ଅଧିନାୟକ ପଦ ଗଲା ପରେ ଏବେ ଜାଡେଜା CSK ଦଳରୁ ହେବେ ବାହାର ! ରାଇନାଙ୍କ ଭଳି ହେବ ଅବସ୍ଥା, ପଢନ୍ତୁ ରିପୋର୍ଟ

 

କ୍ରିକେଟ୍ ଖବର : ଆଇପିଏଲ୍ ଇତିହାସରେ ଦ୍ଵିତୀୟ ସଫଳ ଦଳ ହେଉଛି ଚେନ୍ନାଇ ସୁପର୍ କିଙ୍ଗସ ( CSK) । ମହେନ୍ଦ୍ର ସିଂ ଧୋନିଙ୍କ ଅଧିନାୟକତ୍ୱରେ ଦଳ ୪ ଥର ଆଇପିଏଲ୍ ଟାଇଟଲ ଜିତିଛି। ଏହା ସହିତ 2020 ବର୍ଷର ଆଇପିଏଲ୍ ସିଜନକୁ ବାଦ୍ ଦେଲେ, ଦଳ ପ୍ରତ୍ୟେକ ସିଜନରେ ପ୍ଲେଅଫ୍ ଖେଳିବା ପାଇଁ ଯୋଗ୍ୟତା ଅର୍ଜ୍ଜନ କରିଛି।

ତେବେ ଚଳିତବର୍ଷର ଆଇପିଏଲ୍ ସିଜନ ଆରମ୍ଭ ହେବା ପୂର୍ବରୁ ମାହି ସିଏସକେର ଅଧିନାୟକ ପଦକୁ ରବିନ୍ଦ୍ର ଜାଡେଜାଙ୍କୁ ପ୍ରଦାନ କରିଥିଲେ। କିନ୍ତୁ ଜାଡେଜା ଅଧିନାୟକ ପଦ ସମ୍ଭାଳିବା ପରେ ଚେନ୍ନାଇ ଦଳ ଖାସ୍ ପ୍ରଦର୍ଶନ କରିପାରିନାହିଁ। ଜାଡେଜାଙ୍କ ଅଧିନାୟକତ୍ୱରେ ଦଳ 8 ଟି ମ୍ୟାଚ ଖେଳି 6 ଟିରେ ପରାଜୟ ହୋଇଥିଲା। ଅନ୍ୟପଟେ 8 ଟି ମ୍ୟାଚରେ ଦଳକୁ ନୈରାଶ୍ୟଜନକ ପ୍ରଦର୍ଶନ ଦେଇ ନିଜେ ଅଧିନାୟକ ପଦରୁ ଓହରି ଗଲେ ଜାଡେଜା। ଆଉ ପୁଣିଥରେ ମହେନ୍ଦ୍ର ସିଂ ଧୋନି ଚେନ୍ନାଇର ଅଧିନାୟକ ପଦ ସମ୍ଭାଳିଲେ।  

ତେବେ ବର୍ତ୍ତମାନ ଜାଡେଜାଙ୍କୁ ନେଇ ଏକ ଖବର ଚର୍ଚ୍ଚା ପରିସରକୁ ଆସିଛି। ଜାଡେଜାଙ୍କୁ ଚେନ୍ନାଇ ସୁପରକିଙ୍ଗସ ନିଜର ଅଫିସିଆଲ୍ ଇନଷ୍ଟାଗ୍ରାମ ପେଇଜରୁ ଅନଫଲୋ କରିଛି। ଯାହା ପରେ ଆଲୋଚନା ହେଉଛି ଯେ, ଚେନ୍ନାଇ ସୁପର କିଙ୍ଗସର ମ୍ୟାନେଜମେଣ୍ଟ ଆଉ ଜାଡେଜାଙ୍କ ମଧ୍ୟରେ କିଛି କଥା କଟାକାଟି ହୋଇଛି। ବିଭିନ୍ନ ଜାତୀୟ ଗଣମାଧ୍ୟମ ଏହି ବିଷୟରେ ଦାବି ଉପସ୍ଥାପନ କରିବା ଆରମ୍ଭ କରିଛନ୍ତି।

ଅନ୍ୟପକ୍ଷରେ ସିଏସକେ ଦଳ ଚଳିତ ସିଜନର ନିଜର ୧୧ ତମ ମ୍ୟାଚରେ ଜାଡେଜାଙ୍କୁ ପ୍ଲେଇଙ୍ଗ ଇଲେଭେନରେ ସ୍ଥାନ ଦେଇନଥିଲା। ଏହି ବିଷୟରେ ଧୋନିଙ୍କୁ ଟସ ସମୟରେ ପଚାରାଯିବାରୁ ସେ କହିଥିଲେ ଜାଡେଜାଙ୍କୁ ଆଘାତ ଲାଗିଛି। ତେବେ ଇନଷ୍ଟାଗ୍ରାମ ପେଇଜରୁ ଜାଡୁଙ୍କୁ ଅନଫଲୋ କରିବା , ତାଙ୍କ ପ୍ରସଂଶକଙ୍କୁ ଏକ ଝଟକା ଦେଇଛି ସିଏସକେ। ଯାହାକୁ ନେଇ ତର୍କବିତର୍କ ଆରମ୍ଭ ହୋଇଛି।