ ୱିକେଟ୍ ପାଇଁ 106 ରନର ଏକ ଭଲ ଭାଗିଦାରୀ କରିଥିଲେ। ରିଦ୍ଧିମାନ 55 ରନ କରି ଆଉଟ୍ ହୋଇଥିଲେ। ତାପରେ ଗିଲ ମଧ୍ୟ 52 ରନ କରି ପାଭିଲିୟନ ଫେରିଥିଲେ। ସେହିପରି 24 ରନ୍ ସ୍କୋର କରିବା ପରେ ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ଆଉଟ ହୋଇଥିଲେ। 

ଏକ ସମୟରେ ବିଜୟ ଆଡ଼କୁ ଅଗ୍ରସର ହେଉଥିବା ଗୁଜୁରାଟ ଟାଇଟାନ୍ସକୁ ଦୁଇ ଦୁଇଟି ଝଟକା ଦେଇଥିଲେ   ଇଶାନ କିଶାନ। ତାଙ୍କ ଦ୍ୱାରା ହାର୍ଦ୍ଦିକ ପାଣ୍ଡ୍ୟା ରନ୍ ଆଉଟ୍ ହୋଇଥିବାବେଳେ ରାହୁଲ ତେୱାତିଆଙ୍କୁ ମଧ୍ୟ ଇଶାନ୍ ରନ ଆଉଟ୍ କରିଥିଲେ। ଗୁଜୁରାଟର ଏହି ଦୁଇ ଖେଳାଳି ଆଉଟ୍ ହେବା ପରେ ମୁମ୍ବାଇ ଆଡ଼କୁ ମୁହାଇଥିଲା ବିଜୟର ଗତିପଥ। ତେବେ ମୁମ୍ବାଇ ପାଇଁ ମୋର୍ଗାନ ଅଶ୍ୱିନ୍ 4 ଓଭରରେ 29 ରନ୍ ବ୍ୟୟ କରି ଦୁଇଟି ୱିକେଟ୍ ନେଇଥିବାବେଳେ ପୋଲାର୍ଡ 2 ଓଭରରେ 13 ରନ୍ ଦେଇ ଗୋଟିଏ ସଫଳତା ହାସଲ କରିଛନ୍ତି।

ତେବେ ଶେଷ ଓଭରରେ ଗୁଜୁରାଟକୁ ମ୍ୟାଚ ବିଜୟ ପାଇଁ 9 ରନ ଆବଶ୍ୟକ ହେଉଥିବା ବେଳେ, ଡେଭିଡ ମିଲର ଶେଷ ଓଭରର ପ୍ରଥମ ବଲରେ 1 ରନ୍ କରି ରାହୁଲଙ୍କୁ ଷ୍ଟ୍ରାଇକ୍ ଦେଇଥିଲେ। ଦ୍ୱିତୀୟ ବଲରେ ରାହୁଲ ତେୱାତିଆ ବଲକୁ ଛୁଇଁ ପାରିନଥିଲେ ଏବଂ ତୃତୀୟ ବଲରେ ରାହୁଲ ମିଡ ୱିକେଟ୍ ଅଞ୍ଚଳକୁ ପୁଷ୍ କରି 2 ରନ୍ ନେବାକୁ ଚେଷ୍ଟା କରିଥିଲେ କିନ୍ତୁ ତିଲକ ଭର୍ମାଙ୍କ ସଠିକ୍ ଥ୍ରୋ କରି ତାଙ୍କୁ ରନ ଆଉଟ୍ କରିଦେଇଥିଲେ। 

ଏହା ପରେ ରସିଦ ଖାନ ବ୍ୟାଟିଂ କରିବାକୁ ପଡିଆକୁ ଆସିଥିଲେ, ସେତେବେଳେକୁ ଜିତିବାକୁ 3 ବଲରେ 7 ରନ୍ ଆବଶ୍ୟକ ଥିଲା। ଚତୁର୍ଥ ବଲରେ ରସିଦ ଖାନ 1 ରନ କରିବାକୁ ସକ୍ଷମ ହୋଇଥିଲେ।  ଶେଷ ଦୁଇଟି ବଲରୁ ଜିତିବା ପାଇଁ ଗୁଜରାଟକୁ 6 ରନ୍ ଆବଶ୍ୟକ ଥିଲା। ମିଲର୍ ଶେଷ ଓଭରର ଶେଷ ଦୁଇଟି ବଲରେ କିଛି ବି ରନ ସଂଗ୍ରହ କରିପାରିନଥିଲେ। ଆଉ ମୁମ୍ବାଇ 5 ରନରେ ମ୍ୟାଚ ଜିତିଗଲା।

ଦେଖନ୍ତୁ ଭିଡିଓ: